ଡେସ୍କ: ସୁଦାନରେ ସେନା ଏବଂ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଲଢେଇ ଯୋଗୁ ସେଠାରେ ଅଟକି ରହିଥିବା ଭାରତୀୟଙ୍କ ସୁରକ୍ଷା ନେଇ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର ଓ ବିଦେଶ ସଚିବ ବିନୟ କ୍ଵାତ୍ରା ମଧ୍ୟ ବୈଠକରେ ଆଭାସୀ ଜରିଆରେ ଉପସ୍ଥିତ ଥିଲେ। ସୁଦାନରେ ଏ ପର୍ଯ୍ୟନ୍ତ ଏହି ଲଢେଇରେ ୩୦୦ ଜଣଙ୍କ ପ୍ରାଣହାନୀ ଘଟିଛି।
ସୁଦାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବି ଏସ ମୁବାରକ, ବାୟୁସେନା ମୁଖ୍ୟ ଭି ଆର ଚୌଧୁରୀ, ନୌସେନା ମୁଖ୍ୟ ଆର ହରି କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ଏବେ ସୁଦାନରେ ଦେଖା ଦେଇଥିବା ସାମରିକ ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ସେଠାରେ ବହୁ ସଂଖ୍ୟକ ଭାରତୀୟ ଅଟକି ରହିଥିବା ଜଣାପଡିଛି। ଅନେକ ଲୋକ ରାଜଧାନୀ ଖାର୍ତୁମ ଛାଡି ଅନ୍ୟ ସହରକୁ ପଳାୟନ କରିଛନ୍ତି। ମିଳିଥିବା ରିପୋର୍ଟ ଅନୁଯାୟୀ, ଜଣେ ଭାରତୀୟଙ୍କ ସମେତ ୩୫୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ତେବେ ସେଠାକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଥିବା ଡଃ ଜୟଶଙ୍କର କହିଛନ୍ତି।



