ଇସ୍ରାଏଲ ଆକ୍ରମଣରେ ହମାସ୍‌କୁ ଶକ୍ତ ଧକ୍କା, ୧୫୦ ଆତଙ୍କବାଦୀ ମୃତ

ଜେରୁଜେଲମ୍‌ : ଇସ୍ରାଏଲ ସୈନ୍ୟମାନେ ଗାଜାରେ ହମାସ୍‌ ଆତଙ୍କବାଦୀ ଗୋଷ୍ଠୀର ୬ କିଲୋମିଟର ଦୀର୍ଘ ୮ଟି ଗୁପ୍ତ ସୁଡଙ୍ଗକୁ ଧ୍ବଂସ କରିଦେବା ସହିତ ସେମାନଙ୍କ ଆକ୍ରମଣରେ ହମାସ୍‌ ଓ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ୧୫୦ରୁ ଅଧିକ ସଦସ୍ୟ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ଆକ୍ରମଣରେ ଗୋଟିଏ ଥରରେ ଏତେ ସଂଖ୍ୟାରେ ହମାସ୍‌ ଆତଙ୍କବାଦୀ ପ୍ରାଣ ହରାଇବା ଏହା ଅନ୍ୟତମ ସର୍ବାଧିକ ବୋଲି କୁହାଯାଉଛି। ଉତ୍ତର ଗାଜାର ଶେଜାୟା ନିକଟବର୍ତ୍ତୀ ଅଞ୍ଚଳରେ ଇସ୍ରାଏଲ ଏହି ବଡଧରଣର ଆକ୍ରମଣ କରିଛି। ଆଇଡିଏଫ୍‌ ପକ୍ଷରୁ କୁହାଯାଇଛି ଯେ ଉକ୍ତ ଅଞ୍ଚଳରେ ସୁଡଙ୍ଗ ମଧ୍ୟରେ ବହୁ ସଂଖ୍ୟକ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ତାହା ଉପରେ ଆକ୍ରମଣ କରାଯାଇଥିଲା। ଉକ୍ତ ସୁଡଙ୍ଗ ପାଲେଷ୍ଟାଇନ ଇସଲାମିକ ଜିହାଦ ପାଇଁ ଏକ ପ୍ରମୁଖ ରାସ୍ତା ଭାବରେ ବ୍ୟବହାର ହେଉଥିଲା।

ସୂଚନାଯୋଗ୍ୟ ଯେ ଗତବର୍ଷ ଅକ୍ଟୋବର ୭ ତାରିଖରେ ହମାସ୍‌ ଆତଙ୍କବାଦୀମାନେ ପ୍ରଥମେ ଇସ୍ରାଏଲ ସୀମାନ୍ତ ଅଞ୍ଚଳରେ ଆକ୍ରମଣ କରି ପ୍ରାୟ ୧୨୦୦ରୁ ଅଧିକ ଲୋକଙ୍କୁ ଗୁଳିକରି ହତ୍ୟା କରିବା ସହିତ ପ୍ରାୟ ୨୫୦ ଜଣଙ୍କୁ ପଣବନ୍ଦୀ କରି ନେଇଯାଇଥିଲେ। ପରବର୍ତ୍ତୀ ସମୟରେ ଇସ୍ରାଏଲ ପକ୍ଷରୁ ଗାଜାରେ ଚାଲିଥିବା ଭୟଙ୍କର ଆକ୍ରମଣରେ ଉକ୍ତ ଅଞ୍ଚଳ ପ୍ରାୟତଃ ଧ୍ବଂସସ୍ତୁପରେ ପରିଣତ ହୋଇସାରିଲାଣି। ଇସ୍ରାଏଲ ସୈନ୍ୟଙ୍କ ଆକ୍ରମଣରେ ଆତଙ୍କବାଦୀଙ୍କ ସହିତ ଅନେକ ନିରୀହ ଲୋକଙ୍କର ପ୍ରାଣହାନି ଘଟୁଛି। ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା ଓ ଶିଶୁ ଅଛନ୍ତି। ଦୁଇ ପକ୍ଷ ମଧ୍ୟରେ ଶାନ୍ତି ଆଲୋଚନା ଆରମ୍ଭ କରି ହମାସ୍‌ ଆତଙ୍କବାଦୀଙ୍କ କବଳରେ ଥିବା ପଣବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଆମେରିକା ସହିତ ଅନ୍ୟ କିଛି ରାଷ୍ଟ୍ର ପକ୍ଷରୁ ପ୍ରୟାସ ଚାଲିଥିବାବେଳେ ହମାସ୍‌ର ମୂଳପୋଛ କରିବାକୁ ପଣ କରିଥିବା ଇସ୍ରାଏଲ ତାହାର ସାମରିକ ଅଭିଯାନ ଜାରି ରଖିଛି।

ଭଉଣୀର ମୃତଦେହକୁ ୫କି.ମି ଯାଏ କାନ୍ଧରେ ବୋହି ନେଲେ ଦୁଇ ଭାଇ

Comments are closed.