ନୂଆଦିଲ୍ଲୀ: ବିଶ୍ଵର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ ଭାବେ ପରିଚିତ ଗୁଗଲର ସିଇଓ ସୁନ୍ଦର ପିଚାଇଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ଗୁଗଲର ଅନ୍ୟତମ କମ୍ପାନୀ ଆଲ୍ଫାବେଟ୍ର ଦାୟିତ୍ଵ ନେବା ସହିତ ନୂତନ ସିଇଓ ନିଯୁକ୍ତ ହୋଇଛନ୍ତି। ଗୁଗଲର ସହପ୍ରତିଷ୍ଠାତା ଲେରି ପେଜ୍ ଏବଂ ସର୍ଗି ବ୍ରିନଙ୍କ ଇସ୍ତଫା ପରେ ସୁନ୍ଦର ପିଚାଇଙ୍କୁ ଏହି ପଦବୀ ମିଳିଛି। ତେବେ ଦୁଇ ସହପ୍ରତିଷ୍ଠାତା ଲେରି ପେଜ ଏବଂ ସର୍ଗୀ ବ୍ରିନଙ୍କ ଇସ୍ତଫା ପରେ ବି ସେମାନେ କମ୍ପାନୀର ଅଂଶୀଦାର ଏବଂ ବୋର୍ଡ ଅଫ ଡାଇରେକ୍ଟର୍ସରେ ସାମିଲ ରହିବେ।
ଲେରି ଏବଂ ସର୍ଗୀ ଉଭୟେ ଷ୍ଟେନଫୋର୍ଡ ବିଶ୍ଵବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଗୁଗୁଲ ପ୍ରତିଷ୍ଠା କରିବାର ପ୍ରାୟ ୨ ଦଶନ୍ଧି ପରେ ସେମାନେ ଇସ୍ତଫା ଘୋଷଣା କରିଛନ୍ତି। ଏମାନଙ୍କ ଇସ୍ତଫା ପରେ ସୁନ୍ଦର ପିଚାଇଙ୍କୁ ଗୁଗଲ ଏବଂ ଆଲ୍ଫାବେଟର ସିଇଓ ଦାୟିତ୍ଵ ମିଳିଛି। ଉଲ୍ଲେଖଯୋଗ୍ୟ, ୨୦୧୫ରେ ଗୁଗଲ ନିଜ କମ୍ପାନୀକୁ ବିସ୍ତାର କରିବା ସହିତ ଆଲ୍ଫାବେଟ୍ ସ୍ଥାପନ କରିଥିଲେ। ଆଲ୍ଫାବେଟ୍ ଗୁଗଲର ବିଭିନ୍ନ କମ୍ପାନୀର ଏକ ଗ୍ରୁପ।
ସୂଚନାଯୋଗ୍ୟ, ସୁନ୍ଦର ପିଚାଇଙ୍କ ପୂରା ନାମ ସୁନ୍ଦରରାଜନ ପିଚାଇ। ୧୯୭୨ ଜୁଲାଇ ୧୨ରେ ତାମିଲନାଡୁର ମଦୁରାଇରେ ସେ ଜନ୍ମଗ୍ରହଣ କରିଥିଲେ। ପିଚାଇ ଆଇଆଇଟି ଖଡଗପୁରରେ ବିଟେକ୍ କରିବା ପରେ ଷ୍ଟେନଫୋର୍ଡ ବିଶ୍ଵବିଦ୍ୟାଳୟରୁ ଏମ.ଏସ କରିଥିଲେ। ଏହାପରେ ଆମେରିକାର ପେନସିଲଭେନିଆ ବିଶ୍ଵବିଦ୍ୟାଳୟରୁ ଏମବିଏ ପଢ଼ା ଶେଷ କରିଥିଲେ। ୨୦୧୫ରେ ତାଙ୍କୁ ଗୁଗଲର ସିଇଓ ଭାବେ ନିଯୁକ୍ତି ମିଳିଥିଲା।



