ଆଠଗଡର ବିଭିନ୍ନ ସ୍ଥାନରେ ଗୋପବନ୍ଧୁ ଜୟନ୍ତୀ
ଗୋପବନ୍ଧୁ ମହିଳା ସ୍ନାତକ କଲେଜ
ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, ସାରସ୍ୱତ ସାଧକ ଓ ନିସ୍ୱାର୍ଥପର ଜନସେବକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି। କଲେଜର ବରିଷ୍ଠ ଅଧ୍ୟାପିକା ବବିତା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଯୋଗଦେଇ କଲେଜ ସନ୍ନିକଟ ପୂଜ୍ୟପୂଜା ପୀଠରେ ପ୍ରତିଷ୍ଠିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସମ୍ମାନ ଅର୍ପଣ କରିଥିଲେ । ଏହି ଅବସରରେ ଗୋପବନ୍ଧୁଙ୍କର ତ୍ୟାଗ ଓ ସେବା ମନୋଭାବ ସଂପର୍କରେ ଆଲୋକପାତ କରି ଉପଜିଲ୍ଲାପାଳ ଶ୍ରୀ ତରାଇ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସରିତା ଆଚାର୍ଯ୍ୟ, ଟ୍ୱିଙ୍କିଲ ମିଶ୍ର, ସ୍ୱର୍ଣ୍ଣଲିସା ସାହୁ, ବର୍ଷାରାଣୀ ଦଳାଇ ଓ ରଶ୍ମିତା ପଣ୍ଡା ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଅବତାରଣା କରିଥିଲେ। କଲେଜର ବହୁ ଅଧ୍ୟାପିକା, ଛାତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।
ଗୋପବନ୍ଧୁ କନିଷ୍ଠ ମହିଳା କଲେଜ
ଗୋପବନ୍ଧୁ କନିଷ୍ଠ ମହିଳା କଲେଜରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବ ପ୍ରାଧ୍ୟାପିକା ଡଃ ସ୍ନେହଲତା ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଯୋଗଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିବା ସହ ଆଜିର ଯୁବଛାତ୍ର ସମାଜ ଗୋପବନ୍ଧୁଙ୍କ ଆଦର୍ଶକୁ ପାଥେୟ କରି ସେବା ମନୋଭାବରେ ବ୍ରତୀ ହେବା ପାଇଁ ପରାମର୍ଶ ଦେଇଥିଲେ। କଲେଜ ପରିସରରେ ପ୍ରତିଷ୍ଠିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଉପଜିଲ୍ଲାପାଳ ଓ କଲେଜର ଅଧ୍ୟାପିକାମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଗାୟତ୍ରୀ ତ୍ରିପାଠୀ, ସ୍ମିତା ମହାପାତ୍ର, ସଂଜ୍ଞା ସାଗରିକା ମହାପାତ୍ର, ଅଧ୍ୟାପକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୋନି ଦାସ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ।
ଗୋପବନ୍ଧୁ ବିଜ୍ଞାନ କଲେଜ
ଗୋପବନ୍ଧୁ ବିଜ୍ଞାନ କଲେଜରେ ମହାନ ଜନସେବକ, ସାମ୍ବାଦିକ, ସାରସ୍ୱତ ସାଧକ ଓ ‘ସମାଜ’ ଖବରକାଗଜର ପ୍ରତିଷ୍ଠାତା ପୂଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁଙ୍କର ୧୪୬ତମ ଜୟନ୍ତୀ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜ ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ଯୋଗଦେଇ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନ ଏବଂ ଓଡିଶା ପାଇଁ ତାଙ୍କର ଅବଦାନ ଓ ବିଶେଷକରି ଦିନଜନଙ୍କ ସେବାରେ ବିତିଥିବା ତାଙ୍କ ଜୀବନ ସଂପର୍କରେ ଆଲୋକପାତ କରିବା ସହ ତାଙ୍କ ନୀତି ଓ ଆଦର୍ଶ ଛାତ୍ରଛାତ୍ରୀଙ୍କ ପାଇଁ ଅନୁକରଣୀୟ ହେଉ ବୋଲି ମତବ୍ୟକ୍ତ କରିଥିଲେ। ଅଧ୍ୟାପକ ପ୍ରଣବ କୁମାର ଦାସ, ଅମିତ ଘୋଷ, ଡଃ ଗୌତମବୁଦ୍ଧ ସୀତାରାମ, ଡଃ ଦିବ୍ୟଶକ୍ତି ସାମନ୍ତରାୟ, ଅଧ୍ୟାପିକା ଛାୟା ମହାପାତ୍ର, ଦେବଶ୍ରୀତା ମିଶ୍ର, ବିଷ୍ଣୁପ୍ରିୟା ପଣ୍ଡା, ଲିପସା ଲୋପାମୁଦ୍ରା ଆଚାର୍ଯ୍ୟ, ଶୁଭଶ୍ରୀ ପ୍ରଧାନ ପ୍ରମୁଖ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ସ୍ମୃତିଚାରଣ କରିଥିଲେ। ପ୍ରାରମ୍ଭରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ଅଧ୍ୟକ୍ଷ ଓ ଅନ୍ୟମାନେ ମାଲ୍ୟାର୍ପଣ କରିଥିଲେ। ଗ୍ରନ୍ଥାଗାରିକ ଆଲୋକ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଡେମୋନଷ୍ଟ୍ରେଟର ଶୁଭଦର୍ଶନ ମହାପାତ୍ର ଧନ୍ୟବାଦ ଦେଇଥିଲେ।
ବିଶ୍ୱନାଥ ବିଦ୍ୟାପୀଠ
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୧୪୬ତମ ଜୟନ୍ତୀ ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠରେ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ରଘୁନାଥ ଶାସମଲ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତୀ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପ୍ରାରମ୍ଭରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏଥିରେ ଉଦ୍ବୋଧନ ଦେଇ ପ୍ରଧାନଶିକ୍ଷକ ଶ୍ରୀ ଶାସମଲ ଉତ୍କଳମଣି ଗୋପବନ୍ଧୁଙ୍କୁ ଦିନଦୁଃଖୀ ଦରିଦ୍ରଙ୍କ ପାଇଁ ତାଙ୍କ ସଂପୂର୍ଣ୍ଣ ଜୀବନ ଉତ୍ସର୍ଗ କରିଥିଲେ ବୋଲି ପ୍ରକାଶ କରିଥିଲେ। ତାଙ୍କ ପରି ଜଣେ ନିସ୍ୱାର୍ଥପର ଜନସେବକ ଆଜିର ଦିନରେ ବିରଳ ବୋଲି ଶ୍ରୀ ଶାସମଲ ମତବ୍ୟକ୍ତ କରବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ସରିତା ମିଶ୍ର, ପ୍ରଣତି ଷଡଙ୍ଗୀ, ଶ୍ରଦ୍ଧାଞ୍ଜଳି ଲେଙ୍କା, ଜ୍ୟୋସ୍ନାମୟୀ ସେଠୀ, ବୁଲବୁଲ ବସ୍ତି, ଶିକ୍ଷକ କାଶିନାଥ ସାହୁ, ବିଜୟ କୁମାର ସାହୁ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ସରକାରୀ ବାଳିକା ହାଇସ୍କୁଲ
ଆଠଗଡ ସରକାରୀ ବାଳିକା ହାଇସ୍କୁଲରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ସାମନ୍ତରାୟ ଏଥିରେ ଯୋଗଦେଇ ପଣ୍ଡିତ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନାଦର୍ଶ ଏବଂ ଓଡିଆ ଭାଷା ସାହିତ୍ୟ କ୍ଷେତ୍ରକୁ ତାଙ୍କର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ତାଙ୍କ ଆଦର୍ଶକୁ ପାଥେୟ କରି ଜନସେବାକୁ ବ୍ରତ ଭାବେ ଗ୍ରହଣ କରିବା ଲାଗି ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ପରିଚାଳନା କମିଟି ସଦସ୍ୟ କ୍ଷୀରୋଦ ଚନ୍ଦ୍ର ମିଶ୍ର, ଶିକ୍ଷୟିତ୍ରୀ ସ୍ନିଗ୍ଧା ପ୍ରିୟଦର୍ଶିନୀ ଷଡଙ୍ଗୀ, ଶୁଭଶ୍ରୀ ପରିଡା, ସଂଯୁକ୍ତା ଦାଶ, ଶୁଭଲକ୍ଷ୍ମୀ ତ୍ରିପାଠୀ, ଏନ ଦୀପିକା, ପ୍ରିୟଙ୍କା ପ୍ରଧାନ, ଅଞ୍ଜୁଲତା ସାହୁ, ଉଜ୍ଜଳ ହୋରୋ ପ୍ରମୁଖ ପଣ୍ଡିତ ଗୋପବନ୍ଧୁଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍କୁଲ ପରିସରରେ ପ୍ରତିଷ୍ଠିତ ପ୍ରତିମୂର୍ତ୍ତିରେ ସମସ୍ତେ ସାମୁହିକ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଗୋପବନ୍ଧୁ ବାଳିକା ହାଇସ୍କୁଲ
ଆଠଗଡ ବ୍ଲକର ଖୁଣ୍ଟକଟାସ୍ଥିତ ଗୋପବନ୍ଧୁ ବାଳିକା ହାଇସ୍କୁଲରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି। ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମମତା ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ମନୋଜ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପଣ୍ଡିତ ଗୋପବନ୍ଧୁଙ୍କ ଜୀବନୀ ବିଶେଷକରି ସେବାମୂଳକ କାର୍ଯ୍ୟକ୍ରମ ସଂପର୍କରେ କହିବା ସହ ତାଙ୍କ ତ୍ୟାଗର ପଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ସ୍କୁୁଲର ଛାତ୍ରୀମାନେ ଗୋପବନ୍ଧୁଙ୍କ ଜୀବନୀ ବିଷୟରେ ଅଧିକରୁ ଅଧିକ ଅଧ୍ୟୟନ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ। ସ୍କୁଲ ପରିସରରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ସରପଞ୍ଚ ଶ୍ରୀ ନାୟକ, ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପଣ୍ଡା ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସାମୁହିକ ମାଲ୍ୟାର୍ପଣ କରିଥିଲେ।
ସାବିତ୍ରୀ ରଥ ବିଦ୍ୟାପୀଠ
ସମସରପୁରସ୍ଥିତ ସାବିତ୍ରୀ ରଥ ନୋଡାଲ ବିଦ୍ୟାପୀଠରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୧୪୬ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶତାୟୁ ସମାଜସେବୀ ତଥା ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କର ଘନିଷ୍ଠ ସହଯୋଗୀ କଣ୍ଡୁରୀ ଚରଣ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପଣ୍ଡିତ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନ ଏବଂ ଡଃ ରଥଙ୍କ ସହ ତାଙ୍କର ସଂପର୍କ ବିଷୟରେ ଆଲୋକପାତ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସ୍କୁଲ ପରିସରରେ ପ୍ରତିଷ୍ଠିତ ପ୍ରତିମୂର୍ତ୍ତିରେ ଶ୍ରୀ ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାଲ୍ୟାର୍ପଣ କରିଥିଲେ। ପ୍ରଧାନଶିକ୍ଷକ ସୂର୍ଯ୍ୟମଣି ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରମୋଦ କୁମାର ସାହୁ, ବସନ୍ତ କୁମାର ସ୍ୱାଇଁ, ସୁବ୍ରତ କୁମାର ତ୍ରିପାଠୀ, ଶିକ୍ଷୟିତ୍ରୀ ବିନୋଦିନୀ ଦେଇ, ସୁଚିତ୍ରା ରାଉତ, ସୁଲୋଚନା ପାଲ, ସୁକନ୍ୟା ମଙ୍ଗୁଆଳ, ମିତା ରାଉତ, ସୁଜାତା ସାମନ୍ତରାୟ, ଜ୍ୟୋତିପ୍ରଭା ଭଞ୍ଜ ପ୍ରମୁଖ ଯୋଗଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ। କାର୍ଯ୍ୟାଳୟ ସହାୟକ ନିରଞ୍ଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
ବିଜୁ ଜନତା ଦଳ କାର୍ଯ୍ୟାଳୟ
ଆଠଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ମହାନ ଜନସେବକ, ସାମ୍ବାଦିକ, ସାରସ୍ୱତ ସାଧକ ଓ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୧୪୬ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ ଏଥିରେ ଅଧ୍ୟକ୍ଷତା କରି ଗୋପବନ୍ଧୁ ଓଡିଶାର ବିପର୍ଯ୍ୟୟ ପୀଡିତଙ୍କ ତ୍ରାଣକର୍ତ୍ତା ଥିଲେ ବୋଲି କହିବା ସହ ତାଙ୍କର ନିସ୍ୱାର୍ଥପର ଜନସେବା ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ନଗରପାଳ ସସ୍ମିତା ରାଉତ, ଏନଏସି ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, କାଉନସିଲର ସିପ୍ରା ଦାଶ, ଯୁବ ବିଜେଡି ସଭାପତି ଶିବଶଙ୍କର ଜେନା, ସଂଗଠକ ମନୋରଞ୍ଜନ ମିଶ୍ର, ଛାତ୍ର ବିଜେଡି ସଭାପତି ମହମ୍ମଦ ଖଲିଦଙ୍କ ସମେତ ବହୁ କାଉନସିଲର ଓ ଦଳୀୟ ନେତୃବୃନ୍ଦ ଯୋଗଦାନ କରି ପଣ୍ଡିତ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନୀ ସଂପର୍କରେ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦଳୀୟ ସଭାପତି ଶ୍ରୀ ରାଉତଙ୍କ ସମେତ ଅନ୍ୟ ସମସ୍ତ ନେତୃବୃନ୍ଦ ଗୋପବନ୍ଧୁ ମହିଳା କଲେଜ, ପୂଜ୍ୟପୂଜା ପୀଠ, ଗୋପବନ୍ଧୁ ବିଜ୍ଞାନ କଲେଜ, ବିଶ୍ୱନାଥ ବିଦ୍ୟାପୀଠ ଓ ସରକାରୀ ବାଳିକା ହାଇସ୍କୁଲରେ ପ୍ରତିଷ୍ଠିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
Comments are closed.