ଉଚ୍ଚ ଶିକ୍ଷା ସ୍ଥିତି ଦୟନୀୟ

ଭୁବନେଶ୍ବର : ରାଜ୍ୟ ସରକାର ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ବ ଦେଉଛନ୍ତି। ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ଏବଂ ବୈଷୟିକ ଶିକ୍ଷାରେ ତାଲିମ, ପ୍ରଶିକ୍ଷଣ ଦିଗରେ ପାଣ୍ଠି ବିନିଯୋଗ ମଧ୍ୟ ବଢ଼ିଛି। ମାତ୍ର ବାସ୍ତବ କଥା ହେଲା ରାଜ୍ୟରେ ଉଚ୍ଚଶିକ୍ଷା ଖୁବ୍‌ ଦୟନୀୟ ସ୍ଥିତି ଦେଇ ଗତି କରୁଛି । ବିଡ଼ମ୍ବନାର ବିଷୟ ହେଲା ରାଜ୍ୟରେ ଶିକ୍ଷକ ସଂକଟ ଏବେ ଚରମ ସୀମାରେ ପହଞ୍ଚିଛି। ନିୟମିତ ବା ସ୍ଥାୟୀ ଅଧ୍ୟାପକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ପ୍ରମୁଖ ସ୍ବୟଂଶାସିତ ମହାବିଦ୍ୟାଳୟଠାରୁ ଅାରମ୍ଭ କରି ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଏବଂ ପ୍ରାୟ ସମସ୍ତ ବିଶ୍ବବିଦ୍ୟାଳୟରେ ଅର୍ଦ୍ଧାଧିକ ଶିକ୍ଷକ ପଦ ଖାଲିପଡ଼ିଛି। ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଅଳ୍ପଦିନ ବାକି ଥିବାବେଳେ ଏବେ ବିଭିନ୍ନ ବିଶ୍ବବିଦ୍ୟାଳୟ ଏବଂ କଲେଜ କର୍ତ୍ତୃପକ୍ଷ ପାଠ ପଢ଼ାଇବା ପାଇଁ ବିକଳ୍ପ ବ୍ୟବସ୍ଥା ଅତିଥି ଅଧ୍ୟାପକ ନିଯୁକ୍ତି ଦିଗରେ ତତ୍ପର ହେଲେଣି। ରାଜ୍ୟରେ କଲେଜ ସଂଖ୍ୟା ପ୍ରାୟ ୧୨୭୫। ସେଥିମଧ୍ୟରୁ ସରକାରୀ ଡିଗ୍ରୀ କଲେଜ ସଂଖ୍ୟା ୪୪। ଯୁକ୍ତ ତିନି ସରକାରୀ କଲେଜଗୁଡ଼ିକରେ ଖାଲିଥିବା ଶିକ୍ଷକ ପଦ ସଂଖ୍ୟା ୮୦୦ରୁ ଅଧିକ। ବିଶ୍ବବିଦ୍ୟାଳୟଗୁଡ଼ିକରେ ଶହଶହ ପଦ ଖାଲିପଡ଼ିଥିଲେ ହେଁ ସେଗୁଡ଼ିକୁ ବର୍ଷବର୍ଷ ଧରି ପୂରଣ କରାଯାଉ ନାହିଁ। ସରକାରୀ ସାହାଯ୍ୟପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଗୁଡ଼ିକରେ ସହସ୍ରାଧିକ ପଦ ଖାଲିପଡ଼ିଛି। ଷ୍ଟାଫ ସିଲେକ୍ସନ ବୋର୍ଡ (ଏସଏସବି) ଜରିଆରେ ଅଧ୍ୟାପକ ପଦ ପୂରଣ ପ୍ରକ୍ରିୟା ସତ୍ତ୍ବେ ଖାଲିପଦ ପୂରଣ ସମ୍ଭବ ହେଉନାହିଁ। ସର୍ବୋପରି ରାଜ୍ୟର ସାମଗ୍ରିକ ଭାବେ କଲେଜଗୁଡ଼ିକରେ ମୋଟ ଶିକ୍ଷକ ପଦର ୫୦% ଖାଲିପଡ଼ିଛି। ଉଭୟ ସରକାରୀ ଓ ବେସରକାରୀ କଲେଜରେ ସହସ୍ରାଧିକ ଅଣଶିକ୍ଷକ ପଦ ବି ଖାଲି ପଡ଼ିଛି।
ଯୁକ୍ତ ତିନିରୁ ଯୁକ୍ତ ଦୁଇ ପୃଥକ୍‌ କରିବା ପ୍ରକ୍ରିୟା ୨୦୧୬ରୁ ଆରମ୍ଭ ହେଲାଣି; କିନ୍ତୁ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରୁନାହିଁ। ରାଜ୍ୟ ସରକାର ଇତିମଧ୍ୟରେ କିଛି ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ରୂପାନ୍ତର କଲେଣି। ମାତ୍ର ସେସବୁ କଲେଜର ଭିତ୍ତିଭୂମି ବିକାଶ ପ୍ରତି ସରକାର ଅର୍ଥ ଖର୍ଚ୍ଚ କରୁଥିବାବେଳେ ପାଠ ପଢ଼ାଇବାକୁ ଶିକ୍ଷକ ନଥିବା ସତ୍ତ୍ବେ ସେ ଦିଗରେ ଧ୍ୟାନ ଦେଉନାହାନ୍ତି। ଏସବୁ କଲେଜରେ କର୍ମଚାରୀଙ୍କ ଉପସ୍ଥିତି ଖୁବ୍‌ ଦୟନୀୟ। ଉଦ୍‌ବେଗର ବିଷୟ ହେଲା ବୃହତ୍‌, ନାମୀଦାମୀ କଲେଜରେ ପୂର୍ବରୁ ପାଠପଢ଼ା, ଗବେଷଣା ଦିଗରେ ଯେତେ ଗୁରୁତ୍ବ ଦିଆଯାଉଥିଲା ତାହା ଏବେ ପ୍ରାୟ ଲକ୍ଷ୍ୟ କରାଯାଉନାହିଁ। ଉଚ୍ଚଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାପାଇଁ କିଛିବର୍ଷ ତଳେ ଗଠନ ହୋଇଥିବା ଉଚ୍ଚଶିକ୍ଷା ଆୟୋଗ କି ସୁପାରିସ କଲା ଏବଂ ସରକାର ସେ ଦିଗରେ କି ପଦକ୍ଷେପ ନେଲେ ତାହା କେହି ଜାଣିପାରିଲେ ନାହିଁ।
ଏପରି କି ଜାତୀୟ ସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ନୂଆ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା, ଏହାର ଭଲମନ୍ଦ ଦିଗ ବିଚାର କରି ଚୂଡ଼ାନ୍ତ ପଦକ୍ଷେପ ନେବା ମଧ୍ୟ ଏ ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ। ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ନୂଆ ଶିକ୍ଷାନୀତି ଉପରେ ଏ ପର୍ଯ୍ୟନ୍ତ କିଛି ଠୋସ ନିଷ୍ପତ୍ତି ନେଇପାରି ନାହାନ୍ତି।
ବିଶେଷକରି ଆଗକୁ ନୂଆ ଶିକ୍ଷାବର୍ଷ ଆସୁଥିବାରୁ ଶିକ୍ଷକ ଅଭାବ ଏବେ କଲେଜ ଆଗରେ ପ୍ରମୁଖ ସମସ୍ୟା। ସେଥିପାଇଁ ଏବେ କଲେଜଗୁଡ଼ିକ ପକ୍ଷରୁ ଅତିଥି ଅଧ୍ୟାପକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ବାହାରୁଛି। ଅତିଥି ଅଧ୍ୟାପକରେ ଉଚ୍ଚଶିକ୍ଷାରେ ଗୁଣାତ୍ମକ ଦିଗ ଆଶା କରିବା ଆକାଶ କଇଁଆ ଭଳି। କାରଣ ଯେଉଁ ପ୍ରାର୍ଥୀମାନେ ଅତିଥି ଅଧ୍ୟାପକ ଭାବେ ପାଠ ପଢ଼ାଇବାକୁ ଆସିବେ ସେମାନଙ୍କୁ ଶ୍ରେଣୀ ପିଛା ପଇସା ଦିଆଯିବ। ତେଣୁ ପଇସାକୁ ଦେଖି ସେମାନେ ପାଠ ପଢ଼ାଇବେ। ଏଥିରେ ପିଲାଙ୍କ ଶିକ୍ଷାର ମାନଦଣ୍ଡ ବଢ଼ାଇବାର ଉତ୍ତରଦାୟିତ୍ବ ସେମାନଙ୍କ ଉପରେ ଧାର୍ଯ୍ୟ କରାଯାଇ ପାରିବ ନାହିଁ। ତେଣୁ ପରୀକ୍ଷା ସମୟ ଆସିଗଲେ ଛାତ୍ରଛାତ୍ରୀ ସେମାନଙ୍କର ପାଠପଢ଼ା ବିଷୟ ନେଇ ରହିଥିବା ଦ୍ବନ୍ଦ୍ବ ଦୂର କରିବାର ଉପାୟ ନାହିଁ। ଏହାଛଡ଼ା ଅତିଥି ଅଧ୍ୟାପକଙ୍କୁ ଶ୍ରେଣୀ ପିଛା, ଦୈନିକ ବା ମାସିକ ହିସାବରେ ଯେଉଁ ପାରିଶ୍ରମିକ ଦିଆଯିବ ସେମାନେ ସେ ଅର୍ଥକୁ ଦୃଷ୍ଟିରେ ରଖି ପାଠ ପଢ଼ାଇବେ। ଏଥିରେ ନା ସେମାନେ ସନ୍ତୁଷ୍ଟ ହେବେ ନା କଲେଜ ପିଲା ପାଠପଢ଼ାରୁ ଉପକୃତ ହେବେ। ଏ ଦୃଷ୍ଟିରୁ ଏବେ କଲେଜଗୁଡ଼ିକରେ ଗୁଣାତ୍ମକ ଶିକ୍ଷାରେ କେତେ ସୁଧାର ଆସିବ ତାହା ସହଜରେ ଅନୁମେୟ।
ଉଚ୍ଚଶିକ୍ଷା ବ୍ୟବସ୍ଥାର ଏ ବିପର୍ଯ୍ୟୟ ସ୍ଥିତିକୁ ନେଇ ଶିକ୍ଷାବିତ୍‌ ଉଦ୍‌ବେଗ ପ୍ରକାଶ କଲେଣି। (ଜଏଣ୍ଟ ଫୋରମ୍‌ ଫର ମୁଭମେଣ୍ଟ ଅଫ୍‌ ଏଜୁକେସନ) ଜେଏଫଏମଇ ଶିକ୍ଷକ ସଂଗଠନର ଆବାହକ ଅମିୟ ମହାନ୍ତି କହିଛନ୍ତି ଉଚ୍ଚଶିକ୍ଷା ଏବେ ପ୍ରାୟ ଦିଶାହୀନ ହୋଇପଡ଼ିଛି। ସରକାରଙ୍କ ନୂତନ ଶିକ୍ଷାନୀତି ଉପରେ ସ୍ପଷ୍ଟ ଆଭିମୁଖ୍ୟ ନାହିଁ। ସେହିପରି ସରକାରୀ କଲେଜ ଶିକ୍ଷକ ସଂଘ କାର୍ଯ୍ୟକର୍ତ୍ତା ମାନସ ବେହେରା କହିଛନ୍ତି ଯେ ଶିକ୍ଷକ ମରୁଡ଼ି ଗୁଣାତ୍ମକ ଶିକ୍ଷାର ବିକାଶ କ୍ଷେତ୍ରରେ ଏକ ଗୁରୁତର ସମସ୍ୟା। ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତ ମାମଲା ନ୍ୟାୟାଳୟରେ ବିଚାରଧୀନ ଥିବାରୁ ସେଗୁଡ଼ିକର ତ୍ବରିତ ଫଇସଲା ହେବା ଆବଶ୍ୟକ।
ସୂଚନାଯୋଗ୍ୟ ଯେ ମହାବିଦ୍ୟାଳୟଗୁଡ଼ିକରେ ଅତିଥି ଅଧ୍ୟାପକମାନଙ୍କ ଦରମା, କ୍ଲାସ ପିଛା ମିଳିଥାଏ। ମାସିକ ଏଥିପାଇଁ ସର୍ବାଧିକ ୨୫ ହଜାର ଟଙ୍କା ଥିବାବେଳେ ବିଶ୍ବବିଦ୍ୟାଳୟଗୁଡ଼ିକରେ ଏହା ମାସକୁ ସର୍ବାଧିକ ୪୫ ହଜାର ଟଙ୍କା ରଖାଯାଇଛି।
ଏବେ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ, ୪୮୮ ବର୍ଗ ଏବଂ ୬୬୨ ବର୍ଗକୁ ମିଶାଇ ମହାବିଦ୍ୟାଳୟରେ ପ୍ରାୟ ୫୦% ଅଧ୍ୟାପକ ପଦ ଖାଲିପଡ଼ିଛି। ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ୩୦%ରୁ ଅଧିକ ପଦ ଖାଲିପଡ଼ିଛି। ରାଜ୍ୟର ୧୨ଟି ସରକାରୀ ବିଶ୍ବବିଦ୍ୟାଳୟରେ ୧୦୦୦ରୁ ଊର୍ଦ୍ଧ୍ବ ଅଧ୍ୟାପକ ପଦ ଖାଲି ପଡ଼ିଥିବାବେଳେ ଉତ୍କଳରେ ୨୫୭ ମଞ୍ଜୁରପ୍ରାପ୍ତ ଶିକ୍ଷକ ପଦରୁ ୧୨୯ ଏବଂ ୯୮୦ ଅଣଶିକ୍ଷକ ପଦରୁ ୬୬୭ ପଦ ଖାଲିପଡ଼ିଛି।
୨୦୨୦ରେ ଓଡ଼ିଶା ଲୋକସେବା ଆୟୋଗ ଜରିଆରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ପାଇଁ ସରକାର ଓଡ଼ିଆ ବିଶ୍ବବିଦ୍ୟାଳୟ ଅଧିନିୟମରେ ସଂଶୋଧନ କରିଥିଲେ;। କିନ୍ତୁ କୁଳପତି ଓ ଫାକଲଟି ମନୋନୟନ କ୍ଷେତ୍ରରେ ଏହି ସଂଶୋଧନ ୟୁଜିସି ନିୟମାବଳୀ ୨୦୧୮କୁ ଉଲ୍ଲଙ୍ଘନ କରୁଥିବା ଦର୍ଶାଇ ଉଚ୍ଚ ନ୍ୟାୟାଳୟରୁ ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ମାମଲା ଯୋଗୁଁ ନିଯୁକ୍ତି ପ୍ରକ୍ରିୟା ନେଇ ଅନିଶ୍ଚିତତା ଲାଗିରହିଛି।

Comments are closed.