ଆର୍ଚରଙ୍କୁ ‘କାଳୀ ଟାକ୍ସି’ କହି ବିବାଦରେ ହରଭଜନ

ସମାଜ ଡିଜିଟାଲ ଡେସ୍କ: ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ପ୍ରତି ବର୍ଣ୍ଣବୈଷମ୍ୟ ଏବଂ ଜାତିଆଣ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂହ। ଗତ ରବିବାର ଆଇପିଏଲର ଏକ ମ୍ୟାଚ ସମୟରେ ହରଭଜନ ଆର୍ଚରଙ୍କୁ ‘କାଳୀ ଟାକ୍ସି’ ବୋଲି ସମ୍ବୋଧିତ କରିଥିଲେ। ଏହା ପରେ ପରେ ସାମାଜିକ ଗଣମାଧ୍ୟମରେ ବହୁ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଅନେକ ବ୍ୟକ୍ତି ହରଭଜନଙ୍କ ଏପରି ମନ୍ତବ୍ୟକୁ ନାପସନ୍ଦ କରିବା ସହିତ ତାଙ୍କୁ ନିଷିଦ୍ଧ କରିବା ଲାଗି ଦାବି କରିଛନ୍ତି।
ଗତ ରବିବାର ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଏସଆରଏଚ ୨୮୬ ରନର ବିଶାଳ ସ୍କୋର କରିଥିଲା। ରାଜସ୍ଥାନ ବୋଲର ଆର୍ଚର ୪ ଓଭରରେ ୭୬ ରନ ବ୍ୟୟ କରିଥିଲେ, ଯାହା ଆଇପିଏଲ ଇତିହାସରେ ସର୍ବାଧିକ। ଆର୍ଚର ବୋଲିଂ କରିବା ସମୟରେ ହରଭଜନ କହିଥିଲେ, ‘ଲଣ୍ଡନରେ କାଳୀ ଟାକ୍ସି ଦ୍ରୁତ ଗତିରେ ଦୌଡ଼େ, ଆଉ ଏଠାରେ ଆର୍ଚର ସାହାବଙ୍କ ମିଟର ବି ଦ୍ରୁତଗତିରେ ଦୌଡୁଛି’। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ କିଛି ବ୍ୟବହାରକାରୀ ହରଭଜନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ହରଭଜନ ଆର୍ଚରଙ୍କୁ କଳା ଟାକ୍ସିର ଡ୍ରାଇଭର ସହ ତୁଳନା କରି ଭୁଲ କରିଛନ୍ତି ବୋଲି ଜଣେ ସମାଲୋଚକ ଲେଖିଛନ୍ତି।
Comments are closed.