ଭୁବନେଶ୍ବର/ହୀରାକୁଦ: ଲଘୁଚାପ ପ୍ରଭାବରେ ମହାନଦୀ ଉପର ମୁଣ୍ଡରେ ବର୍ଷା ହୋଇଛି। ଛତିଶଗଡ଼ ଏବଂ ମଧ୍ୟପ୍ରବେଶ ଆଡୁ ବନ୍ୟାପାଣି ମାଡ଼ି ଆସୁଛି। ଫଳସ୍ବରୂପ ହୀରାକୁଦ ଜଳ ଭଣ୍ଡାରକୁ ଅଧିକ ଜଳ ପ୍ରବାହ କରୁଛି। ଜଳ ଭଣ୍ଡାର ଫୁଲୁଛି। ହୀରାକୁଦ ଜଳ ଭଣ୍ଡାରର ୨୪ଟି ଫାଟକ ଖୋଲିଛି। ମହାନଦୀରେ ଜଳସ୍ତର ବଢ଼ୁଛି। ଦୁଇଦିନ ପରେ ମୁଣ୍ଡଳିରେ ବନ୍ୟାଜଳ ପ୍ରାୟ ୫ଲକ୍ଷ କ୍ୟୁସେକ୍ ଛୁଇଁବ; କିନ୍ତୁ ମହାନଦୀରେ ବନ୍ୟା ଆସିବ ନାହିଁ। ମୁଣ୍ଡଳିରେ ୫ଲକ୍ଷ କ୍ୟୁସେକ୍ ଜଳ ଛୁଇଁଲେ ବନ୍ୟା ଆସେନାହିଁ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି। ଉପରମୁଣ୍ଡରେ ପ୍ରବଳ ବର୍ଷା ପରିପ୍ରେକ୍ଷୀରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପରିଲକ୍ଷିତ ହୋଇଛି। ଆଜି ରାତି ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୬.୫୬ ଫୁଟ ରେକର୍ଡ଼ କରାଯାଇଛି। ସୂଚିତ ଯେ, ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ। ସେହିପରି ଛତିଶଗଡ଼ କଲମା ବ୍ୟାରେଜର ଗେଟ୍ ଖୋଲାଯାଇଥିବା ଜଣାପଡିଛି। ତେଣୁ ପୂର୍ଣ୍ଣଗର୍ଭା ମୁହାଁ ହେଉଥିବା ହୀରାକୁଦ ଜଳଭଣ୍ଡାରରେ ଆଜି ଦିନ ପ୍ରାୟ ୨ଟାବେଳେ ଅତିରିକ୍ତ ୪ଟି ଗେଟ୍ ସହ ମୋଟ୍ ୨୪ଟି (ବାମ ପାର୍ଶ୍ବର ୧୬ ଓ ଡାହାଣ ପାର୍ଶ୍ବର ୮ଟି) ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି।
ଗଣମାଧ୍ୟମକୁ ଶ୍ରୀ ପାଢ଼ୀ କହିଥିଲେ, ଗତକାଲି ରାଜ୍ୟର ୧୫ଟି ବ୍ଲକ ମୁଖ୍ୟାଳୟରେ ୫୦ମି.ମି.ରୁ ଅଧିକ ବର୍ଷା ରେକର୍ଡ ହୋଇଛି। ପଦ୍ମପୁର, ମୋରଡ଼ା, ଜଗନ୍ନାଥପ୍ରସାଦ, ଭଣ୍ଡାରିପୋଖରୀ, ବିଜେପୁର, ଧାମନଗର, ବାହାନଗା, ଅମ୍ବାବନା, ସୋର, ଶୂଳିଆପଦା, ବେତନଟୀ, ଭଟଲି, ଲଖନପୁର, କୋଟଗଡ଼ ଏବଂ ସମ୍ବଲପୁରରେ ବର୍ଷା ହେତୁ ବିଭିନ୍ନ ନଦୀନାଳରେ ଜଳସ୍ତର ବଢ଼ିବାରେ ଲାଗିଛି। ପଦ୍ମପୁରରେ ସବୁଠୁ ଅଧିକ ୮୮ମି.ମି. ବର୍ଷା ରେକର୍ଡ ହୋଇଛି। ମହାନଦୀ ଉପର ମୁଣ୍ଡରେ ୧୯ମି.ମି. ବର୍ଷା ହୋଇଥିବା ବେଳେ ହୀରାକୁଦରୁ ଖଇରମାଳ ଭିତରେ ୨୨.୨୯ମି.ମି.ବର୍ଷା ହୋଇଛି।
ଅଙ୍ଗ ଏବଂ ଜିରା ନଦୀ ଅବବାହିକାରେ ଅଧିକ ବର୍ଷା ହୋଇଛି। ବାକି ସ୍ଥାନଗୁଡ଼ିକରେ ବିଶେଷ ବର୍ଷାର ସୂଚନା ନାହିଁ। ବୁଢ଼ାବଳଙ୍ଗ ଅବବାହିକାରେ ୨୨ମି.ମି. ବର୍ଷା ହୋଇଛି। ଜଳକାକୁ ଛାଡ଼ି ଦେଲେ ଅନ୍ୟ କୌଣସି ନଦୀରେ ବନ୍ୟା ସ୍ଥିତିନାହିଁ। ଗତକାଲି ବୈତରଣୀ ବିପଦ ସେଙ୍କତ ଉପରେ ପ୍ରବାହ କରୁଥିଲା। ବର୍ତ୍ତମାନ ପରିସ୍ଥିତିରେ ଖସୁଥିବାରୁ ଶନିବାର ସକାଳୁ ବିପଦ ସଙ୍କେତ ତଳକୁ ଆସିବ। ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରରେ ୬୨୬.୫୮ଫୁଟ ଜଳ ରହିଛି। ଏହାର ଜଳ ଧାରଣା କ୍ଷମତା ୬୩୦ଫୁଟ। ଉପର ମୁଣ୍ଡରୁ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୯୯ ହଜାର ୨୯୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୨୪ଟି ଫାଟକ, ପାୱାର ଚ୍ୟାନେଲ ଏବଂ କେନାଲ ଗୁଡ଼ିକ ଦେଇ ୪ଲକ୍ଷ ୨୪ହଜାର ୭୦୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଖଇରମାଳରେ ୪ ଲକ୍ଷ ୧୮ହଜାର କ୍ୟୁସେକ୍ ଜଳ ପ୍ରବାହ କରୁଥିବାବେଳେ ବରମୂଳରେ ୩ଲକ୍ଷ ୧୧ ହଜାର ଏବଂ ମୁଣ୍ଡଳିରେ ୧ ଲକ୍ଷ ୯୬ ହଜାର ୦୨୬କ୍ୟୁସେକ୍ ଜଳ ପ୍ରବାହ କରୁଛି। ହୀରାକୁଦକୁ କ୍ରମାଗତ ଜଳସ୍ତର ବଢୁଥିବାରୁ ଅଧିକରୁ ଅଧିକ ଫାଟକ ଖୋଲିଛି। ଆଜି ୮ଟି ଫାଟକ ଖୋଲିଛି। ସକାଳେ ପ୍ରଥମେ ୪ଟି ଓ ପରେ ଆଉ ୪ଟି ଫାଟକ ଖୋଲାଯାଇଛି। ଏହାକୁ ମିଶାଇ ହୀରାକୁଦ ଜଳ ଭଣ୍ଡାରରୁ ୨୪ଟି ଫାଟକ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।
ଜଳକାରେ ବନ୍ୟା ଆସିଥିବାରୁ ବାଲେଶ୍ବର ଜିଲାର ବସ୍ତା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସନ୍ଧ୍ୟା ୬ଟାରେ ଜଳକା ମଥାନୀରେ ବିପଦ ସଙ୍କେତ ୬.୫ମିଟର ଥିବାବେଳେ ୬.୭୨ମିଟରରେ ପ୍ରବାହ କରୁଛି। ବୁଢ଼ାବଳଙ୍ଗର ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି।
ଲଘୁଚାପଜନିତ ଲଗାଣ ବର୍ଷା କାରଣରୁ ଉଭୟ ନଦୀର ଜଳସ୍ତର ବଢୁଛି। ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀରେ ଜଳସ୍ତର ମଧ୍ୟ ଅଧିକ ରହିଛି। ରାଜଘାଟରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ୭.୫୬ମିଟରରେ ପ୍ରବାହ କରୁଛି। ଅନୁରୂପ ଭାବେ ଜାମଶୋଳାଘାଟରେ ବିପଦ ସଙ୍କେତ ୪୯.୧୬ ମିଟର ଥିବାବେଳେ ୪୬.୧୬ ମିଟରରେ ପ୍ରବାହିତ ହେଉଛି। ରାଜଘାଟରେ ସୁବର୍ଣ୍ଣରେଖା ବଢ଼ୁଥିବାବେଳେ ଜାମଶୋଳାଘାଟରେ ସ୍ଥିର ରହିଛି। ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ୧୭.୮୬ ମିଟରରେ ପ୍ରବାହିତ କରୁଛି। ଆନନ୍ଦପୁରରେ ବିପଦ ସଙ୍କେତ ୩୮.୩୩ ମିଟର ଥିବାସ୍ଥଳେ ୩୫.୪୬ ମିଟରରେ ନିଷ୍କାସିତ ହେଉଛି। ଉଭୟ ଆଖୁଆପଦା ଏବଂ ଆନନ୍ଦପୁରରେ ବୈତରଣୀ ଖସୁଥିବା ଜଳସମ୍ପଦ ବିଭାଗ କହୁଛି। ଜେନାପୁରଠାରେ ବ୍ରାହ୍ମଣୀର ବିପଦ ସଙ୍କେତ ୨୩ ମିଟର ରହିଛି। ଏଠାରେ ୨୧.୩୬ ମିଟରରେ ବନ୍ୟାଜଳ ପ୍ରବାହିତ କରୁଛି। ପାନପୋଷରେ ବିପଦ ସଙ୍କେତ ୧୭୮.୪୨ ମିଟର ଥିବାବେଳେ ୧୭୪.୮୬ ମିଟରରେ ବନ୍ୟାଜଳ ଚାଲିଛି। ବ୍ରାହ୍ମଣୀ ଜେନାପୁର ଏବଂ ପାନପୋଷରେ ବଢ଼ୁଥିବା ଜଣାପଡ଼ିଛି। ରେଙ୍ଗାଲି ଜଳ ଭଣ୍ଡାରରୁ ୨ଟି ଫାଟକ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।
ହୀରାକୁଦର ୨୪ ଫାଟକରୁ ବନ୍ୟାଜଳ ନିଷ୍କାସନ, ମହାନଦୀ ତଳିଆ ଅଞ୍ଚଳକୁ ବିପତ୍ତି
Popular Categories



