ବେଆଇନ ନିର୍ମାଣ ହଟାଇବା ସମୟରେ ଦଙ୍ଗା: ୬ ମୃତ; ୧୦୦ରୁ ଅଧିକ ଆହତ, ଲାଗିଲା କର୍ଫ୍ୟୁ

ହଳଦ୍ବାନୀ : ଉତ୍ତରାଖଣ୍ଡର ହଳଦ୍ବାନୀରେ ଦଙ୍ଗା ସୃଷ୍ଟି ହୋଇଛି । ନୈନିତାଲ ଜିଲା ହଳଦ୍ବାନୀର ବନଭୁଲପୁରା ଅଞ୍ଚଳରେ ନଗର ନିଗମର ବେଆଇନ ନିର୍ମାଣ ହଟାଅ ଅଭିଯାନ ସମୟରେ ଦଙ୍ଗା ଆରମ୍ଭ ହୋଇଛି । ଏହି ଦଙ୍ଗାରେ ଏବେ ସାରା ସହର ଜଳୁଛି । ଏଥିରେ ଏପର୍ଯ୍ୟନ୍ତ ୬ ଜଣଙ୍କ ଜୀବନ ଯିବା ସହ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ନଗର ପ୍ରଶାସନ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟାକୁ ନେଇ କିଛି ସ୍ପଷ୍ଟ କରିନି । ଅନ୍ୟପଟେ ଦଙ୍ଗା ସୃଷ୍ଟିକାରୀ ନଜର ଆସିବା ମାତ୍ରେ ଗୁଳି ମାରିବାକୁ ନିର୍ଦ୍ଦେଶ ଜାରି ହୋଇସାରିଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଚେଷ୍ଟା କରୁଛି ପୁଲିସ । ସାରା ଅଞ୍ଚଳରେ ପୁଲିସକର୍ମୀ ନିୟୋଜିତ ସହ କର୍ଫ୍ୟୁ ଜାରି ହୋଇଛି ।

ହଳଦ୍ବାନୀର ବନଭୁଲପୁରା ଅଞ୍ଚଳରେ ଗୁରୁବାର ନଗର ନିଗମ ପକ୍ଷରୁ ଅବୈଧ ରୂପେ ନିର୍ମିତ ମଦରସା ଏବଂ ମସଜିଦକୁ ଜେସିବି ମେସିନ୍ ଦ୍ବାରା ହଟାଯାଉଥିଲା । ଏହି ସମୟରେ ସାରା ଅଞ୍ଚଳରେ ଏହାକୁ ବିରୋଧ କରି ଦଙ୍ଗା ଆରମ୍ଭ ହୋଇଯାଇଥିଲା । ଉପଦ୍ରବକାରୀମାନେ ବିରୋଧ କରିବା ସହ ରାସ୍ତା ଉପରକୁ ଆସି ଗାଡି ମଟର ଭାଙ୍ଗିବା ସହ ଜଳାପୋଡା ଆରମ୍ଭ କରିଦେଇଥିଲେ । ଏଥିରେ ଅନେକ ପୁଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି । ଦଙ୍ଗାସୃଷ୍ଟିକାରୀ ନାରାବାଜି କରିବା ସହ ପଥରମାଡ କରିଥିଲେ । ମାତ୍ର କିଛି କ୍ଷଣ ମଧ୍ୟରେ ସମ୍ପୂର୍ଣ୍ଣ ପରିସ୍ଥିତି ବଦଳି ଯାଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ଲୁହ ବୁହା ଗ୍ୟାସ୍ ଏବଂ ମୃଦ୍ୟୁ ଲାଠି ଚାଳନା କରିଥିଲା । କିନ୍ତୁ ଏହା ପରେ ପରିସ୍ଥିତି ଅଧିକ ଭୟଙ୍କର ହୋଇଥିଲା । ଶେଷରେ ରାମନଗରରୁ ଅତିରିକ୍ତ ପୋଲିସ ଫୋର୍ସ ଡକାଗଲା ।

ଦଙ୍ଗା ସୃଷ୍ଟିକାରୀ ଅନେକ  ଗାଡି ମୋଟର ପୋଡି ଦେଇଛନ୍ତି । ଏହି କାଣ୍ଡ ପରେ ଏବେ ସମ୍ପୂର୍ଣ୍ଣ ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଛି ଏବଂ ଉପଦ୍ରବକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଅନ୍ୟପଟେ ପ୍ରଶାସନ ଏବଂ ସରକାର କହୁଛନ୍ତି କି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ହିଁ ବେଆଇନ୍ ନିର୍ମାଣକୁ ହଟାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ବର୍ତ୍ତମାନ ପରିସ୍ଥିତିକୁ ନିୟନ୍ତ୍ରିତ କରିବା ପାଇଁ ସାରା ସହରରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ସ୍କୁଲ କଲେଜ ଆଦିକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ନୈନିତାଲ ଜିଲା ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଛନ୍ତି କି ଅତି ଜରୁରି ନଥିଲେ କାହାକୁ ଘରୁ ବାହାରିବାକୁ ଅନୁମତି ଦିଆଯିବନି ।

Comments are closed.