ଆମ୍ବପୁଆ କାଳୀ ମନ୍ଦିରରୁ ହୁଣ୍ଡି ସହ ମା’ଙ୍କ ଅଳଙ୍କାର ଚୋରି

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବୁପୁଆ ମୁଖ୍ୟ ସଡ଼କ କଡ଼ରେ ଥିବା ମାଆ କାଳୀଙ୍କ ମନ୍ଦିରରେ ଶନିବାର ରାତିରେ କିଛି ଦୁର୍ବୃତ୍ତ ହୁଣ୍ଡି ସହ ମାଆଙ୍କର ବିଭିନ୍ନ ଅଲଙ୍କାର ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ମନ୍ଦିରର ପୁଜାରୀ ଭୋର ସମୟରେ ମନ୍ଦିରର କବାଟ ଖୋଲାଥିବା ଦେଖି ମନ୍ଦିର ପରିଚାଳନା କମିଟିକୁ ଅବଗତ କରାଇଥିଲେ। ଖବର ପାଇ ମନ୍ଦିର ପରିଚାଳନା କମିଟି ସମେତ ଅନ୍ୟ ମାନେ ପହଞ୍ଚିଥିଲେ। ମନ୍ଦିରର ମୁଖ୍ୟ ହୁଣ୍ଡି ଭଙ୍ଗା ଯାଇ ସେଥିରେ ଥିବା ସମସ୍ତ ଟଙ୍କା, ମନ୍ଦିର ପରିସରରେ ରହିଥିବା ଏକ ଛୋଟ ହୁଣ୍ଡି ଲୁଟ ସହ ମାଆଙ୍କ ଦୁଇଟି ରୂପା ମୁକୁଟ, ତିନୋଟି ସୁନା ଆଖି, ଗୋଟିଏ ସୁନା ଜିଭ, ଗୋଟିଏ ସୁନା ନାକ ଫୁଲ ଚୋରି ହୋଇଥିବା ଜଣାପଡିଥିଲା। ଏନେଇ କମିଟି ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଖବର ପାଇ ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରିବା ସହ ପୁଲିସ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ସହାୟତା ରେ ତଦନ୍ତ ଆରମ୍ଭ କରିଥିଲେ।। ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ କହିବା ମୁତାବକ ମନ୍ଦିରରେ ଥିବା ବଡ଼ ହୁଣ୍ଡିରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ରହିଥିବା ଅନୁମାନ କରାଯାଉଥିବା ବେଳେ ଚୋରି ହୋଇଥିବା ଛୋଟ ହୁଣ୍ଡିରେ ପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ବ ଟଙ୍କା ରହିଥିବା ବେଳେ ସୁନା ଓ ରୂପା ସାମଗ୍ରୀର ମୂଲ୍ୟ ଆନୁମାନିକ ସାଢେ଼ ତିନି ଲକ୍ଷ ଟଙ୍କାହେବ ବୋଲି ମତପ୍ରକାଶ କରିଛନ୍ତି। ମନ୍ଦିରର ବଡ ହୁଣ୍ଡିଟି ବର୍ଷକ ଥରେ ଖୋଲାଯାଇଥିବା ବେଳେ ଗତ ମାର୍ଚ୍ଚ ମାସଠାରୁ ଏ‌ହାକୁ ଖୋଲା ଯାଇନଥିଲା।

ସୂଚନାମୁତାବକ, ଗତ ବର୍ଷ ମଧ୍ୟ ଜାନୁଆରୀ ମାସରେ ଅନୁରୂପ ଭାବେ ଏହି ମନ୍ଦିର ର ହୁଣ୍ଡି ଭଙ୍ଗା ଯାଇ ଟଙ୍କା ଚୋରି ହୋଇଥିଲା। ଏଣୁ ବାରମ୍ବାର ଏହି ପରି ଭାବେ ମନ୍ଦିରରୁ ଚୋରି ହେଉଥିବା ବେଳେ ଏହାର ସୁରକ୍ଷାପାଇଁ କୌଣସି ପଦକ୍ଷେପ ନ ନିଆଯିବା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସେହିପରି ଆଜି ଅପରାହ୍ନ ସମୟରେ ମନ୍ଦିର ଠାରୁ ଦୁଇ କିଲୋମିଟର ଦୂର ତଥା ଏଲ୍ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ପଛପଟ ଏକ ବାଉଁଶ ବୁଦା ମୂଳରେ ମନ୍ଦିରରୁ ଚୋରି ଯାଇଥିବା ଏକ ହୁଣ୍ଡି ପଡ଼ିଥିବା ନେଇ ଜଣାପଡ଼ିବା ପରେ ଗୋପାଳପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ହୁଣ୍ଡିକୁ ଜବତ କରିବା ସହ ଘଟଣା ସ୍ଥଳରୁ ହୁଣ୍ଡି ଭାଙ୍ଗିବା ପାଇଁ ବ୍ୟବହୃତ ହୋଇଥିବା ଏକ ଲୁହା ଖଣ୍ଡକୁ ଜବତ କରିଛି । ଏ ନେଇ ଗୋପାଳପୁର ଥାନାରେ ୦୫/୨୦ରେ ଏକ ମାମଲା ରୁଜୁ କରାଯାଇଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

Comments are closed.