ଭଞ୍ଜନଗର : ତମ୍ବା, ପିତଳ ଓ ରୂପାକୁ ସୁନାରେ ପରିବର୍ତ୍ତନ କରୁଥିବା କହି ୨ ଲୁଟେରା ଦେଢ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏହି ଥାନା ଅନ୍ତର୍ଗତ ଚାକୁଣ୍ଡାପଲ୍ଲି ଗ୍ରାମରେ। ୩ଟି ସୁନା ମୁଦି, ଗୋଟିଏ ସୁନା ଚେନ ଓ ଗୋଟିଏ ମଙ୍ଗଳସୁତ୍ରକୁ ଲୁଟେରାମାନେ ଲୁଟି ନେଇଥିବାର ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ ଯେ, ସୁନା ଅଳଙ୍କାର ସଫା କରିବା ଆଳରେ ଭଞ୍ଜନଗର ସହରତଳି ଚାକୁଣ୍ଡାପଲ୍ଲୀ ଗ୍ରାମରୁ ଲୁଟେରାମାନେ ହାତ ସଫେଇ କରି ପାଖାପାଖି ଦେଢଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଏସଂପର୍କରେ ସଂପୃକ୍ତ ପରିବାର ଥାନାର ଦ୍ୱାରସ୍ଥ ହେବାପରେ ପୁଲିସ ଆଖପାଖ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରାର ଫୁଟେଜକୁ ଯାଞ୍ଚ କରିବାସହ ଅନୁସନ୍ଧାନକୁ ଜୋରଦାର କରିଛି। ହେଲେ ରିପୋର୍ଟ ଲେଖାଯିବା ସୁଦ୍ଧା ଏସଂପର୍କରେ କାହାରିକୁ ଗିରଫ କରାଯାଇପାରିନଥିବା ଜଣାପଡିଛି।
ମିଳିଥିବା ସୂଚନା ପ୍ରକାରେ ସୋମବାର ଭଞ୍ଜନଗର ଥାନା ଅନ୍ତର୍ଗତ ଚାକୁଣ୍ଡାପଲ୍ଲୀ ଇଲାକାର ବିକାଶ ଆଚାର୍ଯ୍ୟ ନାମକ ଜଣେ ବନ କର୍ମଚାରୀଙ୍କ ଘରୁ ୨ଜଣ ଲୁଟେରା ଏକ ପଲସରରେ ଆସି ସୁନା ଅଳଙ୍କାର ସଫା କରିବା ଆଳରେ ଏଭଳି କଳାକନା ବୁଲାଇଛନ୍ତି। ବିକାଶ ଦିନ ୧୦ଟାରେ ଘରୁ ଖାଇ ପିଇସାରି ଅଫିସ ଚାଲିଯିବା ପରେ ଦିନ ପାଖାପାଖି ୧୧ଟାରେ ୨ଜଣ ଲୁଟେରା ଏକ ପଲସରରେ ବିକାଶଙ୍କ ଘର ନିକଟରେ ପହଞ୍ଚିଥିଲେ। ମୁମ୍ବାଇର ରଏଲ୍ କମ୍ପାନୀ ପକ୍ଷରୁ ଏମାନେ ଆସିଥିବା ଦର୍ଶାଇ କମ୍ପାନୀର ପ୍ରଚାର ଉଦ୍ଦେଶ୍ୟରେ ଯେକୌଣସି ରୂପା, ତମ୍ବା, ପିତଳ ଆଦି ଅଳଙ୍କାରକୁ ସଫା କରି ସୁନାଭଳି କରିଦେବା କଥା କହିଥିଲେ। ଏଥିରେ ଖୁସି ଜାହିର କରି ବିକାଶଙ୍କ ପତ୍ନୀ, ମାଆ ଓ ଭାଉଜ ଘରେ ଥିବା କିଛି ରୂପା, ତମ୍ବା ଓ ପିତଳ ଅଳଙ୍କାର ଓ ସାମାନ ଦେଇଥିଲେ। ଆଉ ଖୁବ ଅଳ୍ପ ସମୟ ମଧ୍ୟରେ ୨ଲୁଟେରା ଏହିସବୁ ଜିନିଷକୁ ସୁନା ଭଳି ଚକଚକ୍ କରିଦେଇଥିଲେ। ପରେ ୩ଜଣ ହାତରେ ପିନ୍ଧିଥିବା ମୁଦି, ସ୍ତ୍ରୀଙ୍କ ମଙ୍ଗଳ ସୁତ୍ର ଓ ଭାଉଜଙ୍କ ସୁନାଚେନ୍ ସଫା କରିଦେବାକୁ କହିଥିଲେ। ଏମାନେ ମଧ୍ୟ ସେମାନଙ୍କ କଥାରେ ପ୍ରଭାବିତ ହୋଇ ଅଳଙ୍କାର ସବୁ ଦେଇଥିଲେ। ଏହିସବୁ ଅଳଙ୍କାରକୁ ଲୁଟେରାମାନେ ଅତି କୌଶଳରେ ଲୁଟିନେଇ ଏକ ପୁଡିଆରେ ପୂର୍ବରୁ ରଖିଥିବା ଏକ ପାଉଁଜିକୁ ପୁଡିଆ କରି ଏମାନଙ୍କୁ ଦେବା ସହ ୪୦ ମିନଟ୍ ପରେ ପୁଡିଆକୁ ଖୋଲିବାକୁ କହି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଆଉ ୪୦ ମିନଟ୍ ପରେ ଏମାନେ ପୁଡିଆ ଖୋଲିବାପରେ ଏଥିରେ ଏକ ପାଉଁଜି ଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଏସଂପର୍କରେ ବିକାଶଙ୍କୁ ପରିବାର ପକ୍ଷରୁ ସୂଚନା ଦିଆଯିବାପରେ ସେ ପୁଲିସରେ ଜଣାଇ ଥିଲେ। ଖବର ପାଇ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସଦଳବଳେ ଚକୁଣ୍ଡାପଲ୍ଲୀରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି। ଲୁଟେରାମାନେ ଯାଇଥିବା ଚାକୁଣ୍ଡାପଲ୍ଲୀ – ଅଗଝୋଳ ରାସ୍ତାରେ ଥିବା ଏକ ମାର୍ବଲ ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜକୁ ମଧ୍ୟ ଥାନା ପକ୍ଷରୁ ଯାଞ୍ଚ କରି ଲୁଟେରାଙ୍କ ଗତିବିଧି ସଂପର୍କରେ କିଛି ସୂଚନା ପାଇଥିବା ଜଣାପଡିଛି। ଅନୁସନ୍ଧାନକୁ ବ୍ୟାପକ କରାଯାଇ ଲୁଟେରାଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଚଳାଇଥିବା ଥାନା ଅଧିକାରୀ ସାହୁ ସୂଚନା ଦେଇଛନ୍ତି।



