ଜାତୀୟ ପୋଷଣ ମାସ ଓ ମାଆ ନାମରେ ଗଛଟିଏ କାର୍ଯ୍ୟକ୍ରମ..

ସମାଜ ଡିଜିଟାଲ ଡେସ୍କ : କେନ୍ଦ୍ର ସୂଚନା ଓ ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ପୋଷଣ ମାସ ଏବଂ ମାଆଙ୍କ ପାଇଁ ଏକ ଗଛ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କେନ୍ଦୁଝର ଠାରେ ଥିବା କେନ୍ଦ୍ରୀୟ ସଂଚାର ବ୍ୟୁରୋ, କ୍ଷେତ୍ର କାର୍ଯ୍ୟାଳୟ ଦ୍ୱାରା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର କେନ୍ଦିଇପୋଷି ଗ୍ରାମ ପଂଚାୟତ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥାନୀୟ ଗ୍ରାମବାସୀ ଏବଂ ମାଆମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ପରେ ପରେ ମୁଖ୍ୟ ଅତିଥି ଶ୍ରୀ ନାଏକ ବୃକ୍ଷ ରୋପଣ କରିବା ସହ ସ୍ଥାନୀୟ ଗ୍ରାମବାସୀଙ୍କୁ ଚାରା ବଣ୍ଟନ କରିଥିଲେ । ବୃକ୍ଷ ହିଁ ଜୀବନ, ତେଣୁ ଆମେ ସମସ୍ତେ ଆମ ମାଆଙ୍କ ନାମରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ବନ ସୃଷ୍ଟି କରିବାକୁ ବିଧାୟକ ଶ୍ରୀ ନାଏକ କହିଛନ୍ତି। ପରିବେଶବିତ କୈଳାସ ଚନ୍ଦ୍ର ବାରିକ, ସରପଞ୍ଚ ମିନାକ୍ଷୀ ନାୟକ ଓ ଭାଗିରଥି ସିଂ, କେନ୍ଦୁଝର କ୍ଷେତ୍ର ପ୍ରଚାର ଅଧିକାରୀ ପାର୍ଥସାରଥୀ ମଲ୍ଲିକ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପୋଷଣ ଯୁକ୍ତ ଖାଦ୍ୟ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଯାଇଥିଲା ।

Comments are closed.