କଟକ : ହେମୋଫିଲିଆ ହେଉଛି ଏକ ରକ୍ତଜନିତ ରୋଗ। ଏହି ରୋଗ ହେଲେ ରକ୍ତ ସହଜରେ ଜମାଟ ବାନ୍ଧିନଥାଏ। କାରଣ ହେମୋଫିଲିଆରେ ଜଣେ ଆକ୍ରାନ୍ତ ହେଲେ ରକ୍ତ ଜମାଟ ବାନ୍ଧିବା ପାଇଁ ଆବଶ୍ୟକ ହେଉ ଥିବା ପ୍ରୋଟିନ୍ କ୍ଷରଣ ବାଧାପ୍ରାପ୍ତ ହୋଇଥାଏ। ଏବେ ରାଜ୍ୟରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ ସମ୍ପ୍ରତି ହିମୋଫିଲିଆ ରୋଗୀଙ୍କ ସଂଖ୍ୟା ୧୦୦୦ରୁ ୧୨୦୦ ମଧ୍ୟରେ ରହିଛି। ତନ୍ମଧ୍ୟରୁ କଟକ ଜିଲାରେ ସର୍ବାଧିକ ରୋଗୀ ରହିଛନ୍ତି। କଟକରେ ହିମୋଫିଲିଆ ରୋଗୀଙ୍କ ସଂଖ୍ୟା ୫୦୦ରୁ ଅଧିକ। ଏହି ରୋଗୀଙ୍କ ଚିକିତ୍ସା ପାଇଁ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (ଏସସିବି ଏମ୍ସିଏଚ୍) ହେମାଟୋଲୋଜି ବିଭାଗରେ ହିମୋଫିଲିଆ ଟ୍ରିଟମେଣ୍ଟ ସେଣ୍ଟର (ଏଚ୍ଟିସି) ସଫଳତାର ସହ କାର୍ଯ୍ୟ କରୁଛି। ଉକ୍ତ ସେଣ୍ଟର କାର୍ଯ୍ୟକ୍ଷମ ହେବାକୁ ୪ବର୍ଷ ପୂରଣ ହେଲାଣି। ୱାର୍ଲଡ ହିମୋଫିଲିଆ ଫେଡେରେସନ(ଡବ୍ଲ୍ୟୁଏଫଏଚ୍)ର ସହଯୋଗରେ ୨୦୧୯ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏସସିବି ଏମ୍ସିଏଚ୍ର ଏଚ୍ଟିସି ସହିତ ଅନୁବନ୍ଧିତ ହୋଇଥିଲେ। ଏସସିବି ଏମ୍ସିଏଚ୍ ଡାକ୍ତର, ନର୍ସିଂ ଅଫିସର, ଲାବ୍ରୋଟୋରୀ ଟେକ୍ନିସିଆନ, ଫିଜିଓଥେରାପିଷ୍ଟ, ପାରାମେଡିକାଲ ଷ୍ଟାଫଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଯାହା ହିମୋଫିଲିଆ ରୋଗୀଙ୍କ ଚିକିତ୍ସା ପଦ୍ଧତିକୁ ଉନ୍ନତମାନର କରି ପାରିଛି ବୋଲି ହେମାଟୋଲୋଜି ବିଭାଗ ଡାକ୍ତର ରବୀନ୍ଦ୍ର କୁମାର ଜେନା କହିଛନ୍ତି। ହେମୋଟୋଲୋଜି ବିଭାଗ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନାଙ୍କ କହିବା ମୁତାବକ, ୨୦୧୪-୧୫ ମସିହାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। କେବଳ ହିମୋଫିଲିଆ ରୋଗୀଙ୍କ ନିମନ୍ତେ ଉଦ୍ଦିଷ୍ଟ ୩.୫ କୋଟି ଟଙ୍କାର ଔଷଧ କିଣାଯାଇଥିଲା। ସେବେଠାରୁ ରାଜ୍ୟରେ ହିମୋଫିଲିଆ ରୋଗୀଙ୍କ ପାଇଁ ନିଃଶୁଳ୍କରେ ଔଷଧ ପ୍ରଦାନ କରାଯାଉଛି। ହେମାଟୋଲୋଜି ବିଭାଗରେ ସ୍ୱତନ୍ତ୍ର ଭାବେ ୨୦ ଶଯ୍ୟା ହିମୋଫିଲିଆ ରୋଗୀଙ୍କ ପାଇଁ ମହଜୁଦ ରଖାଯାଇଛି। ଡାକ୍ତରଙ୍କ ସହ ନିୟମିତ ପରାମର୍ଶ ଗ୍ରହଣ କଲେ ଏଭଳି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଅଧିକ ଦିନ ସୁସ୍ଥ ରହି ପାରିବ। ଅନେକ ଦିନ ଅନୁସନ୍ଧାନ କରିବା ପରେ ହିମୋଫିଲିଆ ରୋଗୀଙ୍କ ନିମନ୍ତେ ‘ଜିନ୍ ଥେରାପି’ ଚିକିତ୍ସା ଫଳପ୍ରଦ ବୋଲି ବିଶ୍ୱର ବରିଷ୍ଠ ଡାକ୍ତରମାନେ କହିଛନ୍ତି। ଜିନ୍ ଥେରାପୀ ସଫଳ ମଧ୍ୟ ହେଉଛି। ହେଲେ ଏହି ଚିକିତ୍ସା ପଦ୍ଧତ୍ତି ବ୍ୟୟବହୁଳ। ଯେଉଁଥିପାଇଁ ଭାରତରେ ଏହା ଆରମ୍ଭ ହୋଇ ପାରିନାହିଁ ବୋଲି ସେ ଜଣାଇଛନ୍ତି।
ସାଧାରଣତଃ ହିମୋଫିଲିଆକୁ ତିନି ଭାଗରେ ବିଭକ୍ତ କରାଯାଇଛି । ଯଥା ହେମୋଫିଲିଆ-ଏ, ହେମୋଫିଲିଆ-ବି ଓ ସି । ବର୍ତ୍ତମାନ ଦେଖା ଯାଉଥିବା ହେମୋଫିଲିଆ ରୋଗୀଙ୍କ ମଧ୍ୟରେ ପ୍ରାୟ ୭୦ ଭାଗ ଟାଇପ୍-ଏ ବର୍ଗର । ରକ୍ତରେ ‘ଥ୍ରୋମ୍ବୋପ୍ଲାଷ୍ଟିନ୍’ ନାମକ ଉପାଦନ କମ୍ ହେଲେ ହିମୋଫିଲିଆ ବା ରକ୍ତସ୍ରାବ ନାମକ ରୋଗ ହୋଇଥାଏ । ଏହା ଏକ ଆନୁବଂଶିକ ରୋଗ । ଏହି ରୋଗର ଶିକାର ହେଉଥିବା ରୋଗୀ ଶରୀରର ବାହ୍ୟ ଅଂଶରେ ରକ୍ତ ବାହାରିଲେ ତାହା ସହଜରେ ଜମାଟ ବାନ୍ଧି ନଥାଏ` ଫଳରେ ରୋଗୀ ଶରୀରରେ ଥରେ କ୍ଷତ କିମ୍ବା ଚୋଟ ସୃଷ୍ଟି ହେଲେ ରକ୍ତସ୍ରାବ କମିନଥାଏ । ଏହାଦ୍ୱାରା ରୋଗୀ ରକ୍ତ ହରାଇ ଦୁର୍ବଳ ହୋଇ ପଡ଼ିଥାଏ` ଶରୀରରେ ନୀଳ ଦାଗ ଦେଖାଦେବା, ନାକ ଓ ଆଖିରୁ ରକ୍ତ ବାହାରିବା ଏହି ରୋଗର ଲକ୍ଷଣ। ମହିଳାଙ୍କ ତୁଳନାରେ ଅଧିକ ମାତ୍ରାରେ ପୁରୁଷ ଏଭଳି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ମହିଳାଙ୍କ ଶରୀରରେ ହିମୋଫିଲିଆ ରୋଗ କ୍ୱଚିତ ଚିହ୍ନଟ ହୋଇଥାଏ।
ଆଜି ବିଶ୍ୱ ହିମୋଫିଲିଆ ଦିବସ: କଟକରେ ସର୍ବାଧିକ ରୋଗୀ
Popular Categories



