‘ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍’ର ଜନକ ଓ ଉତ୍କଳମଣି
କଟକ : ସାରା ବିଶ୍ୱରେ ବୈଜ୍ଞାନିକମାନେ କରୋନା ଭୂତାଣୁ ସଂକ୍ରମଣର ଚିକିତ୍ସା ଲାଗି ଔଷଧ ଏବଂ ପ୍ରତିଷେଧକ ଟିକା ପ୍ରସ୍ତୁତି ପାଇଁ ଲାଗିଥିବାବେଳେ ‘ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍’ ଔଷଧ ସର୍ବାଧିକ ଚର୍ଚ୍ଚାରେ ରହିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ‘ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍’ର ଜନକ ହେଉଛନ୍ତି ମହାନ ରସାୟନତତ୍ତ୍ବବିତ, ବୈଜ୍ଞାନିକ, ଜନସେବକ ତଥା ଶିଳ୍ପପତି ଆଚାର୍ଯ୍ୟ ସାର୍ ପ୍ରଫୁଲ୍ଲ ଚନ୍ଦ୍ର ରାୟ ଏବଂ ସେ ହିଁ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ପ୍ରଥମେ ‘ଉତ୍କଳମଣି’ ସମ୍ବୋଧନ କରିଥିଲେ। ୨୮ ଜୁନ ୧୯୨୪ ମସିହାରେ ଆଚାର୍ଯ୍ୟ ପ୍ରଫୁଲ୍ଲଚନ୍ଦ୍ର ରାୟ ପଣ୍ଡିତ ଗୋପବନ୍ଧୁଙ୍କୁ ‘ଉତ୍କଳମଣି’ ସମ୍ବୋଧନ କରିବା ପରେ ଦାସ ଆପଣେ ସାରା ଜଗତରେ ଉତ୍କଳମଣି ଭାବେ ବିଦିତ ହେଲେ। ଆଜି ସାରା ବିଶ୍ବ କରୋନାଜନିତ ଆତଙ୍କ ଯୋଗୁଁ ତ୍ରାହିତ୍ରାହି ଡାକ ଛାଡ଼ିବା ସହ ଚାରିଆଡ଼େ ହାହାକାର ପଡ଼ିଥିବାବେଳେ ବିଜ୍ଞାନ ଓ ଜନସେବାସହିତ ଜଡ଼ିତ ଏହି ଦୁଇ ମହାନପୁରୁଷଙ୍କ ପୁଣିଥରେ ଆଶ୍ଚର୍ଯ୍ୟଜନକ ଯୋଗସୂତ୍ର ଘଟିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧ ଯୋଗାଣ ଲାଗି କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମ୍ୟାଲେରିଆ ରୋଗ ଚିକିତ୍ସାରେ ବ୍ୟବହାର ହେଉଥିବା ଏହି ଔଷଧକୁ ନେଇ କୋଭିଡ-୧୯ ଭୂତାଣୁର ଚିକିତ୍ସା କରିବା ଲାଗି ଏବେ ବିଭିନ୍ନ ଦେଶ ଆଶାବାଦୀ ହୋଇଛନ୍ତି। ଭାରତରୁ ଆମେରିକା, ବ୍ରାଜିଲ ସମେତ କେତେକ ଦେଶକୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ପଠାଯାଇଛି। ଭାରତ ଏହି ଔଷଧର ସବୁଠାରୁ ବଡ ଉତ୍ପାଦକ। ଏହି ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଉତ୍ପାଦନ ପଛରେ ଆଚାର୍ଯ୍ୟ ରାୟଙ୍କର ପ୍ରମୁଖ ଭୂମିକା ରହିଛି। ସେ ଭାରତୀୟ ରସାୟନ ବିଜ୍ଞାନର ଜନକ ଭାବେ ପରିଚିତ। ଜଣେ ବୈଜ୍ଞାନିକ ହେବା ସହ ସେ ଜଣେ ଶିକ୍ଷକ ଏବଂ ପ୍ରଥମ ଆଧୁନିକ ଭାରତୀୟ ରସାୟନ ଗବେଷକ ଥିଲେ। ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ‘ନାଇଟ୍ରାଇଟ୍ସର ମାଷ୍ଟର’ ବୋଲି ବି କୁହାଯାଏ। ୧୮୯୬ ମସିହାରେ ସେ ମର୍କୁରସ୍ ନାଇଟ୍ରେଟ୍ ଯୌଗିକ ଆବିଷ୍କାର କଲେ। ୧୯୦୧ରେ ଭାରତର ପ୍ରଥମ ଫାର୍ମାସ୍ୟୁଟିକାଲ କମ୍ପାନୀ ବେଙ୍ଗଲ କେମିକାଲ୍ସ ପ୍ରତିଷ୍ଠା କରିଥିଲେ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର। ଏହି ଫାର୍ମା କମ୍ପାନୀ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ର ଅଗ୍ରଣୀ ଉତ୍ପାଦକ।
ଆଚାର୍ଯ୍ୟ ପ୍ରଫୁଲ୍ଲଚନ୍ଦ୍ର କେବଳ ଜଣେ ବୈଜ୍ଞାନିକ ନ ଥିଲେ, ଦେଶର ସ୍ୱାଧୀନତା ଆନ୍ଦୋଳନରେ ବି ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସେ ସବୁବେଳେ କହୁଥିଲେ ‘ବିଜ୍ଞାନ ପ୍ରତୀକ୍ଷା କରିପାରିବ, ସ୍ୱରାଜ ନୁହେଁ’ (ସାଇନ୍ସ କ୍ୟାନ୍ ୱେଟ୍, ସ୍ୱରାଜ କ୍ୟାନ୍ ନଟ୍)।
ଗୋପବନ୍ଧୁ ଦାସ ହଜାରିବାଗ ଜେଲ୍ରୁ କାରାଦଣ୍ଡ ଭୋଗି ଫେରିବା ପରେ ଉତ୍କଳ ପ୍ରାଦେଶିକ ସମ୍ମିଳନୀର କଟକ ଅଧିବେଶନରେ ଯୋଗ ଦେଇଥିଲେ। ଗୋପବନ୍ଧୁଙ୍କ ଦେଶପ୍ରୀତି ଏବଂ ତାଙ୍କୁ ଦେଖିବା ପରେ ତାଙ୍କ ପ୍ରତି ରାଜ୍ୟବାସୀଙ୍କ ସ୍ନେହ ଶ୍ରଦ୍ଧା ଦେଖି ସେହି ସଭାରେ ସଭାପତିତ୍ୱ କରୁଥିବା ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତାଙ୍କୁ ‘ଉତ୍କଳମଣି’ ବୋଲି ସମ୍ବୋଧନ କରିଥିଲେ। ଏହି ସମ୍ବୋଧନ ପରବର୍ତ୍ତୀ ମୁହୂର୍ତ୍ତରେ ଇତିହାସ ସହିତ ଯୋଡ଼ି ହୋଇଯାଇଥିଲା। ଅର୍ଥାତ ସେହିଦିନଠାରୁ ଉତ୍କଳମଣି ଭାବେ ଗୋପବନ୍ଧୁଙ୍କୁ ଲୋକେ ମଣିଥିଲେ। ଜଣଙ୍କର ଥିଲା ଲୋକଙ୍କୁ ଆରୋଗ୍ୟ କରିବାର ନିଶା ତ ଆଉ ଜଣଙ୍କର ଥିଲା ଲୋକ ସେବା କରିବାର ଅଦମନୀୟ, ନିଃସ୍ବାର୍ଥ ମନୋବୃତ୍ତି। ବାସ୍ତବିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ଏବଂ ଉତ୍କଳମଣି ଗୋପବନ୍ଧୁ ଥିଲେ ଏକ ଅପୂର୍ବ ଯୁଗଳବନ୍ଦୀ।
Comments are closed.