ବଣ୍ଟା ହେଲା ନିଗମ ଓ ବୋର୍ଡ
କଳିକେଶଙ୍କୁ ଗୃହ ନିର୍ମାଣ, ଲେନିନଙ୍କୁ ଓଟିଡିସି, ପ୍ରଦୀପ ମାଝୀ ଏସଡିସି ପରାମର୍ଶଦାତା, କସ୍ତୁରୀ ମହାପାତ୍ରଙ୍କୁ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’
ଭୁବେନଶ୍ବର : ରାଜ୍ୟ ସରକାରଙ୍କ ବିଭିନ୍ନ ନିଗମ ଓ ବୋର୍ଡରେ ଅଧ୍ୟକ୍ଷ, ଉପଦେଷ୍ଟା ଏବଂ ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ତାଲିକା ଜାରି କରାଯାଇଛି। ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ଭାବେ କଳିକେଶ ନାରାୟଣ ସିଂହଦେଓଙ୍କୁ ନିଯୁକ୍ତ କରାଯାଇଥିବାବେଳେ ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ଆପିକଲ, ଡ. ବିଶ୍ବନାଥଙ୍କୁ ଓଡ଼ିଶା ରୁରାଲ ହାଉସିଂ ଉନ୍ନୟନ ନିଗମ, ଲେନିନ ମହାନ୍ତିଙ୍କୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଅଧ୍ୟକ୍ଷ ପଦ ମିଳିଛି। ଅନ୍ୟପକ୍ଷରେ ଅମରେଶ ପତ୍ରୀଙ୍କୁ ଓଡ଼ିଶା ଉଠାଜଳସେଚନ ନିଗମ ଅଧ୍ୟକ୍ଷ, ସୁବାସ ମହାରଣାଙ୍କୁ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ, ବିଜୟ ନାୟକଙ୍କୁ ଓଡ଼ିଶା ରାଜ୍ୟ ବିହନ ନିଗମ, ଦେବାଶିଷ ମହାନ୍ତିଙ୍କୁ ଓଡ଼ିଶା କୃଷି ଉଦ୍ୟୋଗ ନିଗମ, ସତ୍ୟବ୍ରତ (କୁନା) ତ୍ରିପାଠୀଙ୍କୁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫଡିସି), ଶ୍ରୀମୟୀ ମିଶ୍ରଙ୍କୁ ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଚିନ୍ମୟ ସାହୁଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ, ମିନତି ବେହେରାଙ୍କୁ ଓଡ଼ିଶା ମହିଳା ଆୟୋଗ ଅଧ୍ୟକ୍ଷା, ସଂଗ୍ରାମ ପାଇକରାୟଙ୍କୁ ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ସୁରେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଉପଦେଷ୍ଟା, କୁନା ବିହାରୀ ଦାସଙ୍କୁ ଓଡ଼ିଶା ରାଜ୍ୟ ଯୁବ କଲ୍ୟାଣ ପରିଷଦ ଅଧ୍ୟକ୍ଷ ଏବଂ ସନ୍ତୋଷ ବେଜଙ୍କୁ ଓଡ଼ିଶା କୃଷି ଉଦ୍ୟୋଗ ନିଗମର ଉପାଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଛି। ଏହାସହ ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି)ର ପରାମର୍ଶଦାତା ଭାବେ ଡ. ପ୍ରଦୀପ ମାଝୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। କସ୍ତୁରୀ ମହାପାତ୍ରଙ୍କୁ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷରେ ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ପବିତ୍ର ପାଣିଗ୍ରାହୀ ଏବଂ ତାଳଚେର ଅନୁଗୋଳ ମେରାମଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ (ଟିଏଏମଡିଏ)ର ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁଙ୍କୁ ଦାୟିତ୍ବ ମିଳିଛି।
ସେହିପରି ୮ ଜଣଙ୍କୁ ବିଭିନ୍ନ ବିଭାଗ/ଯୋଜନା ପାଇଁ ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି। ଡ. ରାମଚନ୍ଦ୍ର ପଣ୍ଡାଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଉପଦେଷ୍ଟା ଭାବେ ଦାୟିତ୍ବ ଦିଆଯାଇଥିବାବେଳେ ଅନୁଭବ ପଟ୍ଟନାୟକଙ୍କୁ ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ, ସୁଧୀର ଦାସ ଏବଂ ନିବେଦିତା ନାୟକଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଡ. ଲୋପାମୁଦ୍ରା ବକ୍ସିପାତ୍ର ଏବଂ ଗୀତା ବସ୍ତିଆଙ୍କୁ ମିଶନ ଶକ୍ତି, ସରୋଜିନୀ ହେମ୍ବ୍ରମଙ୍କୁ ଏସଟି/ଏସସି ବିଭାଗ ଏବଂ ସୁମିତ୍ର ଜେନାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି। ସୂଚନାଥାଉକି, ମନ୍ତ୍ରିମଣ୍ଡଳ ପୁନର୍ଗଠନ ସମୟରେ ଗତ ଜୁନ୍ ମାସ ୪ ତାରିଖରେ ବିଭିନ୍ନ ବିଭାଗର ଉପଦେଷ୍ଟା, ନିଗମ ଏବଂ ବୋର୍ଡର ଅଧ୍ୟକ୍ଷଙ୍କୁ ମିଶାଇ ମୋଟ୍ ୨୩ ଜଣଙ୍କ ନିଯୁକ୍ତିକୁ ବାତିଲ କରାଯାଇଥିଲା। ବର୍ତ୍ତମାନ ଏହି ସରକାରୀ ପଦବୀଗୁଡ଼ିକରେ ବହୁ ନେତାଙ୍କୁ ନିଯୁକ୍ତି ମିଳିଛି।
Comments are closed.