ପିପିଲି : ଜନଜାତି ସଶକ୍ତୀକରଣ ବିନା ଭାରତ ସମୃଦ୍ଧ ଓ ସଶକ୍ତ ହୋଇପାରିବ ନାହିଁ। ଏଣୁ ଜନଜାତି ସଶକ୍ତୀକରଣକୁ ସବୁକ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଛି। ସେମାନଙ୍କର ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ବିକାଶ ସହ ଜୀବନଧାରଣର ମାନରେ ଉନ୍ନତି ଆଣିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି।
କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଠାରେ ସୋମବାର ଆୟୋଜିତ ‘ଭାରତୀୟ ଜନଜାତି କୃଷକଙ୍କ ନିମନ୍ତେ ଜଳକୃଷି ଜୀବିକା ଅର୍ଜନର ଏକ ବିକଳ୍ପ ପନ୍ଥା’ ଶୀର୍ଷକ ଜନଜାତି ଉପଯୋଜନାର ଦୁଇଦିନିଆ ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ରାଜ୍ୟପାଳ କହିଥିଲେ ଯେ, ଗ୍ରାମୋଦୟ ହିଁ ଭାରତ ଉଦୟର ଆଧାର। ଗ୍ରାମ୍ୟ ବିକାଶ ଓ ଗ୍ରାମାଞ୍ଚଳ ଲୋକମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଏକାନ୍ତ ଆବଶ୍ୟକ। ଭାରତର ମୂଳ ପରିଚୟ ଗାଁରେ ଅଛି ଓ ଏହି ପରିଚୟ ଆହୁରି ପ୍ରସାରିତ ଓ ପ୍ରତିଷ୍ଠିତ ହେବା ଦରକାର। ପ୍ରତ୍ୟେକ ଗାଁ ଆର୍ଥିକ ଦୃଷ୍ଟିରୁ ଆତ୍ମ ନିର୍ଭରଶୀଳ ହେବା ଜରୁରୀ। ଭାରତର ପରିଚିତି ଓ ଅସ୍ମିତାରେ ଜନଜାତିଙ୍କ ଅବଦାନକୁ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଜନଜାତିଙ୍କ ସାମର୍ଥ୍ୟର ସଫଳ ଉପଯୋଗ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହେବା ଦରକାର। ସେମାନଙ୍କର ପାରମ୍ପରିକ ଜ୍ଞାନ ସହ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ କରାଗଲେ ଉନ୍ନତି ତ୍ୱରାନ୍ୱିତ ହୋଇପାରିବ। ସମୃଦ୍ଧ ଭାରତ ଓ ସଶକ୍ତ ଭାରତ ଗଠନ ନିମନ୍ତେ ଆମକୁ ସର୍ବ ପ୍ରଥମେ ଦେଶର ଜନଜାତି ମାନଙ୍କୁ ସଶକ୍ତ ଓ ବିକଶିତ କରିବାକୁ ପଡିବ। ଏହି କ୍ଷେତ୍ରରେ ସିଫାର ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିବା ସହ ଏହାକୁ ଆହୁରି ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଥିଲେ।
ଭାରତୀୟ କୃଷି ଗବେଷଣା ପରିଷଦର ଉପ ମହାନିର୍ଦ୍ଦେଶକ ଡ଼ଃ ଜୟକୃଷ୍ଣ ଜେନା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଦେଶର ଜନଜାତିଙ୍କ ବିକାଶ ତଥା ଜୀବିକା ଓ ଖାଦ୍ୟ ସୁରକ୍ଷା ନିମନ୍ତେ ପରିଷଦରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପ ସଂପର୍କରେ ଆଲୋକପାତ କରିଥିଲେ। ୧୯୯୨ ମସିହାରୁ ପରିଷଦ ଏହି କ୍ଷେତ୍ରରେ ଦେଶବ୍ୟାପୀ କରି ଆସୁଥିବା ବିକାଶମୂଳକ କାର୍ଯ୍ୟ ନିମନ୍ତେ ସେ ସନ୍ତୋଷ ପ୍ରକାଶ କରିବା ସହ ମତ୍ସ୍ୟ ଚାଷରୁ ଲାଭବାନ ହେବା ଓ ମାଛରୁ ସ୍ୱଳ୍ପ ବ୍ୟୟରେ ପ୍ରାଣୀଜ ପୁଷ୍ଟିସାର ପାଇବା ନିମନ୍ତେ ସେ ଜନଜାତି ଚାଷୀମାନଙ୍କୁ ଆହ୍ୱାନ କରିଥିଲେ। ସିଫାର ନିର୍ଦ୍ଦେଶିକା ଡଃ ବିନ୍ଦୁ ଆର୍. ପିଲାଇ ନିଜର ସ୍ୱାଗତ ଭାଷଣ ମାଧ୍ୟମରେ ଦେଶର ବିଭିନ୍ନ ଅଞ୍ଚଳରେ ମଧୁର ଜଳକୃଷିର ବିକାଶ ନିମନ୍ତେ ସିଫାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସିଫାର ପ୍ରଧାନ ବୈଜ୍ଞାନିକ ଓ ଜନଜାତି ପ୍ରକଳ୍ପର ମୁଖ୍ୟ ଡ଼ଃ ବିକାଶ ଚନ୍ଦ୍ର ମହାପାତ୍ର ନିଜର ଅଭିଭାଷଣରେ ଦୀର୍ଘ ୩ ଦଶନ୍ଧି ଧରି ମାଛଚାଷ ତଥା ମତ୍ସ୍ୟ ବିହନ ଉତ୍ପାଦନ ମାଧ୍ୟମରେ ଜନଜାତି କୃଷକମାନଙ୍କ ଉତ୍ଥାନ ନିମନ୍ତେ ସିଫାର ନିରନ୍ତର ପ୍ରଚେଷ୍ଟା ଉପରେ ଗୁରୁତ୍ୱାରୋପ କରିଥିଲେ। ଦେଶର ବିଭିନ୍ନ ରାଜ୍ୟ ଯଥା- ଗୁଜୁରାଟ, କେରଳ, ତେଲେଙ୍ଗାନା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଓଡିଶା, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, ପଶ୍ଚିମବଙ୍ଗ ଓ ସମସ୍ତ ଉତ୍ତର-ପୂର୍ବ ରାଜ୍ୟ ଗୁଡିକରେ ଏହି ପ୍ରକଳ୍ପ ମାଧ୍ୟମରେ ମଧୁରଜଳ ମତ୍ସ୍ୟଚାଷ ଓ ଚାଷୀମାନଙ୍କ ଉନ୍ନତି ନିମନ୍ତେ ସିଫା ପକ୍ଷରୁ କରାଯାଉଥିବା କାର୍ଯ୍ୟ ସଂପର୍କରେ ସେ ଆଲୋକପାତ କରିଥିଲେ। ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ପି.କେ ସେନାପତି ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜନଜାତି କୃଷକଙ୍କ ଉନ୍ନତି ନିମନ୍ତେ ସରକାରଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ଯୋଜନାର ସଫଳତା ସଂପର୍କରେ ଆଲୋକପାତ କରିବା ସହ ଦେଶର ବିଭିନ୍ନ ହିତାଧିକାରୀମାନଙ୍କୁ ଉନ୍ନତ ଜ୍ଞାନକୌଶଳ ପ୍ରଦାନ କରି ମଧୁରଜଳ ଜଳକୃଷିକୁ ଆଗେଇ ନେବାରେ ସିଫାର ସହଯୋଗକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଏକ ପୁସ୍ତକ ଓ ସ୍ମରଣିକା(ଇ-ପ୍ରକାଶନ)କୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ। ପ୍ରାରମ୍ଭରେ ସେଠାରେ ଏକ କୃଷି ପ୍ରଦର୍ଶନୀକୁ ରାଜ୍ୟପାଳ ଉଦ୍ଘାଟନ କରିବା ସହ ପ୍ରଦର୍ଶନୀ ବୁଲି ଦେଖିଥିଲେ ଓ ଅଂଶଗ୍ରହଣକାରୀ କୃଷିବିତ୍ଙ୍କ ସହ ସେ ଭାବ ବିନିମୟ କରିଥିଲେ। ଏହି ଦୁଇଦିନିଆ କର୍ମଶାଳାରେ ଦେଶର ବିଭିନ୍ନ ରାଜ୍ୟରୁ ୨୦୦ରୁ ଅଧିକ ଜନଜାତି ଚାଷୀ ଯୋଗ ଦେଇଥିବା ସୂଚନା ମିଳିଛି।



