ଭୁଲ୍‍ ଭାରତୀୟ ଜାତୀୟ ପତାକା ପ୍ରଦର୍ଶନ କଲା ଏଫଆଇଏଚ୍‍

0

ନୂଆଦିଲ୍ଲୀ : ଲଣ୍ଡନରେ ଆସନ୍ତା ଶନିବାରରୁ ଆରମ୍ଭ ହେବାକୁ ଯାଉଛି ମହିଳା ବିଶ୍ୱକପ୍‍ ହକି ଟୁର୍ଣ୍ଣାମେଣ୍ଟ। ଏହି ପ୍ରତିଯୋଗିତା ଆୟୋଜନ କରୁଥିବା ବିଶ୍ୱ ହକି ମହାସଂଘ (ଏଫଆଇଏଚ୍‍) ଭାରତୀୟ ଜାତୀୟ ପତାକା ପ୍ରଦର୍ଶନ କରାଯିବା ସମୟରେ ଏକ ବଡ଼ ଭୁଲ୍‍ କରିଥିବା ଦେଖିବାକୁ ମିଳିଥିଲା। ବିଶ୍ୱକପ୍‍ ଆୟୋଜନ ପୂର୍ବରୁ ଏଫଆଇଏଚ୍‍ ତରଫରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦଳର ଅଧିନାୟିକା ସେମାନଙ୍କ ଜାତୀୟ ପତାକା ଧରି ଫଟୋ ଉଠାଇଥିଲେ। ଭାରତୀୟ ଦଳର ଅଧିନାୟିକା ରାଣୀ ରାମପାଲ୍‍ ଯେଉଁ ଜାତୀୟ ପତାକା ଧରିଥିଲେ ସେଥିରେ ଅଶୋକଚକ୍ର ନ ଥିବା ଦେଖିବାକୁ ମିଳିଥିଲା। ଏହି ଚିତ୍ର ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ଭାରତୀୟ ପ୍ରଶଂସକ ମହଲର ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଭାରତୀୟ ଖେଳାଳି ଓ ଅଫିସିଆଲ୍‍ ଏ ସଂପର୍କରେ ଏଫ୍‍ଆଇଏଚର ଦୃଷ୍ଟି ଆକର୍ଷଣ କରିଛନ୍ତି କି ନାହିଁ ତାହା ଜଣାପଡ଼ି ନାହିଁ। ହକି ବିଶ୍ୱକପ୍‍ରେ ଭାରତୀୟ ଦଳ ପ୍ରଥମ ମ୍ୟାଚ୍‍ ଆସନ୍ତା ୨୧ରେ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ଥିବା ବେଳେ ୨୬ରେ ଆୟର୍ଲାଣ୍ଡ ଓ ୨୯ରେ ଆମେରିକା ବିପକ୍ଷରେ ଖେଳିବ। ଭାରତୀୟ ଦଳ ୭ମ ଥର ନିମନ୍ତେ ବିଶ୍ୱକପ୍‍ରେ ଭାଗ ନେବାକୁ ଯାଉଛି। ୧୯୭୪ ମହିଳା ବିଶ୍ୱକପ୍‍ରେ ଦଳ ୪ର୍ଥ ସ୍ଥାନରେ ରହିଥିଲା, ଯାହାକି ବର୍ତ୍ତମାନ ସୁଦ୍ଧା ଦଳର ଶ୍ରେଷ୍ଠ ପ୍ରଦର୍ଶନ।

Leave A Reply