ପୁରୁଷ ହକି ଖେଳାଳିଙ୍କୁ ମାସିକ ଅନୁଦାନ

0

ନୂଆଦିଲ୍ଲୀ : ଏଣିକି ଭାରତୀୟ ପୁରୁଷ ହକି ଦଳର ୧୮ ଜଣ ସଦସ୍ୟ କେନ୍ଦ୍ର ସରକାରଙ୍କଠାରୁ ମାସିକ ୫୦ ହଜାର ଟଙ୍କାର ଅନୁଦାନ ପାଇବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟର ମିଶନ୍‍ ଅଲିମ୍ପିକ୍‍ ସେଲ୍‍ (ଏମ୍‍ଓସି) ବୁଧବାର ଏହି ପ୍ରସ୍ତାବକୁ ଅନୁମୋଦନ କରିଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟର ଟାର୍ଗେଟ ଅଲିମ୍ପିକ୍‍ ପୋଡିୟମ୍‍ (ଟପ୍‍) ଯୋଜନା ଅନ୍ତର୍ଗତ ପୁରୁଷ ହକି ଦଳର ୧୮ ଜଣ ସଦସ୍ୟଙ୍କୁ ମାସିକ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। ଗତବର୍ଷ କେନ୍ଦ୍ର ସରକାର ଟପ୍‍ ଯୋଜନା ଆରମ୍ଭ କରିଥିଲେ ହେଁ ହକି ଖେଳାଳି ପ୍ରଥମଥର ପାଇଁ ଅନୁଦାନ ପାଇବାକୁ ଯାଉଛନ୍ତି।
ଭାରତୀୟ ପୁରୁଷ ହକି ଦଳର ନୂଆ ପ୍ରଶିକ୍ଷକ ହରେନ୍ଦ୍ର ସିଂହଙ୍କ ଅଧୀନରେ ଦଳର ପ୍ରଦର୍ଶନରେ ଉନ୍ନତି ଘଟିବାରୁ ହକି ଖେଳାଳିଙ୍କୁ ଟପ୍‍ ଯୋଜନାରେ ସାମିଲ କରାଯାଇଛି। ନେଦରଲାଣ୍ଡ୍‍ସରେ ନିକଟରେ ଆୟୋଜିତ ପୁରୁଷ ଚମ୍ପିଆନ୍‍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଭାରତ ରନର୍ସଅପ୍‍ ହୋଇଥିଲା। ତେବେ ଆସନ୍ତା ଲଣ୍ଡନ୍‍ ବିଶ୍ୱକପ୍‍ ଓ ଏସୀୟ କ୍ରୀଡ଼ାରେ ଦଳର ପ୍ରଦର୍ଶନକୁ ଆକଳନ କରିବା ପରେ ଭାରତୀୟ ମହିଳା ହକି ଦଳର ଖେଳାଳିଙ୍କୁ ଟପ୍‍ ଯୋଜନାରେ ସାମିଲ କରାଯିବ କି ନାହିଁ; ତା’ର ନିଷ୍ପତ୍ତି ନିଆଯିବ। ଏହାସହ ଭାରତ ପାଇଁ ୨ଟି ଅଲିମ୍ପିକ୍‍ ପଦକ ଜିତିଥିବା ପହିଲମାନ ସୁଶୀଲ କୁମାରଙ୍କୁ ୨ ଜଣ ଅଭ୍ୟାସ ପହିଲମାନ ଓ ଜଣେ ଫିଜିଓଥେରାପିଷ୍ଟ ନିଯୁକ୍ତ କରିବା ପାଇଁ ୬ ଲକ୍ଷ ୬୨ ହଜାର ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ଆଉ ୨ ପହିଲମାନ ବଜରଙ୍ଗ ପୁନିଆ ଓ ସୁମିତ ତୁର୍କୀରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଭାଗନେବାକୁ ଯାଉଥିବା ବେଳେ ଉଭୟଙ୍କୁ ୩ ଲକ୍ଷ ୨୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଜିମ୍‍ନାଷ୍ଟଙ୍କୁ ଟପ୍‍ ଯୋଜନାରୁ ୨୧ ଲକ୍ଷ ୭୬ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏସୀୟ କ୍ରୀଡ଼ାରେ ଭାଗନେବା ଲାଗି ପ୍ରସ୍ତୁତ ହେବା ପାଇଁ ଟେନିସ ଖେଳାଳି ରାମକୁମାର ରାମନାଥନ୍‍ଙ୍କୁ ୧୨ ଲକ୍ଷ ୫୭ ହଜାର ଟଙ୍କା ଅନୁଦାନ ମିଳିଛି।

Leave A Reply