ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ତାଙ୍କ ସରକାରର ସ୍ପଷ୍ଟ ନୀତି ଓ ସତ୍ ଉଦ୍ଦେଶ୍ୟ ଯୋଗୁଁ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଅତି ଅଳ୍ପ ସମୟ ମଧ୍ୟରେ ସରକାର ବଡ଼ ବଡ଼ ସଫଳତାମାନ ହାସଲ କରିପାରିଛନ୍ତି। ଏକ ସମ୍ବାଦ ସରବରାହ ସଂସ୍ଥାକୁ ଦେଇଥିବା ସାକ୍ଷାତ୍କାରରେ ମୋଦୀ କହିଛନ୍ତି, ସ୍ପଷ୍ଟ ନୀତି ଓ ସତ୍ ଉଦ୍ଦେଶ୍ୟ ଯୋଗୁଁ ସରକାର ଅତି ଅଳ୍ପ ଦିନ ଭିତରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ପିଲାମାନଙ୍କ ସୁରକ୍ଷାଠାରୁ ଆରମ୍ଭ କରି ଚନ୍ଦ୍ରଯାନ – ୨ର ପ୍ରେରଣ, ମୁସଲମାନ ମହିଳାମାନଙ୍କୁ ତିନିବାର ତଲାକ୍ ପ୍ରଥାରୁ ମୁକ୍ତ କରିବା ଓ କାଶ୍ମୀରରୁ ଆରମ୍ଭ କରି କୃଷକମାନଙ୍କ ମଙ୍ଗଳ ପର୍ଯ୍ୟନ୍ତ କାର୍ଯ୍ୟ ସରକାର ଏକ ଦୃଢ଼ ଜନମତ ଯୋଗୁଁ ହାସଲ କରିପାରିଛନ୍ତି। ସେ କହିଛନ୍ତି, ଜଳଶକ୍ତି ମନ୍ତ୍ରଣାଳୟ ଗଠନ କରି ଜଳ ସଂରକ୍ଷଣ ଦିଗରେ ସରକାର ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ ଜରିଆରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦଳ ନିର୍ବିଶେଷରେ ଭାରତର ଜନସାଧାରଣ ଜମ୍ମୁ, କାଶ୍ମୀର ଓ ଲଦାଖ୍ ଉପରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ସମର୍ଥନ କରିଛନ୍ତି। ମୋଦି କହିଛନ୍ତି, ଧାରା ୩୭୦ ଓ ୩୫ ଏ’ର କିଛି ନିୟମ ଭାରତର ପ୍ରଭୂତ କ୍ଷତି ଘଟାଉଥିଲା। ସେ କହିଛନ୍ତି, ଏହି ନିୟମଗୁଡ଼ିକରୁ କେବଳ ଅଳ୍ପ କିଛି ପରିବାର ଓ ବିଚ୍ଛିନ୍ନତାବାଦୀମାନେ ଲାଭବାନ୍ ହେଉଥିଲେ।



