ଧର୍ମଗଡ଼: ଧର୍ମଗଡ଼-ଆମପାଣି ବିଜୁ ଏକ୍ସପ୍ରେସ ୱେର ପିପଲା-କନ୍ଦାଖାଲ ମଝିରେ ଥିବା ୟୂଏମଏସଏଲ କ୍ୟାମ୍ପ ନିକଟରେ ଏକ ସଡ଼କ ଦୁର୍ଘଟଣା ହୋଇଛି। ଶୁକ୍ରବାର ସକାଳେ ଶ୍ରମିକମାନଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଗାଡ଼ିରେ ଥିବା ୪୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମିଳିଥିବା ସୁଚନା ଅନୁଯାୟୀ ଶୁକ୍ରବାର ସକାଳେ ଏକ ପିକଅପ ଭ୍ୟାନ ବେହେରା ଗୁଡା ପଞ୍ଚାୟତ ପଲସପାନି ଗାଁର ୪୦ ଜଣ ଶ୍ରମିକଙ୍କୁ ନେଇ ଧର୍ମଗଡ ଯାଉଥିଲା। ଏମାନେ ସବୁ ଧାନ ରୁଆ କାମରେ ନିୟୋଜିତ ଥିଲେ। ଧର୍ମଗଡ ଯିବା ସମୟରେ ବାଟରେ ଥିବା ୟୁଏମଏସଏଲ ଠିକା କ୍ୟାମ୍ପ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ମୋଟ ୪୦ଜଣ ଶ୍ରମିକଙ୍କ ମଧ୍ୟରୁ ୩୬ ଜଣ ଶ୍ରମିକ ଆହତ ହୋଇଥିଲେ। ସେ ସମୟରେ ସେହି ରାସ୍ତା ଦେଇ ଯାଉଥିବା ବସର ଯାତ୍ରୀମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଉଦ୍ଧାର କରି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ପ୍ରାଥମିକ ଚିକିତ୍ସା ପରେ ୧୧ ଜଣଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ ବିଶ୍ବମ୍ବର ରଣା, କୌସୀକ କାଣ୍ଡ, ଧନସିଂ କାଣ୍ଡ, ବିକ୍ରମ ବାଗ, କୃପାସିନ୍ଧୁ କଟା, ମନୁ କଟା, ରଘୁନାଥ ବାଗ, ଭୋଲା ପୁଝାରୀ, ଡାଲିମ୍ଵ କଟା, ଗଜିନ୍ଦ୍ର ବାଗ । ଅନ୍ୟ ଆହତ ତୁଷାର ପୋଡ଼, ପୁସ୍ତମ ପୋଡ଼, କ୍ଷିତୀରାମ ରଣା, ଇନ୍ଦ୍ରଜିତ ମାଝୀ ଶୁକରାମ ମାଝୀ, ଦେବରାଜ ନାଏକ, ବୟା ବାଗ, ଫଳିନ୍ଦ୍ର କଟା, ଟିଲୋତମା ହଂସ, ସୁବାଷ ନାଏକ, ଅଶୋବନି ହଂସ, ଅନାମି କଟା, ମାଳତୀ କଟା, ରୁପେଶ ବାଗ, କୁବେର କଟା, ଚନ୍ଦ୍ର ବାଗ ଆଦିଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।



