www.samajalive.in
Friday, December 12, 2025
14.1 C
Bhubaneswar

ଧାନର ଏମ୍‌ଏସ୍‌ପି ୧୦୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଖରିଫ ଋତୁରେ ଚାଷ କରାଯାଉଥିବା ୧୪ଟି କୃଷିଜାତ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‍ପି) ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ୫ରୁ ୯% ପର୍ଯ୍ୟନ୍ତ ହୋଇଛି। ସେଥିମଧ୍ୟରେ ଧାନ, ତୈଳବୀଜ, ଡାଲି, ବାଜରା, ସୋୟାବିନ ଆଦି ଅନ୍ତର୍ଭୁକ୍ତ। ଦେଶର ଅନ୍ୟତମ ମୁଖ୍ୟ ଖାଦ୍ୟଶସ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୧୦୦ ଟଙ୍କା ବୃଦ୍ଧି କରାଯାଇଛି। ପୂର୍ବରୁ ଏହାର ମୂଲ୍ୟ କ୍ବିଣ୍ଟାଲ ପିଛା ୧୯୪୦ଟଙ୍କା ଥିଲାବେଳେ ଏବେ ଏହା ୨୦୪୦ ଟଙ୍କାରେ ପହଞ୍ଚିଛି। ସେହିଭଳି ଏଫ୍‌ଏକ୍ୟୁ ମାନର ‘ଏ’ ଗ୍ରେଡ଼୍‌ ଧାନର ମୂଲ୍ୟ ୧୯୬୦ରୁ ୨୦୬୦ଟଙ୍କାକୁ ବୃଦ୍ଧି କରାଯାଇଛି। ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ବସି ୨୦୨୨-୨୩ କୃଷି ଋତୁ (ଜୁଲାଇ-ଜୁନ୍‍) ନିମନ୍ତେ ଏମଏସ୍‍ପି ବୃଦ୍ଧିକୁ ଅନୁମୋଦନ କରାଯାଇଛି। ସବୁଠାରୁ ଉଲ୍ଲେଖଯୋଗ୍ୟ ଯେ ଚାଷ ପାଇଁ କମ୍‍ ପାଣି ଆବଶ୍ୟକ କରୁଥିବା ଅଥଚ ଅଧିକ ପୋଷକ ତତ୍ତ୍ୱ ଥିବା ଜୋଆର ଚାଷକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହାର ଏମଏସ୍‍ପିରେ ଉଲ୍ଲେଖନୀୟ ବୃଦ୍ଧି କରାଯାଇଛି। ଖରିଫ ଋତୁରେ ଚାଷ କରାଯାଉଥିବା ମୁଖ୍ୟ ଡାଲି ଫସଲ ଭାବରେ ମୁଗର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୨୧-୧୧ କୃଷି ବର୍ଷ ତୁଳନାରେ ୬.୬୦% ବୃଦ୍ଧି କରାଯାଇ ତାହାକୁ କୁଇଣ୍ଟାଲ ପିଛା ୭୭୫୫ ଟଙ୍କା କରାଯାଇଛି। ୨୦୨୧-୨୨ କୃଷି ବର୍ଷରେ ମୁଗର ସର୍ବନିମ୍ନ ସହାୟକ ମୂଲ୍ୟ ୭୨୭୫ ଟଙ୍କା ଧାର୍ଯ୍ୟ କରାଯାଇଥିଲା।

ସେହିଭଳି ସୋୟାବିନ ଓ ସୂର୍ଯ୍ୟମୁଖୀର ଏମଏସପି ଯଥାକ୍ରମେ ୮.୮୬% ଓ ୬.୪୦% ବୃଦ୍ଧି କରାଯାଇଛି। ତେବେ ବାଜରା କ୍ଷେତ୍ରରେ ଏମଏସ୍‍ପି ବୃଦ୍ଧି ସର୍ବନିମ୍ନ ହୋଇଛି। ୧୪ଟି କୃଷିଜାତ ସାମଗ୍ରୀର ହାରାହାରି ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରାୟ ୫.୮% ହୋଇଛି। ସମୁଦାୟ ଶସ୍ୟକୁ ଅଧିକ ମୂଲ୍ୟ ମିଳିଲେ ପାଇକାରୀ ମୂଲ୍ୟସୂଚୀ ଭିତ୍ତି ମୁଦ୍ରାସ୍ଫୀତି ଉପରେ ଏହାର ପ୍ରାୟ ୦.୨୦% ପ୍ରଭାବ ପଡ଼ିବ ବୋଲି ଜଣାଯାଇଛି। ଗତ କିଛିମାସ ଧରି ଖାଇବା ତେଲ ଦରରେ ନିଆଁ ଲାଗିଥିବାବେଳେ ରୁଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିକୁ ଅଧିକ ଖରାପ କରିଦେଇଛି। ବୁଧବାର ସୋୟାବିନ ଏବଂ ଚିନାବାଦାମ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଥିଲେ ମଧ୍ୟ ବଜାରେ ତାହା ଯଥେଷ୍ଟ ଅଧିକ ମୂଲ୍ୟରେ ବିକ୍ରି ହେଉଥିବା ଜଣାଯାଇଛି। ସୋୟାବିନ ଏବଂ ଚିନାବାଦାମ ନିମନ୍ତେ ନୂଆ ଏମଏସ୍‍ପି କୁଇଣ୍ଟାଲ ପିଛା ୪୩୦୦ ଟଙ୍କା ଏବଂ ୫୮୫୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଖୋଲା ବଜାରରେ ସୋୟାବିନ ଦର କୁଇଣ୍ଟାଲ ପିଛା ୬୪୦୦ରୁ ୭୦୦୦ ଟଙ୍କା ଏବଂ ଚିନାବାଦାମ କୁଇଣ୍ଟାଲ ପିଛା ୫୭୦୦ରୁ ୬୬୦୦ ଟଙ୍କା ରହିଛି। ଦେଶରେ ଗତ କିଛିବର୍ଷ ଧରି ତୈଳବୀଜ ଚାଷ ଅଞ୍ଚଳ ବୃଦ୍ଧି ପାଇବାରେ ଲାଗିଛି ଏବଂ ବୁଧବାର ଏହାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିପରେ ଚାଷ ଅଞ୍ଚଳ ଅଧିକ ବୃଦ୍ଧି ଆଶା କରାଯାଉଛି ବୋଲି ଖାଇବା ତେଲ କ୍ଷେତ୍ରରେ ଥିବା ଶୀର୍ଷ ସଂଗଠନ ‘ସେଣ୍ଟ୍ରାଲ ଅର୍ଗାନାଇଜେସନ ଫର ଅଏଲ ଇଣ୍ଡଷ୍ଟ୍ରି ଆଣ୍ଡ ଟ୍ରେଡ’ର ଅଧ୍ୟକ୍ଷ ସୁରେଶ ନାଗପାଲ କହିଛନ୍ତି। ଅନୁରୂପ ଭାବରେ କପାର ଏମଏସ୍‍ପି ମଧ୍ୟମ କିସମ ନିମନ୍ତେ ୬.୧୮% ବୃଦ୍ଧି କରାଯାଇଛି। ଏହାଦ୍ୱାରା ୨୦୨୧-୨୨ ଖରିଫ ଋତୁରେ କପା ଏମଏସ୍‍ପି କୁଇଣ୍ଟାଲ ପିଛା ୫୭୨୬ ଟଙ୍କା ଥିବାବେଳେ ସମ୍ପ୍ରତି ତାହା ୬୦୮୦ ଟଙ୍କା ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories