ରାଜ୍ୟରେ ୨୦୦ ପ୍ରଜାତିର ୧୫ ଲକ୍ଷରୁ ଅଧିକ ପକ୍ଷୀଙ୍କ ସମାବେଶ: ପ୍ରଥମ ଥର ଗହୀରମଥାରେ ଦେଖାଦେଇଛି ଗ୍ରେଟ୍ ବିଟେନ୍ ପକ୍ଷୀ
ସରିଲା ପକ୍ଷୀ ଗଣନା-ଦେଖାଦେଲେ ଦୁଇ ଶହ ପ୍ରଜାତିର ୧୫ ଲକ୍ଷ

ଭୁବନେଶ୍ବର: ରାଜ୍ୟରେ ପକ୍ଷୀଗଣନା ଶନିବାର ଶେଷ ହୋଇଛି। ଚଳିତ ବର୍ଷ ବନବିଭାଗ ପକ୍ଷରୁ ରାଜ୍ୟରେ ଗୋଟିଏ ଦିନରେ ପକ୍ଷୀ ଗଣତି କରାଯାଇଥିଲା। ଭିତରକନିକା ଏବଂ ହୀରାକୁଦରେ ଚଳିତ ବର୍ଷ ଅଧିକ ପକ୍ଷୀ ଦେଖାଦେଇ ଥିବାବେଳେ ଚିଲିକାରେ ପକ୍ଷୀ ସଂଖ୍ୟା କମ୍ ରହିଛି। ରାଜ୍ୟରେ ସଂପ୍ରତି ପ୍ରାୟ ୨୦୦ ପ୍ରଜାତିର ୧୫ ଲକ୍ଷରୁ ଅଧିକ ପକ୍ଷୀଙ୍କ ସମାବେଶ ହୋଇଛି। ପ୍ରଥମକରି ଗହୀରମଥାରେ ଗ୍ରେଟ୍ ବିଟେନ୍ ପକ୍ଷୀ ଦେଖାଦେଇଛି।
ଚଳିତ ବର୍ଷ ଚିଲିକାରେ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀଙ୍କ ସମାବେଶ ହୋଇଛି। ଗତବର୍ଷ ୧୮୭ ପ୍ରଜାତିର ୧୧ଲକ୍ଷ ୩୭ ହଜାର ୭୫୯ ପକ୍ଷୀଙ୍କ ସମାବେଶ ହୋଇଥିଲା। ଗତବର୍ଷ ତୁଳନାରେ ଚଳିତବର୍ଷ ପକ୍ଷୀଙ୍କ ପ୍ରଜାତି ବଢ଼ିଥିବା ବେଳେ ସଂଖ୍ୟା କିନ୍ତୁ ହ୍ରାସ ପାଇଛି। ଗତ ବର୍ଷ ତୁଳନାରେ ୧୦,୫୩୧ ସଂଖ୍ୟକ କମ ପକ୍ଷୀଙ୍କ ଆଗମନ ହୋଇଛି। ଆସିଥିବା ପକ୍ଷୀଙ୍କ ମଧ୍ୟରୁ ୧୦୯ ପ୍ରଜାତିର ୧୦ ଲକ୍ଷ ୮୭ ହଜାର ୨୨୬ ହେଉଛନ୍ତି ବିଦେଶୀ ପକ୍ଷୀ ଏବଂ ୮୭ପ୍ରଜାତିର ୪୦ ହଜାର ହେଉଛନ୍ତି ସ୍ଥାନୀୟ ବା ଦେଶୀ ପକ୍ଷୀ। ପକ୍ଷୀ ଅଭୟାରଣ୍ୟ ନଳବଣରେ ସର୍ବାଧିକ ୯୨ ପ୍ରଜାତିର ୩ ଲକ୍ଷ ୪୩ ହଜାର ୨୨୬ ଟି ପକ୍ଷୀ ଦେଖିବାକୁ ମିଳିଥିଲା।

ଚଳିତବର୍ଷ ବିଶେଷ କରି ଇରାନ, ଇରାକ, ଋଷ, ମଙ୍ଗୋଲିଆ, ଜାପାନ, ସାଇବେରିଆ, ଆଫଗାନିସ୍ତାନ, କାଜାକିସ୍ଥାନ ୧୦୯ ପ୍ରଜାତିର ୧୦ ଲକ୍ଷ ୮୭ ହଜାର ୨୨୬ ବିଦେଶାଗତ ଅତିଥି ପକ୍ଷୀ ଆସିଥିବା ବେଳେ ୮୭ ପ୍ରଜାତିର ୩୦ ହଜାର ସ୍ଥାନୀୟ ପକ୍ଷୀ ଆସିଛନ୍ତି । ଏହି ପକ୍ଷୀଙ୍କ ମଧ୍ୟରେ ଗଡ଼ୱାଲ ପ୍ରଜାତିର ୨ ଲକ୍ଷ ୧ ହଜାର ୯୨୬ ଟି, ନର୍ଦନ ପିଣ୍ଟେଲ ପ୍ରଜାତିର ୧ ଲକ୍ଷ ୯୩ ହଜାର ୩୯୪, ଇଉରେସିଆ ଉଇଟିଏମ ପ୍ରଜାତିର ୧ ଲକ୍ଷ ୫୪ ହଜାର ୯୩୭ ଟି, ବ୍ଲାକଟେଲ ପ୍ରଜାତିର ୬୮ ହଜାର ୭୯, କମନକୁକ୍କଟ ଅଛନ୍ତି ୫୪ ହଜାର ୭୮୭। ଗତବର୍ଷ ତୁଳନାରେ ଚଳିତ ବର୍ଷ ୯ଟି ପ୍ରଜାତିର ପକ୍ଷୀ ଅଧିକ ଆସିଛନ୍ତି। ସେହିଭଳି ଭିତରକନିକାରେ ୧୧୮ ପ୍ରଜାତିର ୧ ଲକ୍ଷ ୫୧ ହଜାର୬୧୪ ପକ୍ଷୀଙ୍କର ସମାବେଶ ହୋଇଛି ।
ଗତବର୍ଷ ୧୨୧ ପ୍ରଜାତିର ମୋଟ ୧ ଲକ୍ଷ ୫୧ ହଜାର ୪୨୧ ପକ୍ଷୀଙ୍କର ସମାବେଶ ହୋଇଥିଲା। ଭିତରକନିକାରେ ତିନି ପ୍ରଜାତିର ପକ୍ଷୀ ଆସିନଥିବା ବେଳେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ବର୍ଷ ଭିତରକନିକାରେ ଲେସର୍ ହ୍ୱିଷ୍ଟ୍ ଡକ୍ ପ୍ରଜାତିର ପକ୍ଷୀ ସର୍ବାଧିକ ୪୪,୮୨୫ଟି ଦେଖିବାକୁ ମିଳିଥିଲା। ସେହିଭଳି ନର୍ଦନ ପିଣ୍ଟେଲ୍ ପ୍ରଜାତିର ପକ୍ଷୀ ୧୮,୭୭୬ ଥିବା ନେଇ ଗଣତିରେ ଜଣାପଡ଼ିଛି। ଗହୀରମଥାରେ ଚଳିତ ଥର ପ୍ରଥମ କରି ଗ୍ରେଟ୍ ବିଟେନ୍ ପକ୍ଷୀ ଦେଖାଦେଇଛନ୍ତି।
ହୀରାକୁଦରେ ୧୨୨ ପ୍ରଜାତିର ୩ ଲକ୍ଷ ୭୭ହଜାର ୭୩୨ପକ୍ଷୀଙ୍କର ସମାବେଶ ହୋଇଛି। ଗତବର୍ଷ ୧୧୩ ପ୍ରଜାତିର ୩ ଲକ୍ଷ ୪୨ ହଜାର ୩୪୫ପକ୍ଷୀ ଆସିଥିଲେ। ହୀରାକୁଦରେ ଚଳିତ ବର୍ଷ ୩୪,୩୮୭ଟି ପକ୍ଷୀ ଅଧିକ ସଂଖ୍ୟାର ଦେଖାଦେଇଛନ୍ତି। ଏହି ପକ୍ଷୀ ଗଣନା ରାଜ୍ୟର ମୋଟ ୭୦୦ ବର୍ଗ କିଲୋମିଟର ଜଳାଶୟକୁ ୨୧ଟି ସେକ୍ଟରରେ ବିଭକ୍ତ କରାଯାଇଥିଲା । ସେଥିରେ ୩୨ଟି ଦଳର ୭୦ରୁ ଅଧିକ ପକ୍ଷୀ ଗବେଷକ, ପକ୍ଷୀ ବିଶାରଦ, ପକ୍ଷୀପ୍ରେମୀ, ଛାତ୍ରଛାତ୍ରୀଙ୍କ ସହ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ।

Comments are closed.