www.samajalive.in
Monday, December 8, 2025
14.1 C
Bhubaneswar

କାନ୍‍ଭାସରେ ଗୋପବନ୍ଧୁଙ୍କ ଜୀବନୀ

‘ସେବା-ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି’

ଭୁବନେଶ୍ୱର  : ଆମର ଗର୍ବ ଆଉ ଗୌରବ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ଓଡ଼ିଶା ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ସହ ସେବା କ୍ଷେତ୍ରରେ ସେ ଅନନ୍ୟ ଉଦାହରଣ ପାଲଟିଛନ୍ତି ବୋଲି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ତଥା ‘ସମାଜ’ ପରିଚାଳନାମଣ୍ଡଳୀର କାର୍ଯ୍ୟନିର୍ବାହୀ ସମ୍ପାଦକ ଭୀମସେନ ଯାଦବ କହିଛନ୍ତି।
‘ସମାଜ’ ଶତବାର୍ଷିକୀ କମିଟି ଏବଂ ସୁଭଦ୍ରା ଆର୍ଟ ଗ୍ୟାଲେରୀ ମିଳିତ ଆନୁକୂଲ୍ୟରେ ଟଙ୍କପାଣିରୋଡ଼ସ୍ଥିତ ସୁଭଦ୍ରା ଆର୍ଟ ଗ୍ୟାଲେରୀ ପରିସରରେ ରବିବାର ପୂର୍ବାହ୍ନରେ ଏକ ଶିଳ୍ପୀଶିବିର ଉଦ୍‍ଘାଟିତ ହୋଇଯାଇଛି। ୪ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରର ଉଦ୍‍ଘାଟନୀ ପର୍ବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ଯାଦବ କହିଥିଲେ ଯେ, ପଦପଦବୀରୁ ଊର୍ଦ୍ଧ୍ବରେ ରହି ଗୋପବନ୍ଧୁ ନିଜକୁ ସେବାରେ ନିୟୋଜିତ କରିଥିଲେ। ସେବା ଥିଲା ତାଙ୍କର ପ୍ରଥମ କର୍ତ୍ତବ୍ୟ। ସମାଜ ପ୍ରତି ତାଙ୍କ ତ୍ୟାଗ ଥିଲା ଅନନ୍ୟ। ରାଜନୀତି ତଥା ଅନ୍ୟକୌଣସି ପାଇଁ ତାଙ୍କର ଲାଳସା ନଥିଲା। ସ୍ୱାଧୀନତା ପାଇଁ ସେ ନିଜକୁ ସମର୍ପିତ କରିଥିଲେ। ‘ସମାଜ’ର ଶତବାର୍ଷିକୀ ପାଳନ ଅବ୍ୟବହିତ ପୂର୍ବରୁ ଗୋପବନ୍ଧୁଙ୍କ ସ୍ମୃତି ଉଜ୍ଜୀବିତ ରଖିବା ତଥା ଆଦର୍ଶର ପ୍ରଚାର ନିମନ୍ତେ ଏହି ଶିବିର ସହାୟକ ହେବ ବୋଲି ଶ୍ରୀ ଯାଦବ କହିଥିଲେ। ସମ୍ମାନିତ ଅତିଥିଭାବେ ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ଉତ୍କଳମଣିଙ୍କ ମହନୀୟ ଚିନ୍ତାଧାରାକୁ କାନ୍‍ଭାସ୍‍ରେ ସ୍ଥାନିତ କରି ଶିଳ୍ପୀମାନେ ସମାଜକୁ ଏକ ନୂତନ ସନ୍ଦେଶ ଦେବେ ବୋଲି ଆଶା ପ୍ରକଟ କରିଥିଲେ। ଶିବିରରେ ସାମିଲ ହୋଇଥିବା ଶିଳ୍ପୀଙ୍କ ଚିତ୍ରଗୁଡ଼ିକୁ ନେଇ ପ୍ରଥମେ କଟକରେ ପ୍ରଦର୍ଶିତ କରାଯିବ ଓ ପରେ ଗୋପବନ୍ଧୁ ଜ୍ୟୋତି କାର୍ଯ୍ୟକ୍ରମ ଅବସରରେ ସମସ୍ତ ଜିଲାରେ ପ୍ରଦର୍ଶିତ ହେବ। ଶତବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ଦିଲ୍ଲୀରେ ହେବାକୁ ଥିବା ଉତ୍ସବରେ ମଧ୍ୟ ଏହି ଚିତ୍ର ପ୍ରଦର୍ଶିତ କରାଯିବ। ଉତ୍କଳମଣିଙ୍କ ନାମରେ ଦିଲ୍ଲୀର ଏକ ରାସ୍ତାକୁ ନାମକରଣ କରିବା ତଥା ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଯୋଜନା ରହିଥିବା ସେ ସୂଚନା ଦେଇଥିଲେ। ଅନ୍ୟତମ ଅତିଥିଭାବେ ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ମାନସ ରଞ୍ଜନ ଜେନା ‘ସମାଜ’ର ଏପରି ଉଦ୍ୟମକୁ ପ୍ରଶଂସା କରିବା ସହିତ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ଗୋପବନ୍ଧୁଙ୍କ ସେବା-ଆଦର୍ଶକୁ ପହଞ୍ଚାଇବା ନିମନ୍ତେ ପରାମର୍ଶ ଦେଇଥିଲେ। ବିଶିଷ୍ଟ ସ୍ଥପତି ତଥା ସୁଭଦ୍ରା ଆର୍ଟ ଗ୍ୟାଲେରୀର ପ୍ରତିଷ୍ଠାତା ରବିନାରାୟଣ ରଥ କହିଲେ ଯେ, ଆଗାମୀ ପିଢି଼ ଗୋପବନ୍ଧୁଙ୍କ ଚଲାପଥକୁ ଅନୁସରଣ କରି ସମାଜ କଲ୍ୟାଣରେ ନିଜକୁ କିପରି ଉତ୍ସର୍ଗୀକୃତ କରିପାରିବେ ଏହି ଚିତ୍ରଗୁଡ଼ିକ ସେମାନଙ୍କୁ ପ୍ରେରଣା ଯୋଗାଇବ। ଗ୍ୟାଲେରୀର ଅଧ୍ୟକ୍ଷ ଇଂ ସୂର୍ଯ୍ୟ ରଥ ‘ସମାଜ’ର ଏପରି ସହଭାଗିତାକୁ ପ୍ରଶଂସା କରିବା ସହିତ ଶିଳ୍ପୀଙ୍କୁ ସ୍ୱାଗତ କରିଥିଲେ। ଗ୍ୟାଲେରୀର ନିର୍ଦେଶକ ଅଶୋକ ନାୟକ ଏବଂ ମୀନକେତନ ପଟ୍ଟନାୟକ ଉପସ୍ଥିତ ଥିଲେ।
ଶିବିରରେ ୨୫ଜଣ ପ୍ରତିଭାସମ୍ପନ୍ନ ଶିଳ୍ପୀ ସାମିଲ ହୋଇଥିବାବେଳେ ୨୦ଟି କାନ୍‍ଭାସରେ ଗୋପବନ୍ଧୁଙ୍କ ଜୀବନୀ ଉପରେ ସେମାନେ ଚିତ୍ର ଆଙ୍କିବେ। ବିଶେଷକରି ଗୋପବନ୍ଧୁଙ୍କ ବାଲ୍ୟଜୀବନଠାରୁ ଆରମ୍ଭକରି ସାମାଜିକ ଯୋଗଦାନ, ସେବା ତଥା ସାମ୍ବାଦିକତାକୁ କାନ୍‍ଭାସରେ ରୂପ ଦେବେ। ଏହି ଶିଳ୍ପୀଙ୍କ ମଧ୍ୟରେ ରହିଛନ୍ତି ଆଶିଷ ପାଣ୍ଡେ, ଅନିରୁଦ୍ଧ ସାହୁ, ଅନୁଷ୍କା, ବିନୋଦିନୀ ବେହେରା, ବିଭୁଦତ୍ତ ପ୍ରଧାନ, ଜିତେନ୍ଦ୍ର ଭଞ୍ଜ, ମୀନକେତନ ପଟ୍ଟନାୟକ, ରାଜେନ୍ଦ୍ର ମେହେର, ଚିନ୍ତାମଣି ବିଶ୍ୱାଳ, ଶ୍ୟାମସୁନ୍ଦର ଆଚାର୍ଯ୍ୟ, ଶଶିକାନ୍ତ ରାଉତ, କୃଷ୍ଣ ସେଠୀ, ସୁରେଶ୍ୱର ଧଳ, ପ୍ରିୟଦର୍ଶିନୀ ମହାନ୍ତି, ଗୌରୀ ମହାରଣା, ମୁକ୍ତିପଦ ନନ୍ଦୀ, ଶୁଭମୟ ବିଶ୍ୱାଳ, ରଘୁନାଥ ସାହୁ, ରବିନାରାୟଣ ରଥ, ଦିବ୍ୟ ସିଂ ସ୍ୱାଇଁ। ଏହି ଚିତ୍ରଗୁଡ଼ିକ ଆସନ୍ତା ମାସ ୪ ତାରିଖରେ ହେବାକୁ ଥିବା ‘ସମାଜ’ର ଶତବାର୍ଷିକୀ ଉତ୍ସବ ଅବସରରେ ପ୍ରଦର୍ଶିତ ହେବ।
ଆଜିର ଉଦ୍‍ଘାଟନୀ ଉତ୍ସବରେ ସମସ୍ତ ଶିଳ୍ପୀଙ୍କୁ ସମ୍ମାନିତ କରାଯାଇଥିଲା। ଆସନ୍ତା ୨୬ ତାରିଖରେ ଏହି ଶିବିର ଉଦ୍‍ଯାପିତ ହେବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories