ଲୋକଙ୍କ ବୋଝ ଉଠାଇପାରୁନି ବୁଢ଼ା କାନ୍ଧ, ଇତିହାସ ପାଲଟିବ ହାତ ରିକ୍ସା
ମହେଶ ଶର୍ମା
କଲକାତା: ପଶ୍ଚିମବଙ୍ଗରେ ହାତ ରିକ୍ସା ଅତୀତରେ ଯାତ୍ରୀ ପରିବହନର ଏକ ସାଧାରଣ ମାଧ୍ୟମ ଥିଲା। କିନ୍ତୁ ସମୟ ବଦଳିବା ସହିତ ପରିବହନ ବ୍ୟବସ୍ଥା ବଦଳିଯାଇଛି। ଏକଦା ସାମନ୍ତବାଦୀ ଶୋଷଣର ପ୍ରତୀକ ଥିବା ଏହି ହାତ ରିକ୍ସା ଏବେ ରାଜ୍ୟରେ ଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚିଛି। ହାତ ରିକ୍ସା ଅଛି, ଯାତ୍ରୀ ଅଛନ୍ତି, କିନ୍ତୁ ମଣିଷ ବୋଝ ଉଠାଇ ପାରୁନି ବୁଢ଼ା କାନ୍ଧ। ଯାତ୍ରୀ ବି ହାତ ରିକ୍ସା ବଦଳରେ ଅଟୋ ରିକ୍ସାକୁ ଅଧିକ ପସନ୍ଦ କରୁଛନ୍ତି।
କଲକାତାର କିଛି ବଜାର ଏବଂ ଆବାସିକ ଅଞ୍ଚଳରେ ପାଖାପାଖି ୧୦୦ ହାତ ରିକ୍ସା ରହିଛି। କିନ୍ତୁ ଏହାର ଚାଳକ ସବୁବେଳେ ଗୋଟିଏ ଜାଗାରେ ବସିରହୁଥିବା ଦେଖିବାକୁ ମିଳୁଛି। ରିକ୍ସା ଚାଳକ ବୁଢ଼ା ବି ହୋଇଗଲେଣି। କାହାର ବୟସ ୬୦ ବର୍ଷ ତଳକୁ ନାହିଁ। ବୟସାଧିକ୍ୟ ଯୋଗୁ ରିକ୍ସା ଟାଣିବାକୁ ବଳ ନ ଥିଲେ ବି ସେମାନଙ୍କ ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ। ପରିବର୍ତ୍ତିତ ସମୟରେ ସେମାନଙ୍କ ପକ୍ଷେ ଅଟୋ ରିକ୍ସା କିଣି ପରିବାର ଚଳାଇବା ସମ୍ଭବପର ନୁହେଁ।
ହାତ ରିକ୍ସା କଥା ଉଠିଲେ ବିମଲ ରାୟଙ୍କ ଚଳଚ୍ଚିତ୍ର ‘ଦୋ ବିଘା ଜମିନ’ କଥା ମନେପଡ଼ୁଛି। ଏହି ଚଳଚ୍ଚିତ୍ରକୁ କିଛି ଲୋକ ନିଶ୍ଚୟ ଦେଖିଥିବେ। ହାତ ରିକ୍ସା ଚାଳକ ଶମ୍ଭୁ ମହେତୋଙ୍କ ଜୀବନ ଉପରେ ଏହି ଚଳଚ୍ଚିତ୍ର ଆଧାରିତ ଥିଲା। ଶମ୍ଭୁ ମହତୋ କିପରି ସାମନ୍ତ ଜମିଦାରଙ୍କ କବଳରୁ ନିଜ ଜମି ମୁକୁଳାଇବା ପାଇଁ ଗାଁରୁ ହାତ ରିକ୍ସା ଧରି ଟଙ୍କା ରୋଜଗାର ଲାଗି କଲକାତା ଆସୁଥିଲେ ତାହା ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି। ଜଣାଶୁଣା ଅଭିନେତା ବଲରାଜ ସାହାଣୀ ଏହି ଚଳଚ୍ଚିତ୍ରରେ ଶମ୍ଭୁଙ୍କ ଭୂମିକା ନିଭାଇଥିଲେ। ଶମ୍ଭୁ ଜମିଦାର ଏବଂ ତାଙ୍କ ପିଲାମାନଙ୍କୁ ହାତ ରିକ୍ସାରେ ବୁଲାଉଥିଲେ। ଶରୀର ଅସୁସ୍ଥ ହୋଇପଡ଼ୁଥିଲେ ବି ରିକ୍ସା ଟାଣିବା ବ୍ୟତୀତ ତାଙ୍କ ପାଖେ ଅନ୍ୟ କିଛି ରାସ୍ତା ନ ଥିଲା।
କ୍ଷୁଧା ମେଣ୍ଟାଇବା ସହିତ ପରିବାର ପାଳିବା ଲାଗି ହାତ ରିକ୍ସାରେ ମଣିଷ ବୋଝ ବୋହୁଥିବା ଏହି ଶ୍ରମିକମାନେ ଆଜି ବି ନ୍ୟୁ ମାର୍କେଟ, କଲେଜ ଗଳି, ଜାକରିଆ ଗଳି, ଖିଦିପୁର, ଇକବାଲପୁର, ରାଜାବଜାର, ବଡ଼ ବଜାର, ଶୋଭା ଘାଟ, କାଳୀ ଘାଟ, ମଲ୍ଲିକା ବଜାର, ମୋମିନପୁର ଆଦି ଅଞ୍ଚଳରେ ଶମ୍ଭୁ ମହତୋଙ୍କ ଭଳି ଅନେକ ଶ୍ରମିକ ରିକ୍ସା ଟାଣୁଥିବେ ତ ଆଉ କେହି ଯାତ୍ରୀଙ୍କୁ ଅପେକ୍ଷା କରିଥିବା ଦେଖିବାକୁ ମିଳିବେ। କିନ୍ତୁ ସାମନ୍ତମାନଙ୍କ ଶୋଷଣ ପ୍ରଥାର ପ୍ରତୀକ ଏହି ହାତ ରିକ୍ସା ଧୀରେ ଧୀରେ ଲୋପ ପାଇବାକୁ ଯାଉଛି।
ସାଂସ୍କୃତିକ ବିବିଧତାର ସହର କଲକାତାର ଅନନ୍ୟ ହାତ ରିକ୍ସା ଆଗାମୀ ଦିନରେ ଇତିହାସ ପାଲଟିବା ଦିଗରେ ଅଗ୍ରସର ହେଉଛି। ହାତ ରିକ୍ସାକୁ ଯାତ୍ରୀମାନେ ପସନ୍ଦ କରୁନାହାନ୍ତି। ଯଦି ବି ଯାତ୍ରୀ ଆସୁଛନ୍ତି ସେମାନଙ୍କ ବୋଝ ବୋହିବାକୁ ବୟସ ବାଧା ଦେଉଛି। ଅନେକ ଚାଳକ କିଛି ଲୋକଙ୍କଠାରୁ ଭଡ଼ାରେ ହାତ ରିକ୍ସା ଆଣିଥାନ୍ତି। ଦିନରେ ଯାହା କିଛି ରୋଜଗାର ହୁଏ ସେଥିରୁ ୫୦ ଟଙ୍କା ମାଲିକକୁ ଦେଇ ଅବଶିଷ୍ଟ ଟଙ୍କା ପରିବାର ପୋଷିବାରେ ଖର୍ଚ୍ଚ କରିଥାନ୍ତି। କିନ୍ତୁ ଏବେ ଏହି ରିକ୍ସା ଚାଳକମାନେ ମାଲିକକୁ ଦେବା ଲାଗି ୫୦ଟଙ୍କା ବି ରୋଜଗାର କରିପାରୁନାହାନ୍ତି। ଏଥିପାଇଁ ସେମାନଙ୍କୁ ମାଲିକଠୁ କଟୁ ଗାଳି ବି ଶୁଣିବାକୁ ମିଳୁଛି।
ବଙ୍ଗଳାର ରସଗୋଲା ପରି ହାତ ରିକ୍ସା ବି ଏଠାକାର ଏକ ଐତିହ୍ୟ, ଯାହା ଏବେ ହଜିଯିବାକୁ ବସିଛି। ରିକ୍ସା ଚାଳକ ସଂଘ କହୁଛି, ପଶ୍ଚିମବଙ୍ଗରେ ପ୍ରାୟ ୬ ହଜାର ହାତ ରିକ୍ସା ଚାଳକ ଅଛନ୍ତି। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ପରେ ବହୁ ସଂଖ୍ୟକ ବାଂଲାଦେଶୀ ଏଠାରେ ପହଞ୍ଚିଥିଲେ, ଯେଉଁମାନେ ଜୀବିକା ନିର୍ବାହ ପାଇଁ ହାତ ରିକ୍ସାକୁ ବାଛିଥିଲେ। ଧୀରେ ଧୀରେ ଏମାନଙ୍କ ସଂଖ୍ୟା ବହୁତ ବଢ଼ି ଯାଇଥିଲା। ତତ୍କାଳୀନ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ସରକାର ଏହି ହାତ ରିକ୍ସା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ବିଧାନସଭାରେ କଲକାତା ଯାନ ବିଧେୟକ (ସଂଶୋଧିତ) ଆଗତ ହୋଇଥିଲା। ସେତେବେଳେ ରିକ୍ସା ଚାଳକଙ୍କ ଟ୍ରେନ ୟୁନିୟନ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ସେମାନେ ପୁନଃ ଥଇଥାନ ପ୍ୟାକେଜରେ ସନ୍ତୁଷ୍ଟ ନ ଥିଲେ। ଶେଷରେ ହାଇକୋର୍ଟ ଏହା ଉପରେ ରହିତାଦେଶ ଲାଗୁ କରିଥିଲେ।
Comments are closed.