ସଫଳତା ପାଇଁ ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଜରୁରୀ

ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର ନବାଗତ ବିଦ୍ୟାର୍ଥୀଙ୍କୁ ସ୍ବାଗତ

ଗୁରୁଡିଝାଟିଆ: ଅସୁମାରୀ ସ୍ୱପ୍ନକୁ ସାକାର କରିବା ପାଇଁ ନୂଆକରି ଶିକ୍ଷାନୁଷ୍ଠାନରେ ଯୋଗଦେଉଥିବା ବିଦ୍ୟାର୍ଥୀମାନେ ଦୃଢ ଇଚ୍ଛାଶକ୍ତି, ଅଧ୍ୟବସାୟ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କଲେ ସିଦ୍ଧିପ୍ରାପ୍ତି ଦିଗରେ ସହାୟକ ହେବା ସହ ନିଜେ ଭଲ ମଣିଷ ହେବା ସଂଗେ ସଂଗେ ନିଜ ଶିକ୍ଷାନୁଷ୍ଠାନକୁ ଗୌରବ ଆଣିଦେଇପାରିବ। କାରଣ ସଫଳତା ପାଇବା ପାଇଁ ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଜରୁରୀ ବୋଲି ଖୁଣ୍ଟୁଣୀସ୍ଥିତ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର ନବାଗତ ବିଦ୍ୟାର୍ଥୀଙ୍କ ପାଇଁ ଆୟୋଜିତ ସ୍ୱାଗତ ଉତ୍ସବ ପାଳନ ଅବସରରେ ଯୋଗଦେଇଥିବା ଅତିଥିମାନେ ମତପ୍ରକାଶ କରିଥିଲେ। ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା କୁନ୍ତଳା ବେଉରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ପ୍ରତ୍ୟେକ ନବାଗତ ବିଦ୍ୟାର୍ଥୀ ଆମ ପାଇଁ ପୁତ୍ରକନ୍ୟା ସଦୃଶ। ସେମାନଙ୍କ ଲୁକାୟିତ ପ୍ରତିଭା ଉନ୍ମୋଚନ ସହ ସେମାନଙ୍କୁ ଆଲୋକ ପ୍ରଦର୍ଶନ କରିବା ଆମମାନଙ୍କର କର୍ତ୍ତବ୍ୟ। ଅନୁରୂପ ଭାବେ ଆଗନ୍ତୁକ ବିଦ୍ୟାର୍ଥୀମାନେ ଶିକ୍ଷାନୁଷ୍ଠାନର ସମ୍ମାନ ବୃଦ୍ଧି ଦିଗରେ କାର୍ଯ୍ୟକରିବା ନିମନ୍ତେ ନିଜକୁ ଏବେଠାରୁ ପ୍ରସ୍ତୁତ କରିବା ପାଇଁ ଶ୍ରୀମତୀ ବେଉରାୟ କହିଥିଲେ। ସାମ୍ବାଦିକ ଶ୍ୱେତକାନ୍ତ ବେହେରା ମୁଖ୍ୟବକ୍ତା ଭାବରେ ଯୋଗଦେଇ ପୂଣ୍ୟାତ୍ମ୍ୟା ଗୋପବନ୍ଧୁ ଦାସଙ୍କ ପଟ୍ଟଶିଷ୍ୟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ନାମରେ ନାମିତ ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ପ୍ରତ୍ୟେକ ବିଦ୍ୟାର୍ଥୀ ଭାଗ୍ୟବାନ ବୋଲି କହିଥିଲେ। ଉତ୍ତମ ଛାତ୍ରଛାତ୍ରୀ ହେବା ସହିତ ଭଲ ଓ ବଡ ମଣିଷ ହୋଇ ମାନବବାଦ ଧର୍ମରେ ନିଜକୁ ଗଢିତୋଳି କାର୍ଯ୍ୟକଲେ ତାହା ଶିକ୍ଷାନୁଷ୍ଠାନକୁ ଗୌରବ ଆଣିଦେବା ସହ ବାବୁଜୀଙ୍କ ପାଇଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି କହିବା ସଂଗେ ସଂଗେ ନବାଗତ ବିଦ୍ୟାର୍ଥୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଶଶିଭୂଷଣ ମିଶ୍ର ଉତ୍ସବରେ ପୌରହିତ୍ୟ କରି ସମସ୍ତ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ କରିବା ସହ ଶୃଙ୍ଖଳା ଅଧ୍ୟବସାୟ ଓ ଚରିତ୍ର ଗଠନ ଦିଗରେ ଗୁରୁତ୍ୱ ଦେଇ ଉତ୍ତମ ବିଦ୍ୟାର୍ଥୀ ଭାବରେ ଆତ୍ମ ପ୍ରକାଶ କରିବା ନିମନ୍ତେ କହିଥିଲେ। ମହାବିଦ୍ୟାଳୟ ମୋ କଲେଜ ଅଭିଯାନର ମୁଖ୍ୟ ଅଧ୍ୟାପକ ଜିତେନ୍ଦ୍ର କୁମାର ପ୍ରଧାନ, ଅଧ୍ୟାପକ ଦୀପ୍ତିରଞ୍ଜନ ବାରିକ, ଅଧ୍ୟାପକ ଉଦୟନାଥ ପରିଡା ଅତିଥି ଭାବରେ ଯୋଗଦେଇ ବିଦ୍ୟାର୍ଥୀମାନଙ୍କୁ ସ୍ୱାଗତ କରିଥିଲେ। ଭାରତୀୟ ପରମ୍ପରା ଓ ସଂସ୍କୃତି ଅନୁଯାୟୀ ପ୍ରତ୍ୟେକ ନବାଗତ ବିଦ୍ୟାର୍ଥୀଙ୍କୁ ଫୁଲ ଚନ୍ଦନ, ଦୂବ ବରିକୋଳିପତ୍ର, ଦୀପ ଓ ଅରୁଆଚାଉଳ ଦ୍ୱାରା ବନ୍ଦାପନା କରାଯାଇ ସଭା ପ୍ରକୋଷ୍ଠକୁ ପାଛୋଟି ଅଣାଯାଇଥିଲା। ବରିଷ୍ଠ ଅଧ୍ୟାପକ ନିରଞ୍ଜନ ପତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ସାଗରିକା ରାଉତ, ଯୁଗଜ୍ୟୋତି ସ୍ୱାଇଁ, ମନୋରଞ୍ଜନ ମହାନ୍ତି, ମନୋଜ କୁମାର ନାୟକ, ଅମିତ କୁମାର ମିଶ୍ର ଓ ବିଶ୍ୱଜିତ୍ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.