ଗୁରୁଡିଝାଟିଆ : ପ୍ରତ୍ୟେକ ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଉନ୍ମୋଚନ କରିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ନୈତିକ କର୍ତ୍ତବ୍ୟ। ଆଜିର ଶିଶୁ ଆସନ୍ତାକାଲିର ଦେଶ ଗଠନର ବିନ୍ଧାଣୀ। ସେମାନଙ୍କ ମୁହଁରେ ଖିଲିଖିଲି ହସ ଭରିଦେଇ ଭଲ ଓ ବଡମଣିଷ କରିବା ଦିଗରେ ସମସ୍ତେ ଆଗେଇ ଆସିବା ଆବଶ୍ୟକ ବୋଲି ସମାଜ ଓ ଲୋକ ସେବକ ମଣ୍ଡଳ ଦ୍ୱାରା ମାଧବପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ନର୍ସିଂ କଲେଜରେ ଜବାହରଲାଲ ନେହେରୁଙ୍କ ଜନ୍ମଦିବସ ପାଳନ ଉତ୍ସବରେ ଗୋପବନ୍ଧୁ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମତପ୍ରକାଶ କରିଛନ୍ତି । ନର୍ସିଂ କଲେଜର ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ ଉତ୍ସବରେ ପୌରହିତ୍ୟ କରି କହିଥିଲେ ପଣ୍ଡିତ ନେହେରୁ ଦେଶ ଓ ଜାତିର ଚିର ନମସ୍ୟ । ଶିଶୁମାନଙ୍କୁ ଅନ୍ତରଭରି ଭଲପାଇବା ସହ ସେମାନଙ୍କ ବିକାଶ ଦିଗରେ ଚାଚା ନେହେରୁଙ୍କ ଭୂମିକା ଅନନ୍ୟ। ପ୍ରତ୍ୟେକ ପଣ୍ଡିତ ନେହେରୁଙ୍କ ଜୀବନାଦର୍ଶକୁ ଅନୁସରଣ କରି କାର୍ଯ୍ୟକରିବା ସହ ଶିଶୁଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ କଲେ ଦେଶ ଆଗକୁ ଗତି କରିପାରିବ ବୋଲି କହିଥିଲେ। ଲୋକ ସେବକ ମଣ୍ଡଳ ଓଡିଶା ଶାଖାର ସଭାପତି ତଥା ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ନିରଞ୍ଜନ ରଥ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ଭଲ ଓ ବଡମଣିଷ ହେବା ପାଇଁ ଆଶୀର୍ବଚନ ପ୍ରଦାନ କରିବା ସହ କୃତୀ ବିଦ୍ୟାର୍ଥୀମାନଙ୍କୁ ପୁରସ୍କୃତ କରିଥିଲେ। ଶିକ୍ଷୟିତ୍ରୀ ଜୟଶ୍ରୀ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଶିକ୍ଷୟିତ୍ରୀ ମଧୁସ୍ମିତା ରାଉତ, ଗୀତାଞ୍ଜଳି ନନ୍ଦ, ଆକାଶ କୁମାର ସାହୁ, ରଞ୍ଜିତା ଦାସ ପ୍ରମୁଖ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳାନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ସମସ୍ତ ବିଦ୍ୟାର୍ଥୀଙ୍କୁ ଅନୁଷ୍ଠାନ ପକ୍ଷରୁ ଫୁଲ ଚନ୍ଦନ ପ୍ରଦାନ କରାଯିବା ସହ ଧୂପ, ଦୀପ ଦ୍ୱାରା ବନ୍ଦାପନା କରାଯାଇଥିଲା ।
Popular Categories



