www.samajalive.in
Wednesday, December 10, 2025
23.1 C
Bhubaneswar

ଗୋ-ଚାଲାଣ ଓ ହତ୍ୟା ତୁରନ୍ତ ବନ୍ଦ କରିବାକୁ ଦାବି

ତିଗିରିଆ : ତିଗିରିଆ ଅଞ୍ଚଳରେ ବେଆଇନ ଭାବେ ଗୋ-ଚାଲାଣ ଓ ଗୋହତ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ବିରୋଧ କରି ଏହି ଥାନା ଅନ୍ତର୍ଗତ ବିନ୍ଧାଣିମା ଓ ବାଲିପୁଟ ପଞ୍ଚାୟତର ଗ୍ରାମବାସୀମାନଙ୍କ ପକ୍ଷରୁ ଶତାଧିକ ଜନସାଧାରଣଙ୍କ ଦ୍ୱାରା ଶୁକ୍ରବାର ଖୁଣ୍ଟୁଣୀ-ନରସିଂହପୁର ୬୫ନଂ ରାଜ୍ୟ ରାଜପଥ ଅବରୋଧ କରାଯାଇଥିଲା । ଏହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଛି ।
ତିଗିରିଆ ବ୍ଲକର କରଡ଼ାପଲ୍ଲୀ ଓ ପଙ୍କାଳ ନିକଟବର୍ତ୍ତୀ ଜଙ୍ଗଲ ଭିତରେ ଶହଶହ ସଂଖ୍ୟାରେ ଗୋହତ୍ୟା କରାଯିବା ସହିତ ଖୁଲମଖୁଲା ବେଆଇନ ଗୋ ମାଂସ ଚାଲାଣ କରାଯାଉଥିବା ଲୋକେ ଅଭିଯୋଗ କରିଥିଲେ। ଗୋହତ୍ୟା ଜନିତ ପଚାସଢ଼ା ମାଂସର ଦୁର୍ଗନ୍ଧରେ ସ୍ଥାନୀୟ ଜନସାଧାରଣ ଅତିଷ୍ଠ ହୋଇ ପଡ଼ିଥିବା ଅଭିଯୋଗ କରିଛନ୍ତି। ବେଧଡ଼କ ଭାବେ ଏହି ଜଙ୍ଗଲରେ ଅତି ବର୍ବର ଭାବେ ଶହ ଶହ ଗୋରୁଗାଇଙ୍କୁ କଟାଯାଇ ସେମାନଙ୍କ ମାଂସକୁ ଟ୍ରକ ଯୋଗେ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି। ଗୋରୁମାନଙ୍କ ହାଡ଼, ଅନ୍ତବୁଜୁଳା ଓ ମୁଣ୍ଡଗୁଡ଼ିକ ଅନେକ ସ୍ଥାନରେ ପାହାଡ଼ ଭଳି ଗଦାହୋଇ ପଡ଼ି ରହି ପଚିସଢ଼ି ଦୁର୍ଗନ୍ଧ ହେଉଛି । ଏହାଛଡ଼ା ଗୋରୁ କାଟି ପୁଟା ଓ ରକ୍ତକୁ ଧୋଇ ନିକଟରେ ଥିବା ବାରମାଣ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଜଳକୁ ପ୍ରଦ୍ୟୁଷିତ କରାଯାଇଥିବାରୁ ଚାଷୀ ଏହି ଜଳକୁ ବ୍ୟବହାର କରିପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି। ପଚା ମାଂସ ଓ ହାଡ଼ରୁ ବାହାରୁଥିବା ଉତ୍କଟ ଦୁର୍ଗନ୍ଧ ଜଳବାୟୁକୁ ପ୍ରଦୂଷିତ କରିବା ସହିତ ଘରେ ଓ ବାହାରେ ବସିବା କଷ୍ଟକର ହେଉଥିବା ଲୋକେ କହିଛନ୍ତି। ଗୋରୁମାନଙ୍କୁ ନିର୍ମମ ଭାବେ ହତ୍ୟା କରି ସ୍ଥାନୀୟ ଜନସାଧାରଣଙ୍କ ଧାର୍ମିକ ଭାବନା ପ୍ରତି କୁଠାରଘାତ କରାଯାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏହି ବେଆଇନ କାର୍ଯ୍ୟକୁ ପ୍ରଶାସନିକ ସ୍ତରରେ ତଳୁ ଉପର ସମସ୍ତ ଅଧିକାରୀ ଜାଣିଶୁଣି ଘଣ୍ଟ ଘୋଡ଼ାଉଛନ୍ତି ଓ ଏହାକୁ ପ୍ରଶୟ ଦେଉଛନ୍ତି ବୋଲି ଲୋକେ ଅଭିଯୋଗ କରିଥିଲେ। ତେଣୁ ବେଆଇନ ଗୋ ଚାଲାଣ ଓ ହତ୍ୟାକୁ ବିରୋଧ କରି ବିନ୍ଧାଣିମା ଓ ବାଲିପୁଟ ପଞ୍ଚାୟତର ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆନ୍ଦୋଳନସ୍ଥଳରେ ପହଞ୍ଚିଥିବା ତିଗିରିଆ ତହସିଲଦାର ପ୍ରମୋଦ କୁମାର ବାସ୍କେଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ସେହିପରି ଆଜି ବିନ୍ଧାଣିମା ବାଇପାସ ହନୁମାନ ମନ୍ଦିର ନିକଟରେ ଏକ ଚୋରା ଗୋ-ଚାଲାଣ କରୁଥିବା ଟାଟା ଏସି ଗାଡ଼ି ଏକ ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ନରସିଂହପୁର ବନ୍ଧହୁଡ଼ା ଅଞ୍ଚଳର ବାପା ପୁଅ ଦୁଇଜଣ ଅତି ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ଘଟାଇ ଟାଟା ଏସି ଗାଡ଼ିଟି ବାଇକ୍ ଆରୋହତୀଙ୍କୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଗ୍ରାମବାସୀ ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ପଠାଇବା ସହିତ ଦୁର୍ଘଟଣା, ବେଆଇନ ଗୋଚାଲାଣ ଓ ଗୋହତ୍ୟାକୁ ବନ୍ଦ କରିବା ପ୍ରତିବାଦରେ ରାଜ୍ୟ ରାଜପଥକୁ ପ୍ରାୟ ୧ ଘଣ୍ଟା ଧରି ଅବରୋଧ କରିଥିଲେ । ରାସ୍ତା ଅବରୋଧ ଫଳରେ ଉଭୟ ପାର୍ଶ୍ବରେ ଶହଶହ ଯାନବାହନ ଅଟକି ରହିଥିଲା। ରାସ୍ତା ରୋକ ଖବର ପାଇ ତିଗିରିଆ ତହସିଲଦା ଶ୍ରୀ ବାସ୍କେ, ଆଇଆଇସି ସୁଚିତ୍ରା ଜେନା, ସବ୍ଇନ୍ସିପେକ୍ଟର ସନ୍ତୋଷ କୁମାର ପ୍ରଧାନ, ସୁନୀଲ କୁମାର ପାହାଡ଼ି ସିଂହ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଜା କରିବା ସହିତ ଆଗାମୀ ୧୫ଦିନ ମଧ୍ୟରେ ଏହି ବେଆଇନ କାର୍ଯ୍ୟ ପ୍ରତି ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ଭର ପ୍ରତିଶୃତ ଦେବା ପରେ ଗ୍ରାମବାସୀମାନେ ରାସ୍ତା ଅବରୋଧରୁ ହଟିଥିଲେ। ଏହି ଆନ୍ଦୋଳନରେ ସ୍ଥାନୀୟ ଅଧିବାସୀଙ୍କ ସହିତ ତୃଣମୂଳସ୍ତରର ବହୁ ଜନ ପ୍ରତିନିଧିମାନେ ସାମିଲ ଥିଲେ ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories