ବିଶ୍ୱକପ୍‌ ହକି ପାଇଁ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ

0

ମୁମ୍ବଇ : ଠିକ୍‍ ୮୦ ଦିନ ପରେ ଓଡ଼ିଶାର ରାଜଧାନୀ ସହର ଭୁବନେଶ୍ୱରରେ ଆୟୋଜନ ହେବ ୧୪ଶ ପୁରୁଷ ହକି ବିଶ୍ୱକପ୍‍। ଏହି ବିଶ୍ୱକପ୍‍ରେ ଭାରତୀୟ ପୁରୁଷ ଦଳ ନୂତନ ଜର୍ସି ପିନ୍ଧି କଳିଙ୍ଗ ଷ୍ଟାଡିୟମ୍‍ରେ ଓହ୍ଲାଇବ। ଶୁକ୍ରବାର ମୁମ୍ବଇର ଏକ ପଞ୍ଚତାରକା ହୋଟେଲରେ ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଭାରତୀୟ ପୁରୁଷ ଦଳର ନୂତନ ଜର୍ସି ଉନ୍ମୋଚନ ହୋଇଯାଇଛି। ଏହି ଉତ୍ସବରେ ଭାରତୀୟ ପୁରୁଷ ହକି ଦଳର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ଏହି ଜର୍ସି ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଉପସ୍ଥିତ ଥିଲେ ଭାରତୀୟ ହକିର କିଛି କିମ୍ବଦନ୍ତୀ ଖେଳାଳି। ସେମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ଅଜିତ ପାଲ ସିଂହ, ଅଶୋକ କୁମାର, ଧନରାଜ ପିଲ୍ଲେ, ଓଡ଼ିଆ ଅଲିମ୍ପିଆନ୍‍ ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କି ଓ ସନ୍ଦୀପ ସିଂହ। ଭାରତୀୟ ପୁରୁଷ ହକି ଦଳର ପ୍ରଶିକ୍ଷକ ହରେନ୍ଦ୍ର ସିଂହ ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ; ଏହି ନୂତନ ଜର୍ସିକୁ ନ୍ୟାସନାଲ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଫ୍ୟାସନ୍‍ ଟେକ୍ନୋଲୋଜି (ଏନ୍‍ଆଇଏଫ୍‍ଟି)ର ନରେନ୍ଦ୍ର କୁମାର ଡିଜାଇନ୍‍ କରିଛନ୍ତି। ଏହି ଜର୍ସି ଉନ୍ମୋଚନ ପରେ ହକି ଇଣ୍ଡିଆ ପକ୍ଷରୁ ପ୍ରେସ୍‍ ବିଜ୍ଞପ୍ତିରେ କୁହାଯାଇଛି, ଏହି ନୂଆ ହକି ଜର୍ସି ଭାରତୀୟ ଦଳକୁ ନୂତନ ଉତ୍ସାହ ଓ ଉନ୍ମାଦନା ପ୍ରଦାନ କରିବ; ଯଦ୍ଦ୍ୱାରା ଆମ ଖେଳାଳି ହକି ବିଶ୍ୱକପ୍‍ ଜିତିପାରିବେ। ପୁଣି ନୂତନ ଡିଜାଇନ୍‍ ଦର୍ଶାଉଛି ଯେ ହକି ହେଉଛି ଭାରତର ଖେଳ ଏବଂ ଭାରତ ପାଇଁ ଭାରତୀୟ ହକି ଦଳର ହୃଦ୍‍ସ୍ପନ୍ଦନ କିପରି ହେଉଛି। ଏହି ଉତ୍ସବରେ ଭାରତୀୟ ଦଳର ଅଧିନାୟକ ପି.ଆର୍‍. ଶ୍ରୀଜେଶ କହିଥିଲେ, ଆମ ଦଳର ଲକ୍ଷ୍ୟ ହେଉଛି ଭାରତ ପାଇଁ ଗୌରବ ଆଣିବା। ଏହି ନୂଆ ଜର୍ସିକୁ ନେଇ ଆମେ ଉତ୍ସାହିତ ଏବଂ ଏହା ଆମ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଁ ଆଶାରଖିଛି। ମୁଁ ସମସ୍ତ ଭାରତୀୟଙ୍କୁ ନିବେଦନ କରୁଛି ଯେ ସମସ୍ତଙ୍କ ହୃଦୟ ହକି ପାଇଁ ସ୍ପନ୍ଦିତ ହେଉ ଏବଂ ବିଶ୍ୱକପ୍‍ରେ ସେମାନେ ଆମକୁ ସମର୍ଥନ କରନ୍ତୁ। ପ୍ରତି ବଦଳରେ ଆମେ ଦେଶ ପାଇଁ ଲୁହ ଓ ଲହୁ ଦେବୁ ଏବଂ ଦେଶକୁ ବିଶ୍ୱକପ୍‍ ଜିତାଇବୁ। ସୂଚନାଯୋଗ୍ୟ; ବମ୍ବେ (୧୯୮୨) ଓ ନୂଆଦିଲ୍ଲୀ (୨୦୧୦) ପରେ ୩ୟ ସହର ଭାବେ ଭୁବନେଶ୍ୱର ପୁରୁଷ ହକି ବିଶ୍ୱକପ୍‍ ଆୟୋଜନ କରିବାକୁ ଯାଉଛି। ନଭେମ୍ବର ୨୮ରୁ ଏହି ବିଶ୍ୱକପ୍‍ ଆରମ୍ଭହେବ ଏବଂ ଏଥିରେ ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଭାଗନେବେ।

Leave A Reply