ଭୁବନେଶ୍ବର/ବାଲେଶ୍ବର: ଲଘୁଚାପ ଦୁର୍ବଳ ହୋଇଛି; କିନ୍ତୁ ଦକ୍ଷିଣ ସହ ପଶ୍ଚିମ ଓଡ଼ିଶାରେ କେତେକ ଅଞ୍ଚଳରେ ବୁଧବାର ପ୍ରବଳ ବର୍ଷିଛି। କୋରାପୁଟ ଜିଲାରେ ତୁହାକୁ ତୁହା ପ୍ରବଳ ବର୍ଷିବା ଦ୍ବାରା ରେଳ ଲାଇନରେ ମାଟି ଅତଡ଼ା ପଡ଼ିଛି। ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଥିବାବେଳେ ବିଭିନ୍ନ ସ୍ଥାନରେ ସଡ଼କ ଧୋଇ ହୋଇ ନଷ୍ଟ ହୋଇଯାଇଥିବା ଦେଖାଯାଇଛି। ଦକ୍ଷିଣ ଓଡ଼ିଶାରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବାବେଳେ ଉତ୍ତର ଓଡ଼ିଶାରେ ଗତ ୪୮ ଘଣ୍ଟା ଧରି ବର୍ଷା କମ୍ ରହିବା ହେତୁ ସୁବର୍ଣ୍ଣରେଖା, ବୈତରଣୀ, ଜଳକା ଏବଂ ବୁଢ଼ାବଳଙ୍ଗରେ ବନ୍ୟା ପାଣି ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ପାଣି କମିଥିଲେ ମଧ୍ୟ ବନ୍ୟା ବିପନ୍ନଙ୍କ କକର୍ଥନା କମିନାହିଁ। ଏବେ ବି ଉତ୍ତର ବାଲେଶ୍ବରର ଜଳଶ୍ବେର, ବାଲିଆପାଳ, ବସ୍ତା ଓ ଭୋଗରାଇ ଭଳି ବ୍ଲକ୍ର ୩୦ଟି ପଞ୍ଚାୟତର ବହୁ ଗାଁ ପାଣିଘେରରେ ରହିଛି।
ବାଲେଶ୍ବର ଜିଲାର ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ଆଦି ନଦୀମାନଙ୍କରେ ଦ୍ବିତୀୟ ଥର ବନ୍ୟା ଆସିବା ପରେ ନଦୀକୂଳିଆ ଗାଁମାନଙ୍କରେ ପରିସ୍ଥିତି ଦୟନୀୟ ହୋଇପଡ଼ିଛି। ବିଶେଷକରି ଉତ୍ତର ବାଲେଶ୍ବରରେ ବନ୍ୟା ଦୁର୍ଗତଙ୍କ ଦୁର୍ଦ୍ଦଶା କହିଲେ ନସରେ। ସୁବର୍ଣ୍ଣରେଖା ନଦୀର ଜଳସ୍ତର ସତର୍କ ସୂଚନା ତଳକୁ ଖସିଥିଲେ ବି ବନ୍ୟା ପାଣି ତଳିଆ ଗାଁମାନଙ୍କରେ ଲହଡ଼ି ମାରୁଛି। ଏବେ ବି ବସ୍ତା, ବାଲିଆପାଳ, ଜଳେଶ୍ବର ଓ ଭୋଗରାଇ ବ୍ଲକର ଶତାଧିକ ଗ୍ରାମ ପାଣି ଘେରରେ ରହିଛି। ମଝିରେ ମଝିରେ ପୁଣି ବର୍ଷା ଲାଗି ରହିଥିବାରୁ ଗାଁମାନଙ୍କରେ ବନ୍ୟା ପାଣି ଛାଡ଼ିବା ନାଁ ଧରୁନାହିଁ। ଏପଟେ ନଦୀ ମୁହାଣ ପୋତି ହୋଇଯାଉଥବାରୁ ବନ୍ୟା ଜଳ ନିଷ୍କାସନ ହେବାରେ ସମସ୍ୟା ହେଉଛି। ବନ୍ୟାଞ୍ଚଳରେ ସାପ କାମୁଡ଼ା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭୋଗରାଇ ବ୍ଲକର ଗବଗାଁ ଏବଂ ଆରୁହାବୃତ୍ତି-୧ ପଞ୍ଚାୟତରେ ସାପ କାମୁଡ଼ାରେ ଦିନକରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ବନ୍ୟା ଦୁର୍ଗତମାନେ ପିଇବା ପାଣି, ଔଷଧ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ
ବିପଦସଙ୍କୁଳ ଅବସ୍ଥାରେ ପାଣିରେ ପଶି ଯାତାୟାତ କରୁଛନ୍ତି। ଲୋକଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣରେ ବୋଟ ନଥିବା ସେମାନେ ଅଭିଯୋଗ କରିଛନ୍ତି। ଜଳ ନିଷ୍କାସନ ପାଇଁ ସୁବିଧାଜନକ ସ୍ଥିତି ନ ଥିବାରୁ କୁଣ୍ଡୁଳୀ – ସାର୍ଥା ମୁଖ୍ୟ ରାସ୍ତାର ଦାଣ୍ଡିପଦା ଚଟାଣରେ ଏବେ ବି ୩ ଫୁଟ୍ ଉଚ୍ଚରେ ବନ୍ୟା ଜଳ ପ୍ରଭାବିତ ହେଉଛି। ତେଣୁ ୨୦ଟି ପଞ୍ଚାୟତର ଶହଶହ ଲୋକ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ବାଧ୍ୟ ହୋଇ ଟ୍ରାକ୍ଟର ଡାଲାରେ ବସି ଯିବାଆସିବା କରୁଛନ୍ତି। ବିଶେଷକରି ବାଲେଶ୍ୱର ଜିଲା ମୁଖ୍ୟାଳୟକୁ ଜରୁରୀ ଆମ୍ବୁଲାନ୍ସ, ବସ୍ ସେବା ବନ୍ଦ ଥିବାରୁ ସାଧାରଣ ଲୋକେ, ଛାତ୍ରଛାତ୍ରୀ, ବ୍ୟବସାୟୀ ବହୁ ଅସୁବିଧାରେ ପଡୁଛନ୍ତି। ଏଠାରେ ଏକ ଫ୍ଲାଇଓଭର ରାସ୍ତା ନିର୍ମାଣ ପାଇଁ ସାଧାରଣରେ ଦାବି ହେଉଛି। ବସ୍ତା ବ୍ଲକ ବରୁଣଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡରିମରା ଗ୍ରାମର ପୋଖରୀ ପାର୍ଶ୍ବ ରାସ୍ତା ଧୋଇଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର କଂକ୍ରିଟ ଢଳେଇ ଧୋଇଯିବା ପରେ ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ସେହିଭଳି ବାଲିଆପାଳ ବ୍ଲକର ବିଭିନ୍ନ ପଞ୍ଚାୟତରେ ଲୋକେ ଖାଦ୍ୟ ପଦାର୍ଥ ଆଣିବା ପାଇଁ ଆଣ୍ଠୁଏ ପାଣି କିମ୍ବା କଦଳୀ ଭେଳାରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ସେପେଟ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ୟା ବିପନ୍ନଙ୍କ ନିକଟରେ ରିଲିଫ ପହଞ୍ଚି ପାରି ନଥିବା ଲୋକେ ମଧ୍ୟ ଅଭିଯୋଗ କରିଛନ୍ତି।
ପାଣିପାଗ ବିଭାଗର ପୂର୍ବାନୁମାନ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସତର୍କ ରହିବାକୁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଘୂର୍ଣ୍ଣିବଳୟ ଝାଡଖଣ୍ଡରେ ଅତି ପ୍ରବଳ ବର୍ଷା କରାଇବା ସମ୍ଭାବନା ଥିବାରୁ ଆଗାମୀ ଦିନରେ ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବା ଆଶଙ୍କା ରହିଛି।
ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ୧୦.୩୬ମିଟର ଥିବାବେଳେ ୯.୬୩ ମିଟରରେ ଜଳ ପ୍ରବାହ କରୁଛି। ବୈତରଣୀ ଆଖୁଆପଦାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ୧୭.୪୭ମିଟରରେ ବନ୍ୟା ପାଣି ପ୍ରବାହିତ ହେଉଛି। ଜଳକା ମଥାନୀରେ ବିପଦ ସଙ୍କେତ ୬.୫ ମିଟର ଥିବାସ୍ଥଳେ ୫.୮୮ମିଟରରେ ପ୍ରବାହ କରୁଛି। ବୁଢ଼ାବଳଙ୍ଗ ଏନଏଚ-୫ ଗୋବିନ୍ଦପୁର ଠାରେ ବିପଦ ସଙ୍କେତ ୮.୧୩ ମିଟର ରହିଛି ଏବଂ ୩.୮୮ମିଟରରେ ବନ୍ୟା ପାଣି ନିଷ୍କାସିତ ହେଉଛି। ହୀରାକୁଦ ଜଳଭଣ୍ଡାରରେ ୬୦୧ ଫୁଟ ପାଣି ରହିଛି। ଉପରମୁଣ୍ଡରୁ ଜଳଭଣ୍ଡାରକୁ ପ୍ରାୟ ୯୮ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ଜଳ ସମ୍ପଦ ବିଭାଗ ସୂତ୍ରରୁ ପ୍ରକାଶ।
ନଦୀଗୁଡ଼ିକରେ ଜଳସ୍ତର କମିଥିଲେ ମଧ୍ୟ ଗାଁ ଗୁଡ଼ିକରେ ପଶିଥିବା ବନ୍ୟାଜଳ ଛାଡ଼ିନାହିଁ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦୁଝର ଜିଲାରେ କ୍ଷତିଗ୍ରସ୍ତଙ୍କ ଦୁର୍ଦଶା ଏପର୍ଯ୍ୟନ୍ତ କମି ନଥିବା ଜଣାପଡ଼ିଛି। ବାଲେଶ୍ବର ଜିଲାର ଭୋଗରାଇ ବ୍ଲକ ନାଚିନ୍ଦା ପଞ୍ଚାୟତ ଡେଉଁର ଗାଁର ଲୋକେ ୩ଦିନ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି। ନଦୀ କୂଳିଆ ପଞ୍ଚାୟତ କୁମ୍ଭୀରଗଡ଼ି ଓ ଆରୁହାବୃତ୍ତିରେ ପାଣି ଛାଡ଼ୁଥିବା ବେଳେ ତଳିଆ ପଞ୍ଚାୟତ ଗବଗାଁ, କୁସୁଡ଼ା, ଖରିଦ ପିପଳ ଓ ନାଚିନ୍ଦା ଆଦି ଅଞ୍ଚଳରେ ପାଣି ବଢ଼ୁଥିବା ଦେଖିବାକୁ ମିଳିଛି। ଏବେ ବି ପାଣି ଘେରରେ ଭୋଗରାଇ ବ୍ଲକର ୫ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ରହିଛି । ଭୋଗରାଇ କୁମ୍ଭୀରଗଡ଼ି ପଞ୍ଚାୟତ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ଯାଜପୁର ଜିଲା ବୈତରଣୀ ନଦୀରେ ବନ୍ୟା ଜଳ ପ୍ରବେଶ କରିଛି। ଏହାର ପ୍ରଭାବରେ ଶାଖା ନଦୀ କାଣୀ ପ୍ରଭାବିତ ହୋଇଛି। କାଣୀ ନଦୀର କଣ୍ଟପଡ଼ାରେ ବନ୍ଧ ମୁକୁଳା ଥିବାରୁ ବନ୍ୟା ଜଳ ଚାଷ ଜମିକୁ ମାଡ଼ିଯାଇଛି। ମଲିକାପୁରଠାରେ କାଣୀ ନଦୀରେ ପୋଲ ନିର୍ମାଣ ଚାଲିଥିବାରୁ ପୁରୁଣା ପୋଲକୁ ଭାଙ୍ଗି ଦିଆଯାଇଥିଲା। ଏଣୁ ଯାତାୟାତ ପାଇଁ ଏକ ବାଉଁଶ ଚାର ନିର୍ମାଣ କରାଯାଇ ମଲିକାପୁର ପାଲାସାହିକୁ ଯୋଗାଯୋଗ ହୋଇଥିଲା। ମାତ୍ର ବନ୍ୟା ଆସିବା ଫଳରେ ବାଉଁଶ ଚାରକୁ ଭାଙ୍ଗି ଭସାଇ ନେଇଛି। ଫଳରେ ଏହି ୨ଗାଁ ଲୋକଙ୍କ ସମେତ ଦଶରଥପୁର ବ୍ଲକ ଏବଂ ଭଦ୍ରକର ଧାମନଗର ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।



