ଦୁର୍ଘଟଣାରେ ନାବାଳକ ମୃତ୍ୟୁ

ଗୁରୁଡିଝାଟିଆ: ୫୫ନଂ ଜାତୀୟ ରାଜପଥର ରାଧାଦାମୋଦରପୁର ଛକ ନିକଟରେ ଦୁର୍ଘଟଣା ଯୋଗୁଁ ନାବାଳକ ପୁତୁରାର ମୃତ୍ୟୁ ଘଟିଥିବା ବେଳେ ଦାଦା ଗୁରୁତର ଆହତ ହୋଇଛନ୍ତି। କ୍ଷତିପୂରଣ ଦାବି ଓ ସର୍ଭିସ ରୋଡ ତୁରନ୍ତ କରିବା ନିମନ୍ତେ ଦାବି କରି ୬ଘଣ୍ଟା ଧରି ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଜନସାଧାରଣ।

ଘଟଣାସ୍ଥଳରେ ଆଠଗଡ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ,ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ, ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ ଓ ସ୍ଥାନୀୟ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ଘଟଣାସ୍ଥଳରେ ଉପସ୍ଥିତ ରହି ରାସ୍ତା ଅବରୋଧ କରିଥିବା ସ୍ଥାନୀୟ ଜନସାଧାରଣଙ୍କୁ ବୁଝାସୁଝା କରି ଅବରୋଧ ହଟାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

prayash

ପ୍ରକାଶଯୋଗ୍ୟ ରାଧାଦାମୋଦରପୁର ଗ୍ରାମର ଅଭୟ କୁମାର ପରିଡା(୩୪) ନିକଟସ୍ଥ ରାସ୍ତା ପାଶ୍ୱର୍ରେ ଦହିବରା ଆଳୁଦମ ବ୍ୟବସାୟ କରିଥାନ୍ତି। ଦହିବରା ବ୍ୟବସାୟ ସାରି ନିଜ ପୁତୁରା ଆରିଆନ ପରିଡା(୧୧) ସହିତ ଏକ ଡାଲା ଅଟୋରେ ଦହିବରା ବ୍ୟବସାୟ କରୁଥିବା ସ୍ଥାନ ଠାରୁ ଘରକୁ ଫେରୁଥିବା ବେଳେ ୫୫ ନଂ ଜାତୀୟ ରାଜପଥର ରାଧାଦାମୋଦରପୁର ଛକ ଠାରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଆରିଆନ ର ମୃତ୍ୟୁ ଘଟିଥିବା ବେଳେ ଅକ୍ଷୟ ଗୁରୁତର ହୋଇଛି।

ଘଟଣା ସଂପର୍କରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ କ୍ଷତିପୂରଣ ଦାବି ସହ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଖୁଣ୍ଟୁଣୀ ଥାନା ଠାରୁ ରାଧାଦାମୋଦରପୁର ଛକ ପର୍ଯ୍ୟନ୍ତ ସର୍ଭିସ ରୋଡ କରିବାରେ ଟାଳଟୁଳନୀତି ଅବଲମ୍ବନ କରିବା ହେତୁ ୫ମ ପାଶ କରି ୬ଷ୍ଠରେ ନାମ ଲେଖାଇଥିବା ନାବାଳକ ଛାତ୍ର ଆରିଆନ ର ଜୀବନ ଦୀପ ଲିଭିଗଲା ବୋଲି କହି ୫୫ ନଂ ଜାତୀୟ ରାଜପଥରେ ମୃତଦେହ ରଖି ଧାରଣାରେ ବସିଛନ୍ତି। ତୁରନ୍ତ ଜାତୀୟ ରାଜପଥ କର୍ତ୍ତୃପକ୍ଷ କ୍ଷତିପୂରଣ ଦେବା ସହିତ ସର୍ଭିସ ରୋଡକୁ ନିର୍ମାଣ କରିବା ସଂଗେ ସଂଗେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କ ବେପର୍ରୁଆ ମନୋଭାବ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି କରି ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ରାଜପଥ ଅବରୋଧ କରି ଧାରଣାରେ ବସିଛନ୍ତି।

ରାଜପଥ ଅବରୋଧ ହେବା ଫଳରେ ଦୀର୍ଘ ସମୟ ଧରି ବିଭିନ୍ନସ୍ଥାନକୁ ଯାଉଥିବା ଯାତ୍ରୀମାନେ ବସ,ଟ୍ରକ, କାର ଆଦି ବହୁ ସଂଖ୍ୟାରେ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଛନ୍ତି। ଅସହ୍ୟ ଖରାତାତିରେ ରାସ୍ତାରେ ଗାଡିଗୁଡିକ ଅଟକି ରହିବା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

Comments are closed.