ଗୋପାଳପୁର: ଗୋପାଳପୁରରୁ ବ୍ରହ୍ମପୁର(ଡୁରା ଛକ) ପର୍ଯ୍ୟନ୍ତ ଗତ ୨ ବର୍ଷ ତଳେ ଆରମ୍ଭ ହୋଇଥିବା ରାସ୍ତାକଡ ଆଲୋକୀକରଣ ବ୍ୟବସ୍ଥା ଏବେ ଆଣ୍ଠେଇ ପଡ଼ିଥିବା ଦେଖାଯାଇଛି। ଗତ ଏକ ସପ୍ତାହ ଧରି ବର୍ଜିସ ପେଣ୍ଠ ଛକ ଠାରୁ ଗୋପଳପୁର ପର୍ଯ୍ୟନ୍ତ ରାସ୍ତାକଡ ଆଲୁଅ ବ୍ୟବସ୍ଥା ବନ୍ଦ ରହିଥିବା ବେଳେ ଏହାକୁ କାର୍ଯ୍ୟକ୍ଷମ କରାଇବାରେ ଦାୟିତ୍ୱରେ ରହିଥିବା ବ୍ରହ୍ମପୁର ଉନ୍ନୟନ କର୍ତ୍ତୁପକ୍ଷ ନିଦା ବିଷ୍ଣୁ ପାଲଟି ଯାଇଥିବା ଅଭିଯୋଗ ହେଉଛି।
ପ୍ରାୟ ୧ କୋଟି ଟଙ୍କା ସାଂସଦ ପାଣ୍ଠିରେ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ରହ୍ମପୁର ବିଡିଏ ପକ୍ଷରୁ ବ୍ରହ୍ମପୁର ଗୋପାଳପୁର ପ୍ରାୟ ୧୦ କିମି ରାସ୍ତାରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା କରଯାଇଥିଲା। କିନ୍ତୁ ଗତ ୨୦୨୪ ମାର୍ଚ୍ଚ ପରଠାରୁ ବିଡ଼ିଏ ପକ୍ଷରୁ ଏହି ଆଲୋକୀକରଣ ବ୍ୟବସ୍ଥାର ବାର୍ଷିକ ରକ୍ଷଣାବେକ୍ଷଣ ନିମନ୍ତେ କାହାରିକୁ ଦାୟିତ୍ୱ ଦିଆ ଯାଇନପାରିବାରୁ ଏବେ ଅଧିକାଂଶ ସ୍ଥାନରେ ଆଲୁଅ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଅନେକ ସ୍ଥାନରେ କେତେକ ଆଲୁଅ ଭାଙ୍ଗି ଯାଇଥିବା ବେଳେ ଅନେକ ଖୁଣ୍ଟରେ ଆଲୁଅ ଜଳୁ ନାହିଁ। ଗତ ଅକ୍ଟୋବର ମାସରେ ଡୁରାଛକ ଠାରୁ ରାମଚନ୍ଦ୍ରପୁରଠାରେ ଥାନା ଏକ ଘରୋଇ ଯାନ୍ତ୍ରୀକ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ଅନ୍ଧାରରେ ରହିଥିଲା। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ସମେତ ଗୋପାଳପୁର ବିଧାୟକ, ସାଂସଦ ଓ ବିଡ଼ିଏ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। କିନ୍ତୁ ବିଡ଼ିଏ ନିକଟରେ ମରାମତି ନିମନ୍ତେ ମାନବ ସମ୍ବଳ ନଥିବା ଏବଂ ପାଣ୍ଠି ନଥିବାରୁ ଏହାକୁ ମରାମତି କରି ପାରିବେ ନାହିଁ ବୋଲି ମନା କରିଦେଇଥିଲେ। ସେହି ସମୟରେ ଡୁରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ନାରାୟଣ ପାତ୍ର ଗ୍ରାମର କିଛି ଯୁବକଙ୍କ ସହାୟତାରେ ଉକ୍ତ ଆଲୁଅ ବ୍ୟବସ୍ଥାକୁ ସଜାଡି ଥିଲେ। ଏହା ପରେ ଗତ ମାର୍ଚ୍ଚ ମାସରେ ଅନୁରୂପ ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଛକ ଠାରୁ ବର୍ଜିସପେଣ୍ଠ ଛକ ପର୍ଯ୍ୟନ୍ତ ଅନୁରୂପ ଭାବେ ଆଲୋକ ବନ୍ଦ ରହିଥିଲା। କରାପଲ୍ଲୀ ଗ୍ରାମବାସୀ ପକ୍ଷରୁ ଚାନ୍ଦା କରି ଆଲୁଅ ବ୍ୟବସ୍ଥା ସଜଡ଼ା ଯାଇଥିଲା । ଏବେ ବର୍ଜିସ ପେଣ୍ଠ ଛକ ଠାରୁ ଗୋପାଳପୁର ପର୍ଯ୍ୟନ୍ତ ପ୍ରାୟ ୩ କିମି ରାସ୍ତା ଅନ୍ଧାରରେ ରହିଥିବା ବେଳେ ଏହାକୁ ବିଡିଏ ମରାମତି କରିବା ନା ଏବେ ଆଉ ଥରେ ସ୍ଥାନୀୟ ଅଞ୍ଚଳବାସୀ ଚାନ୍ଦା କରି ମରାମତି କରିବେ ବୋଲି ସାଧାରଣରେ ଆଲୋଚନା ହେଉଛି। ଗୋପାଳପୁର ଏକ ପର୍ଯ୍ୟଟନସ୍ଥଳୀ ଭାବରେ ପରିଗଣିତ ହେଉଥିବାରୁ ଏଠାକୁ ପ୍ରତ୍ୟହ ଶହଶହ ପର୍ଯ୍ୟଟକ ପରିବାର ସହ ବୁଲିବାକୁ ଆସିଥାନ୍ତି। ରାସ୍ତାରେ ଆଲୁଅ ବ୍ୟବସ୍ଥା ରହିଥିବାରୁ ପର୍ଯ୍ୟଟକମାନେ ନିର୍ଭୟ ଭାବେ ଯାଆ ଆସ କରିଥାନ୍ତି। ରାସ୍ତା ଅନ୍ଧାରରେ ରହୁଥିବାରୁ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ମାନ ଘଟିବା ଅଭିଯୋଗ ହେଉଛି। ଏହାସହ ଅନ୍ଧାର ଯୋଗୁଁ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବା ଆଶଙ୍କା ବଢି ଯାଇଛି। ଏଣୁ ବିଡ଼ିଏ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୁଅ ବ୍ୟବସ୍ଥା ସଜାଡିବାକୁ ସାଧାରଣରେ ଦାବି ହେଉଛି।



