ଗୋପାଳପୁର: ଗୋପାଳପୁର ଏନ ଏ ସି ର ୪ ନଂ ଓ ୫ ନଂ ଓ୍ବାର୍ଡ ପଛପଟେ ରହିଥିବା ନାଳ ନିୟମିତ ସଫେଇ ହେଉନଥିବା ନେଇ ଓ୍ବାର୍ଡ ବାସିନ୍ଦାଙ୍କ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳ ସମେତ ଏନ ଏ ସି ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ଅନୁଯାୟୀ ଗତ ଦୁଇମାସ ହେବ ଓ୍ବାର୍ଡ ସଫେଇ ଦାୟିତ୍ୱ ରେ ରହିଥିବା ସୁଇପର ଜଣଙ୍କ ନିୟମିତ ସଫେଇ ନିମନ୍ତେ ଓ୍ବାର୍ଡ କୁ ଆସୁନାହାନ୍ତି । ଯାହାଫଳରେ ରାସ୍ତା ସମେତ ନାଳ ଗୁଡ଼ିକ ଠିକ୍ ଭାବେ ସଫେଇ ହେଉନାହିଁ, ଫଳରେ ପାଣି ଜମି ରାସ୍ତା ରେ ଭାସୁଛି। ବର୍ତମାନ ବର୍ଷା ଋତୁ ଆରମ୍ଭ ହୋଇଥିବା ସହ ବର୍ଷା ପାଣି ନିଷ୍କାସନରେ ଅସୁବିଧା ହେଉଥିବାରୁ ସାହିରେ ମଶା ଓ ମାଛିଙ୍କ ଉପଦ୍ରବ ବଢ଼ିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହଇଜା ବଢି ଚାଲିଥିବା ବେଳେ ନାଳ ସଫେଇ ନହେବା ଦୂଷିତ ଜଳ ଜମି ରହିବା ଯୋଗୁଁ ଗୋପାଳପୁର ରେ ମଧ୍ୟ ହଇଜା ସହ ବିଭିନ୍ନ ଜ୍ଵର ରୋଗ ବ୍ୟାପିବା ଆଶଙ୍କା ବଢିଛି।
ଏହା ସହ ବିଭିନ୍ନ ଘରକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାଇପ ସଂଯୋଗ ଗୁଡ଼ିକ ମଧ୍ୟ ନାଳ ଉପରେ ଯାଇଥିବାରୁ ମିଳୁଥିବା ପିଇବା ପାଣି ଦୂଷିତ ହେବା ଆଶଙ୍କା ବଢି ଯାଇଥିବା ନେଇ ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ସମେତ ଗୋପାଳପୁର ଏନ ଏ ସି ଏଥି ପ୍ରତି ନଜର ଦେଇ ସଫେଇ କାମ ତୁରନ୍ତ କରିବାକୁ ନିବେଦନ କରାଯାଇଛି ।



