ବିପର୍ଯ୍ୟୟ ଘଟାଇଲା ଫ୍ରାନ୍ସ ; ଟୁର୍ଣ୍ଣାମେଣ୍ଟରୁ ସ୍ପେନ୍ର ବିଦାୟ
ଭୁବନେଶ୍ୱର : ଚଳିତ ପୁରୁଷ ହକି ବିଶ୍ୱକପ୍ରେ ବଡ଼ ବିପର୍ଯ୍ୟୟ ଘଟାଇଛି ଫ୍ରାନ୍ସ। କଳିଙ୍ଗ ଷ୍ଟାଡିୟମ୍ରେ ଗୁରୁବାର ଆର୍ଜେଣ୍ଟିନାକୁ ୫-୩ ଗୋଲ୍ରେ ପରାସ୍ତକରି କ୍ରସ୍ଓଭର ଖେଳିବା ଲାଗି ଫ୍ରାନ୍ସ ଯୋଗ୍ୟତା ଅର୍ଜନ କରିଛି। ଆର୍ଜେଣ୍ଟିନା ପୂର୍ବରୁ ୨ଟି ମ୍ୟାଚ୍ ଜିତି କ୍ୱାର୍ଟରଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ପରେ ୪ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି ଫ୍ରାନ୍ସ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ସହ ମ୍ୟାଚ୍କୁ ୨-୨ ଗୋଲ୍ରେ ଅମୀମାଂସିତ ରଖିବା ପରେ ୧ ପଏଣ୍ଟ ପାଇଥିବା ସ୍ପେନ୍ ପ୍ରଥମ ଦଳ ଭାବେ ଚଳିତ ବିଶ୍ୱକପ୍ରୁ ବିଦାୟ ନେଇଛି। ଫ୍ରାନ୍ସ ସହ ନ୍ୟୁଜିଲାଣ୍ଡ ପୁଲ୍ ‘ଏ’ରୁ କ୍ରସ୍ଓଭର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।
ମ୍ୟାଚ୍ର ୨ୟ କ୍ୱାର୍ଟରରେ ୫ଟି ଗୋଲ୍ ହୋଇଥିଲା ଏବଂ ମଧ୍ୟାନ୍ତର ସୁଦ୍ଧା ଫ୍ରାନ୍ସ ୪-୧ ଗୋଲ୍ରେ ଆଗୁଆ ରହିଥିଲା। ୧୮ ମିନିଟରେ ଫ୍ରାନ୍ସ ଅଧିନାୟକ ହ୍ୟୁଗୋ ଜିନେଷ୍ଟେଟ୍ ପ୍ରଥମ ଗୋଲ୍ ଦେଇଥିଲେ। ୨୩ ମିନିଟରେ ଭିକ୍ଟର ସାର୍ଲେଟ୍, ୨୬ ମିନିଟରେ ଆରିଷ୍ଟାଇଡ୍ କୋଇଜନ୍ ଓ ୩୦ ମିନିଟରେ ଗାସ୍ପାର୍ଡ ବୁମ୍ଗାର୍ଟେନ୍ ଫ୍ରାନ୍ସ ପାଇଁ ଆଉ ୩ଟି ଗୋଲ୍ ଦେଇଥିଲେ। ୨୮ ମିନିଟରେ ଆର୍ଜେଣ୍ଟିନାର ଲ୍ୟୁକାସ୍ ମାର୍ଟିନେଜ୍ ଗୋଟିଏ ଗୋଲ୍ ଦେଇଥିଲେ। ୪୪ ଓ ୪୮ ମିନିଟରେ ଗୋଞ୍ଜାଲୋ ପେଇଲାଟ୍ ୨ଟି ଗୋଲ୍ ଦେଇଥିଲେ। ୫୪ ମିନିଟରେ ଫ୍ରାନ୍ସର ଫ୍ରାଙ୍କୋଆ ଗୋୟେଟ୍ ୫ମ ଗୋଲ୍ଦେଇ ଦଳର ବିଜୟ ନିଶ୍ଚିତ କରିଥିଲେ।
ପ୍ରଥମ ମ୍ୟାଚ୍ ମଧ୍ୟ ସଂଘର୍ଷପୂର୍ଣ୍ଣ ହୋଇଥିଲା। ସ୍ପେନ୍ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପୁଲ୍ ‘ଏ’ର ମ୍ୟାଚ୍ ୨-୨ ଗୋଲ୍ରେ ଅମୀମାଂସିତ ରହିଥିଲା। ସ୍ପେନ୍ ପ୍ରଥମାର୍ଦ୍ଧରେ ୨-୦ ଗୋଲ୍ରେ ଆଗୁଆ ଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ନ୍ୟୁଜିଲାଣ୍ଡ ଉଭୟ ଗୋଲ୍ ସୁଝାଇ ଦେଇଥିଲା। ସ୍ପେନ୍ ପାଇଁ ୯ ମିନିଟରେ ଆଲବର୍ଟ ବେଲ୍ଟ୍ରାନ୍ ଓ ୨୭ ମିନିଟରେ ଆଲ୍ଭାରୋ ଇଗ୍ଲେସିଆସ୍ ଗୋଲ୍ ସ୍କୋର୍ କରିଥିଲେ। ୫୦ ମିନିଟରେ ହେଡେନ୍ ଫିଲିପ୍ସ ଓ ୫୬ ମିନିଟରେ କେନ୍ ରସେଲ ନ୍ୟୁଜିଲାଣ୍ଡ ପାଇଁ ଗୋଲ୍ ସ୍କୋର୍ କରିଥିଲେ।