ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁ ଅଂଚଳରେ ଗଢିଉଠିଥିବା କ୍ରସରଗୁଡିକ ଉଛେଦ ପାଇଁ ଆନ୍ଦୋଳନ ତେଜିବାରେ ଲାଗିଛି। ଆନ୍ଦୋଳନକାରୀ ଏବଂ ସମର୍ଥକଙ୍କୁ ହତ୍ୟା ଧମକ ପ୍ରତିବାଦରେ ବୁଧୁବାର ଖରଭୁଇଁ ଗ୍ରାମ୍ୟ କମିଟି ଏବଂ ବିର୍ସାମୁଣ୍ଡା କୁଇ କନ୍ଧ ସମାଜ ମିଳିତ ସହଯୋଗରେ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଏକ ବିଶାଳ ଶୋଭା୍ଯାତ୍ରା ଗ୍ରାମର ଜୁଲୁଙ୍ଗି ମାଟିଆଣି ପୀଠରୁ ବାହାରିଥିଲା। ଏଥିରେ ପାଂଚଶହରୁ ଅଧିକ ମହିଳା/ପୁରୁଷ ସାମିଲ ହେବା ସହିତ କ୍ରସର ବିରୋଧି ଆନ୍ଦୋଳନକୁ ସ୍ଥାନୀୟ ସରପଂଚ ଶୁଶିଲ ପ୍ରଧାନ ଏବଂ ୯ନଂ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ଭଳି ଜନପ୍ରତିନିଧି ସାମିଲ ହେବା ଘଟଣା ଲୋକଙ୍କ ଆନ୍ଦୋଳନାତ୍ମକ ମନବୋଳକୁ ସୁଦୃଢ କରିଥିବା ଦେଖିବାକୁ ମିଳିଛି।
ଖରଭୁଇଁ ଠାରୁ ସମସ୍ତେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଛତ୍ରଙ୍ଗ ବଜାରରେ ଏକ ବିଶାଳ ଶୋଭାଯାତ୍ରା ପଂହଚିଥିଲା। ହରଭଙ୍ଗା ରାଜସ୍ୱ ନିରୀକ୍ଷକଙ୍କୁ ଏକ ଦାବୀପତ୍ର ବୌଦ୍ଧ ଜିଲ୍ଲାପାଳଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା। ପ୍ରକାଶ ଯେ ଗ୍ରାମ୍ୟ କମିଟିଙ୍କ ଅଭିଯୋଗ ଅନୁସାରେ ଖରଭୁଇଁ ଅଂଚଳରେ ଗଢିଉଠିଥିବା ପଥରକ୍ୱାରୀ ଏବଂ ପଥର କ୍ରସର ଜନିତ ସମସ୍ୟା ବାବଦରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରହିଛି। କିଛି କ୍ରସର ମାଲ୍ଲିକ ପ୍ରଶାସନ ସହାୟତାରେ କିଛି ଭଡାଟିଆ ଲୋକଙ୍କୁ ନେଇ ଆନ୍ଦୋଳନକୁ ଭଣ୍ଡୁର କରିବା ଉଦେଶ୍ୟରେ ସପକ୍ଷବାଦୀ ଏବଂ ବିପକ୍ଷବାଦୀ ନାମରେ ହୀନଚକ୍ରାନ୍ତ ଚଳେଇଛନ୍ତି। ନିକଟରେ ୯ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟଙ୍କୁ ତାଙ୍କ କାର୍ଯ୍ୟାଳୟରେ ପଶି ଧମକ ଦିଆଯାଇଛି। ଏହି ଉଦେଶ୍ୟରେ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା। ଖରଭୁଇଁ ଅଂଚଳରେ ଗଢିଉଠିଥିବା ଷ୍ଟୋନ କ୍ରସର ଏବଂ ପଥର କ୍ୱାରୀ ଗୁଡିକ ତୁରନ୍ତ ବନ୍ଦ କରିବା ପାଇଁ କମିଟି ଦାବୀ କରିଛି। ଆବଶ୍ୟକ ଠାରୁ ହଜାର ହଜାର ଗୁଣରେ ଖଣିଜ ଦ୍ରବ୍ୟ ଚୋରା ଚାଲାଣ କରୁଥିବା ସଂସ୍ଥାଗୁଡିକଠାରୁ ତୁରନ୍ତ ଜୋରିମାନା ଆଦାୟ କରାଯିବାକୁ ଦାବୀ କରାଯାଇଛି।କ୍ରସର ଉଛେଦ କରାଯାଇ ଅଂଚଳର ଚିର ସବୁଜ ପ୍ରାକୃତିକ ପରିବେଶ, ଧନଜୀବନ ଚାଷବାସ ସୁରକ୍ଷା ଦିଗରେ ପ୍ରଶାସନ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ଅଂଚଳରେ ଶାନ୍ତି ବଜାୟ ରଖିବା ପାଇଁ କମିଟି ନିବେଦନ କରିଛି।



