କେବେ ବଦଳିବ ଚିତ୍ର : ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ପାଠପଢା
ହରଭଙ୍ଗା: ରାଜ୍ୟ ସରକାରଙ୍କ ୫ଟି ରୂପାନ୍ତରିତ ଯୋଜନା କାର୍ଯ୍ୟକାରୀ ପରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିଛି । ମାତ୍ର ପ୍ରାଥମିକ ଶିକ୍ଷା ଭିତ୍ତିଭୂମି ଏପର୍ଯ୍ୟନ୍ତ ପରିବର୍ତ୍ତନ ହୋଇପାରନାହିଁ । ଯାହାଫଳରେ ଶହେ ବର୍ଷରୁ ଅଧିକ ପୁରାତନ ପ୍ରାଥମିକ ସ୍କୁଲ ଗୁଡିକର ରୂପରେଖ ବଦଳିପାରୁନି । ଫଳରେ ବିପଦ ସଙ୍କୁଳ ଅବସ୍ଥାରେ ପାଠପଢା ଯାଉଥିବା ଦେଖିବାକୁ ମିଳିଛି । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗାରେ। ମିଳିଥିବା ସୂଚନା ଅନୁଯାୟୀ ୧ ଅକ୍ଟୋବର ୧୮୬୯ ମସିହାରେ ହରଭଙ୍ଗାରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା ।ଏହି ଶିକ୍ଷାନୁଷ୍ଠାନକୁ ଅଦ୍ୟାବିଧି ୧୫୪ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ବର୍ତମାନ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏମାନଙ୍କ ଶିକ୍ଷାଦାନ ପାଇଁ ୫ଜଣ ଶିକ୍ଷକ ନିୟୋଜିତ ଅଛନ୍ତି ।ସ୍କୁଲ ପ୍ରାରମ୍ଭରୁ ଥିବା ପୁରୁଣା ଟିଣ ଛପର ଘରେ ଏବେ ବି ଶିକ୍ଷାଦାନ ଚାଲିଛି । ଟିଣ ଛପର କଳଙ୍କି ଲାଗି ନିଜର ସତ୍ତା ହରାଇଥିବାବେଳେ ବର୍ଷାହେଲେ ପାଣି ଗଳୁଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ସାଙ୍ଗକୁ ପିଲାଙ୍କୁ ବସିବା କଷ୍ଟକର ହୋଇପଡୁଛି । ଏହା ସହିତ ହାତ ଗଣତି ତିନୋଟି ଛାତ ଶ୍ରେଣୀ ଗୃହ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବାବେଳେ ଛାତର ଲୁହାରଡ ଦେଖାଯାଉଛି । ସେଠାରେ ମଧ୍ୟ ବର୍ଷାହେଲେ ସମାନ ଅସୁବିଧା ଉପୁଜୁଛି । ଏହା ସହିତ ସ୍କୁଲ ପଛପାଖରେ ପାଚେରୀ ନଥିବାରୁ ଏହା ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ପିଲାଙ୍କ ପାଇଁ ଶୌଚାଳୟ,ବିଶୁଦ୍ଧ ପିଇବା ପାଣିର ବ୍ୟବସ୍ଥା ନାହିଁ ।ଏପରିକି ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଭୋଜନାଳୟ ମଧ୍ୟ ନାହିଁ ।ଏହା ସହିତ ପିଲାଙ୍କ ପାଇଁ ଖେଳପଡିଆ ମଧ୍ୟ ନଥିବା ଜଣାପଡିଛି । ତେବେ ଖୁବ୍ ଶୀଘ୍ର ଏହା ସ୍ଥାୟୀ ସମାଧାନ ଲାଗି ସ୍କୁଲ ପରିଚାଳନା କମିଟି ପକ୍ଷରୁ ବୌଦ୍ଧ ଜିଲ୍ଲାପାଳ, ହରଭଙ୍ଗା ବି.ଡି.ଓ, ହରଭଙ୍ଗା ତହସିଲଦାର, ଏବଂ ସରପଞ୍ଚଙ୍କୁ ଲିଖିତ ଭାବେ ଜଣାଯାଇଛି।
Comments are closed.