ଗୋପାଳପୁର: ଶୀତଳାପଲ୍ଲୀଠାରେ ଥିବା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଗତ ସୋମବାର ଅପରାହ୍ନରେ କ୍ୟାମ୍ପସ ପରିସରରେ ଛାତ୍ରଙ୍କ ମଧ୍ୟରେ ଘଟିଥିବା ଗଣ୍ଡଗୋଳ ମାମଲାରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ୮ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ୮ ଛାତ୍ରଙ୍କ ମଧ୍ୟରୁ ୪ ଛାତ୍ର ଆଶିଷ କୁମାର ପ୍ରଧାନ, ଦ୍ବାରିକାନାଥ ଗୈାଡ, ଦେବାଶିଷ ମହାଙ୍କୁଡ ଓ ଚନ୍ଦନ କୁମାର ପ୍ରଧାନଙ୍କୁ ଆସନ୍ତା ୧ ବର୍ଷ ନିମନ୍ତେ ମହାବିଦ୍ୟାଳୟରୁ ବହିଷ୍କୃତ କରାଯାଇଛି। ଜଣେ ଛାତ୍ର ଆଶିଷ ରଞ୍ଜନ ସାହୁଙ୍କୁ ଆସନ୍ତା ୨ ମାସ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମରୁ ବହିଷ୍କୃତ କରାଯାଇଛି। ଆଉ ୨ ଛାତ୍ର ବିଶ୍ବ ରଞ୍ଜନ ବିଶ୍ବାଳ ଓ ସିବୁନ କୁମାର ସ୍ବାଇଁଙ୍କୁ ଆସନ୍ତା ୨ ସପ୍ତାହ ଏବଂ ଜଣେ ଛାତ୍ର ବିକାଶ କୁମାର ସାହୁଙ୍କୁ ୨ ମାସ ପର୍ଯ୍ୟନ୍ତ ହଷ୍ଟେଲରୁ ବହିଷ୍କୃତ କରାଯାଇଛି।ଏହି ଘଟଣା ନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ନୋଟିସ ଜାରି କରାଯିବା ପରେ କ୍ୟାମ୍ପସ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖା ଦେଇଥିଲା। ଏହାକୁ ନେଇ କାର୍ଯାନୁଷ୍ଠାନ ନିଆଯାଇଥିବା ୮ ଛାତ୍ର ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ବାଇଁଙ୍କୁ ସାକ୍ଷାତ କରିବାକୁ କାର୍ଯ୍ୟାଳୟ ଯାଇଥିବା ବେଳେ ଅଧ୍ୟକ୍ଷ ଅନୁପସ୍ଥିତ ରହିଥିବାରୁ ଉପାଧ୍ୟକ୍ଷଙ୍କୁ ସାକ୍ଷାତ କରି କେଉଁ ଆଧାରରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହା ନେଇ ଜବାବ ମାଗିଥିବା ଜଣାପଡିଛି।
ଅନ୍ୟ ପଟେ ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ କଲେଜ ଅଧ୍ୟକ୍ଷ ଓ ଶୃଙ୍ଖଳା କମିଟି ପକ୍ଷରୁ ଏକତରଫା ନିଷ୍ପତ୍ତି ନିଆଯାଇ ଏପରି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି। ୮ ଛାତ୍ର ଙ୍କ ମଧ୍ୟରୁ କେବଳ ଜଣେ ଛାତ୍ରଙ୍କ ମତାମତ ନିଆଯାଇଥିବା ବେଳେ ବଳକା ଛାତ୍ରଙ୍କ ଠାରୁ କୈଣସି ମତାମତ ନିଆଯାଇଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି। ଏହା ସହ ଏହି ଗଣ୍ଡଗୋଳ ଦ୍ବିତୀୟ ବର୍ଷର ଛାତ୍ରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ବେଳେ ସେମାନଙ୍କ ବିରୋଧରେ କଲେଜ ପକ୍ଷରୁ ସେହି ଛାତ୍ରଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। କଲେଜ ପକ୍ଷରୁ ନୋଟିସ ପ୍ରକାଶନ ପରେ ତୃତୀୟ ବର୍ଷର ଛାତ୍ରଙ୍କ ଅସନ୍ତୋଷ ଦେଖାଦେଇଛି। ଏହା ସହ କଲେଜ କର୍ତୃପକ୍ଷ ପକ୍ଷରୁ ନୋଟିସ କୁ ପ୍ରତ୍ୟାହର ନକଲେ ଆଗାମୀ ଦିନରେ ଏହା ନେଇ ଛାତ୍ର ଆନ୍ଦୋଳନ ଦେଖାଦେବା ସମ୍ଭାବନା ରହିଥିବା ସୂଚନା ମିଳିଛି।
କଲେଜ କର୍ତୃପକ୍ଷଙ୍କ ପକ୍ଷରୁ କଲେଜରେରେ ପଢୁଥିବା କୈାଣସି ବିଦ୍ୟାର୍ଥୀଙ୍କୁ ଗତ ୨ ବର୍ଷ ହେଲା ପରିଚୟ ପତ୍ର ପ୍ରଦାନ କରା ଯାଇନଥିବା ସହ ଡ୍ରେସ କୋଡ ଲାଗୁ ହୋଇ ନଥିବାରୁ ଅନେକ ସମୟରେ କ୍ୟାମ୍ପସ ପରିସରରେ ସିନିୟର୍ ଓ ଜୁନିୟର ଛାତ୍ରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି। ଏହା ନେଇ ସିନିୟର୍ ଛାତ୍ରଙ୍କ ପକ୍ଷରୁ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଅଧ୍ୟକ୍ଷଙ୍କ ପକ୍ଷରୁ ଏହାର ସମାଧାନ ନେଇ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଗତ ସୋମବାର ଦିନ ଏହିପରି ସ୍ଥିତି ଉପୁଜିଥିବା ଜଣାପଡିଛି। ଡ୍ରେସ କୋଡ ଓ ପରିଚୟ ପତ୍ର ନଥିବାରୁ ଅନେକ ସମୟରେ ଅଣଛାତ୍ର ମଧ୍ୟ କ୍ୟାମ୍ପସ ପରିସରରେ ପ୍ରବେଶ କରି ଅଶାନ୍ତି ସୃଷ୍ଟି କରୁଥିବା ମଧ୍ୟ ଛାତ୍ରମାନେ ଅଭିଯୋଗ କରିଛନ୍ତି।



