ମହାନଦୀରେ କୁମ୍ଭୀର ଆତଙ୍କ, ସାତକୋଶିଆ କୋର ଏରିଆ ବାହାରକୁ ଚାଲିଗଲା ଘଡିଆଳ

ସୁରକ୍ଷା ଚିନ୍ତାରେ ବନ୍ୟପ୍ରାଣୀ ବିଭାଗ ନାକେଦମ୍‍

ହରଭଙ୍ଗା: ସାତକୋଶିଆ ମହାନଦୀ ଗଣ୍ଡର ସୁନାଖଣିଆ କୋର ଏରିଆରୁ ଗତ ୧୯ତାରିଖ ଏକ ଘଡିଆଳ କୁମ୍ଭୀର ମହାନଦୀର ଉପରଭାଗରେ ଥିବା କୁମାରୀ ଅଞ୍ଚଳକୁ ପାଖାପାଖି ୫କିଲୋମିଟର ଦୂରକୁ ଚାଲିଯାଇଥିବା ଜଣାପଡ଼ିଛି। କୋର ଏରିଆରୁ ଘଡିଆଳ ବାହାରକୁ ଚାଲିଯାଇଥିବାରୁ ବନ୍ୟପ୍ରାଣୀ ବିଭାଗକୁ ଏହାର ସୁରକ୍ଷା ଚିନ୍ତା ଘାରିଛି। ଅନ୍ୟପଟେ ମହାନଦୀରେ କୁମ୍ଭୀରକୁ ଦେଖୀ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡ଼ିଛି। ଏ ସଂର୍ପକରେ କୁଶଙ୍ଗ ବନ୍ୟପ୍ରାଣୀ ବିଭାଗର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଘଡିଆଳ ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିଛି। ଗତ ୧୯ ତାରିଖରୁ କୁଶଙ୍ଗ ବନ୍ୟପ୍ରାଣି ଟିମ ସହିତ ପୁରୁଣାକଟକ ଫରେଷ୍ଟ ରେଞ୍ଜର ଏକ ଟିମ ଏହାର ସୁରକ୍ଷା ପାଇଁ ସଜାଗ ରହିଥିବା ଜଣାପଡ଼ିଛି।ବର୍ତମାନ ଘଡିଆଳଟି କୁମାରୀ ପରେ ଆଉ ଦୁଇ କିଲୋମିଟର ଉପରକୁ ଉଠି ତିରଡ ମହାନଦୀରେ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ଗତବିଦ୍ଧି ଅନୁଧ୍ୟାନ ପାଇଁ ଘଡିଆଳ ଗବେଷକ ଲକ୍ଷ୍ମୀପ୍ରସାଦ ରଥ,କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଅଫିସର ପ୍ରଦୀପ ଭୁତିଆ,ବନପାଳ ବ୍ରଜରାଜ ବିଶ୍ୱାଳ, ସୁନାଖଣି ଘଡିଆଳ ସ୍କାର୍ଡ ସହିତ ବୌଦ୍ଧ ଫରେଷ୍ଟ ସ୍କ୍ୱାର୍ଡ ଏହାର ସୁରକ୍ଷା ଦିଗରେ ନିୟୋଜିତ ହୋଇଛି। ଏଥିପାଇଁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଫରେଷ୍ଟ ରେଞ୍ଜକୁ ମଧ୍ୟ ଆଲର୍ଟ କରାଯାଇଛି। ସୂଚନା ଥାଉ କି ସାତକୋଶିଆ ଗଣ୍ଡ ଅଭୟାରଣ୍ୟରେ ଘଡିଆଳ ପ୍ରକଳ୍ପ ଫେଲ ମାରିବା ପରେ ଏମାନଙ୍କ ବଂଶବୃଦ୍ଧି ପାଇଁ ବନ୍ୟପ୍ରାଣୀ ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି। ଘଡିଆଳ ବଂଶବୃଦ୍ଧି ନିମନ୍ତେ ଗତ ୫ତାରିଖ ନନ୍ଦନକାନନରୁ ୬ଟି ଘଡିଆଳ କୁମ୍ଭୀର ଅଣାଯାଇ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ସୁନାଖଣିଆରେ ଛଡାଯାଇଥିଲା। ସେଥିରେ ୩ଟି ପୁରୁଷ ଏବଂ ୩ଟି ମାଈ ଘଡିଆଳ ରହିଥିଲେ।ମହାନଦୀରେ ଛଡାଯିବା ପୂର୍ବରୁ ସେମାନଙ୍କ ଗତିବିଧି ଅନୁଧ୍ୟାନ ପାଇଁ ସମସ୍ତଙ୍କ ଲାଞରେ ଭି.ଏଚ.ଏଫ ଖଞ୍ଜା ଯାଇଥିଲା। ମାତ୍ର ଦୁର୍ଭାଗ୍ୟ ବଶତଃ ଗତ ୧୧ତାରିଖ ଅର୍ଥାତ୍‍ ଛଡାଯିବାର ଛଅଦିନପରେ ସେଥିରୁ ଗୋଟିଏ ପୁରୁଷ ଘଡିଆଳ କୁମ୍ଭୀରର ମୃତ୍ୟୁ ଘଟିଥିଲା।ଏହାପରେ ଅନ୍ୟ ପାଞ୍ଚଟି ଘଡିଆଳ ଉପରେ ଘଡିଆଳ ଗବେଷକ ଏବଂ ସ୍କାର୍ଡ ଟିମ ତୀକ୍ଷ୍ନ ନଜର ରଖିଥିଲା।ମାତ୍ର ଏଥିରୁ କୋର ଏରିଆ ବାହାରକୁ ଗୋଟିଏ ଘଡିଆଳ ଚାଲିଯାଇଥିବାରୁ ବନ୍ୟପ୍ରାଣୀ ବିଭାଗ ମୁଣ୍ଡବ୍ୟଥା କରିଛି।

kalyan agarbati

Comments are closed.