ହରଭଙ୍ଗାରେ ବର୍ଷା ବିତ୍ପାତ୍:ଶଗଡିଆ ଓ ପଇଦା ଭୂଇଁ ନାଳ ଉପରେ ୫ଫୁଟ ବନ୍ୟାପାଣି

ହରଭଙ୍ଗା-ଛତ୍ରଙ୍ଗକୁ ୫ଘଂଟାଧରି ଯୋଗାଯୋଗ ବିଛିନ୍ନ

ହରଭଙ୍ଗା: ଲଗାଣ ବର୍ଷା ପ୍ରଭାବରେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଂଚଳରେ ବର୍ଷା ବିତ୍ପାତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଶନିବାର ରାତିରୁ ରବିବାର ସକାଳ ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷା ସାଙ୍ଗକୁ ପଡ଼ୋଶୀ କନ୍ଧମାଳ ଜିଲାରେ ୪/୫ଦିନ ଧରି ଲଗାଣବର୍ଷା ପ୍ରଭାବରେ ଲକ୍ଷ୍ମୀନାଳରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବ୍ଲକର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଅନେକ ସ୍ଥାନରେ ଅଫିସ୍, ଘରଦ୍ୱାରରେ ପାଣି ପଶିବା ସହିତ ଅନେକସ୍ଥାନରେ ଛୋଟଛୋଟ ନାଳଉପରେ ବନ୍ୟାପାଣି ଜଳମଗ୍ନ ହେବା ଯୋଗୁଁ ବହୁ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଥିବା ଖବର ହସ୍ତଗତ ହୋଇଛି। ବନ୍ୟାପାଣିରେ ମହାନଦୀ ଫୁଲି ଉଠିବା ସହିତ ହରଭଙ୍ଗା ତହସିଲର ୫୫ ରାଜସ୍ୱ ଗ୍ରାମରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ବର୍ଷା ଯୋଗୁଁ ଆଭ୍ୟନ୍ତରୀଣ ଅଞ୍ଚଳ ଲୋକେ ଘରୁ ବାହାରିନପାରି ଭୋକ ଉପାସରେ ରହିଥିବା ଜଣାପଡିଛି।

ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ଅଞ୍ଚଳରେ ଶନିବାର ସୁଦ୍ଧା ୩୪ମି.ମି ବର୍ଷା ହୋଇଥିବା ରେକର୍ଡରୁ ଜଣାପଡିଛି। ମାତ୍ର ପଡ଼ୋଶୀ କନ୍ଧମାଳ ଜିଲାରେ ଅବିସ୍ରାନ୍ତ ବର୍ଷା ସାଙ୍ଗକୁ ଲକ୍ଷ୍ମିନାଳରେ ବନ୍ୟା ପାଣି ଯୋଗୁଁ ହରଭଙ୍ଗା ଶଗଡିଆ ନାଳ ଏବଂ କୁଶଙ୍ଗ ପଇଦାଭୁଇଁ ବଡଯୋର ନାଳ ଉପରେ ୫ଫୁଟ ବନ୍ୟା ପାଣି ପ୍ରଭାବିତ ହୋଇଥିଲା। ଫଳରେ ହରଭଙ୍ଗା-ଛତ୍ରଙ୍ଗ ଏବଂ କୁଶଙ୍ଗ -କୁମାରୀ, ଅତଲସରା, ନୂଆପଡା, ଘୁମୁରୀପଡା, ହାତୀଗଡ ଭଳି ଦର୍ଗମ ଅଞ୍ଚଳକୁ ପ୍ରାୟ ୫ଘଣ୍ଟା ଧରି ଯୋଗାଯୋଗ ବିଛିନ୍ନ ରହିଥିଲା। ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଯାନବାହାନ ଅଟକି ରହିବା ସହିତ ଯାତାୟାତ ବାଧାପ୍ତାପ୍ତ ହୋଇଥିଲା। ସେହିପରି ପଇଦାଭୁଇଁ ବଡଯୋର ନାଳ ଉପରେ ବନ୍ୟାପାଣି ଯୋଗୁଁ ଦୁର୍ଗମ ଅଞ୍ଚଳର ଗରିବ ହିତାଧିକାରୀ ପିଡିଏସ ସାମଗ୍ରୀ ପାଇଁ ଆସି ପୋଲ ପାଶ୍ୱର୍ରେ ଅଟକି ରହିଥିଲେ। ବହୁ ଛାତ୍ରଛାତ୍ରୀ ଫୁଲବାଣୀ ପରୀକ୍ଷା ପାଇଁ ଯାଇନପାରି ମଧ୍ୟ ବନ୍ୟାଯୋଗୁଁ ଅଟକି ରହିଥିବା ଅଭିଯୋଗ ହୋଇଛି। ଖରଭୁଇଁ –ସଙ୍କୁଲେଇ ପେତନୀ ନାଳଉପରେ ପାଣିଚାଲିବା ଯୋଗୁଁ ଶଙ୍କୁଲେଇ, ହରିହରପୁର, ନୂଆପଡା, ଘଣ୍ଟବଣିଆ, ପଦାମାଲ, ବିଶିପାଲ୍ଲୀ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ରହିଥିଲା। ସେହିପରି ଶଗଡିଆ ନାଳରେ ୧୦ଫୁଟ ପାଣି ଯୋଗୁଁ ହରଭଙ୍ଗା-ଛତ୍ରଙ୍ଗ ରାସ୍ତାରେ ଯୋଗାଯୋଗ ବିଛିନ୍ନ ରହିଛି। ପାଣ୍ଡର ମାସ୍କା ନାଳ ଉପରେ ୪ଫୁଟ ପାଣି ଯୋଗୁଁ ତଳଗାଁ-ବାଣିଗୋଛାକୁ ଯୋଗାଯୋଗ ବିଛିନ୍ନ ରହିଛି। ଉଦଣ୍ଡୀ ନାଳରେ ବନ୍ୟାପାଣି ଯୋଗୁଁ ଆଭ୍ୟନ୍ତରୀଣ ମାରଡା ଗାଁକୁ ଯୋଗା ଯୋଗ ବିଛିନ୍ ରହିଛି। ମହାନଦୀ ଫୁଲି ଉଠିବା ସହିତ ହରଭଙ୍ଗା ତହସିଲ ଅଞ୍ଚଳରେ ଏକ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାପାଣିରେ କେତେକ ସ୍ଥାନରେ ଘରଦ୍ୱାର ଭାଙ୍ଗିଥିବାବେଳେ ଚାଷ ଜମିରେ ବାଲିଚର ମାଡିବା ସହିତ ଛେଳି,ଗାଈ, ଗୋରୁ ଭଳି ଜୀବଜନ୍ତୁ ଭାସିଯାଇଥିବା ମଧ୍ୟ ଖବର ହସ୍ତଗତ ହୋଇଛି। ତୁରନ୍ତ ହରଭଙ୍ଗା ଶଗଡିଆ ନାଳ ଏବଂ ପଇଦାଭୁଇଁ ବଡଯୋର ନାଳ ଉପରେ ଉଚ୍ଚତାସମ୍ପନ୍ନ ବିଶିଷ୍ଟ ଦୁଇଟି ନୂତନ ସେତୁ ନିର୍ମାଣ ପାଇଁ ସମାଜସେବୀ ବିଶିକେଶନ ପ୍ରଧାନ, ଭୀକାରି ଚରଣ ବାଈ ଦାବୀ କରିଛନ୍ତି। ଏ ଦିଗରେ ପୂର୍ତ୍ତ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ଉଠୁଛି।

Comments are closed.