ଡେସ୍କ: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ସରଗରମ ହୋଇଛି। ସମସ୍ତ ଦଳର ନେତାମାନେ ମତଦାତାମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ଲାଗି ଚେଷ୍ଟା କରୁଛନ୍ତି। ଆସନ୍ତାକାଲି ସନ୍ଧ୍ୟାରେ ସେଠାରେ ନିର୍ବାଚନ ପ୍ରଚାର ଶେଷ ହେବ। ୬୮ ଆସନ ବିଶିଷ୍ଟ ହିମାଚଳ ବିଧାନସଭାରେ ୧୭ଟି ଆସନ ତଫସିଲଭୁକ୍ତ ଜାତି ଏବଂ ୩ଟି ଆସନ ତଫସିଲଭୁକ୍ତ ଉପଜାତି ପାଇଁ ସଂରକ୍ଷିତ ରହିଥିବା ବେଳେ ଆସନ୍ତା ୧୨ ତାରିଖରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ।
ସେଠାରେ ମୁଖ୍ୟତଃ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳ ସବୁ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଆମ୍ ଆଦମୀ ପାର୍ଟି ୬୭ଟି, ବହୁଜନ ସମାଜ ପାର୍ଟି ୫୩ଟି, ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ୧୧ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗୋଟିଏ ଆସନରେ ପ୍ରାର୍ଥୀ ଦେଇଛନ୍ତି। ଏମାନଙ୍କୁ ଛାଡ଼ି ୪୫ଟି ଆସନରେ ୯୯ଜଣ ନିର୍ଦଳୀୟ ପ୍ରାର୍ଥୀମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। ବିଜେପିର ପ୍ରମୁଖ ପ୍ରତିଯୋଗୀ ଭାବରେ ଜୟରାମ ଠାକୁର, ସୁରେଶ ଭରଦ୍ୱାଜ, ଗୋବିନ୍ଦ ଠାକୁର, ବିକ୍ରମ ଠାକୁର ପ୍ରମୁଖ ଥିବା ବେଳେ କଂଗ୍ରେସର ବିକ୍ରମାଦିତ୍ୟ, ମୁକେଶ ଅଗ୍ନିହୋତ୍ରୀ, ରାମଲଲା ଠାକୁର ପ୍ରମୁଖ ପ୍ରତିଯୋଗୀ ଅଛନ୍ତି। ତେବେ ଚମ୍ବା, କାଙ୍ଗଡ଼ା, କୁଲୁ, ମଣ୍ଡି, ହମୀରପୁର, ସୋଲନ୍, ସିମ୍ଲା, ଉନା, ବିଳାସପୁର ଏବଂ ସିରମୌରରେ ଅଧିକ ସଂଖ୍ୟକ ପ୍ରାର୍ଥୀ ଥିବା ବେଳେ ଲାହୋର- ସପୋତି ଏବଂ କିନୌରରେ କମ୍ ସଂଖ୍ୟକ ପ୍ରାର୍ଥୀ ରହିଛନ୍ତି। ନିର୍ବାଚନ ଆୟୋଗଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୭ ହଜାର ୮୮୧ଟି ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ କରାଯିବ।



