ଗଣବଳାତ୍କାର ମାମଲା : ଗାୟତ୍ରୀ ପ୍ରଜାପତିଙ୍କ ଜାମିନ ଖାରଜ

0

ନୂଆଦିଲ୍ଲୀ : ମହିଳାଙ୍କୁ ଗଣବଳାତ୍କାର ତଥା ତାଙ୍କ ନାବାଳିକା ଝିଅ ସହିତ ଅସଦାଚରଣ ମାମଲାରେ ଅଭିଯୁକ୍ତ ଥିବା ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ପ୍ରାଥମିକ ତଦନ୍ତକୁ ଭିତ୍ତି କରି ପ୍ରଜାପତିଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିବା ଦର୍ଶାଇ ତାଙ୍କ ଜାମିନ ଆବେଦନ ଖାରଜ କରିବା ଲାଗି ଉତ୍ତର ପ୍ରଦେଶ ସରକାର ଏପ୍ରିଲରେ ସୁପ୍ରିମକୋର୍ଟ ବିଚାରପତି ଏ. କେ. ସିକ୍ରି ଏବଂ ଅଶୋକ ଭୂଷଣଙ୍କ ଖଣ୍ଡପୀଠରେ ଏକ ସତ୍ୟପାଠ ଦାଖଲ କରିଥିଲେ। ପ୍ରଜାପତିଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ନିମ୍ନକୋର୍ଟ ଅଭିଯୋଗ ଧାର୍ଯ୍ୟ କରି ଶୁଣାଣି ଜାରି ରଖିଥିବାରୁ ତାଙ୍କୁ ଜାମିନରେ ଛାଡଯିବା ଉଚିତ ନୁହେଁ ବୋଲି ରାଜ୍ୟ ସରକାର ଦର୍ଶାଇିଥିଲେ। ପୂର୍ବରୁ ଆହ୍ଲାବାଦ୍‍ ହାଇକୋର୍ଟ ମଧ୍ୟ ସମାନ କାରଣରୁ ପ୍ରଜାପତିଙ୍କ ଜାମିନ ଖାରଜ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ପ୍ରଜାପତି ଏବଂ ଅନ୍ୟ ୬ ଜଣ ବ୍ୟକ୍ତି ଖଣି ଲାଇସେନ୍ସ ପ୍ରଦାନର ପ୍ରତିଶ୍ରୁତି ଦେଇ ବର୍ଷବର୍ଷ ଧରି ତାଙ୍କୁ ବଳାତ୍କାର କରିବା ସହିତ ତାଙ୍କ ଝିଅ ଉପରେ କୁଦୃଷ୍ଟି ପକାଇଥିବା ନେଇ ସମ୍ପୃକ୍ତ ମହିଳା ଆହ୍ଲାବାଦ ଅନ୍ତର୍ଗତ ଗୌତମ ପାଲି ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରି ନ ଥିଲା। ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବା ପରେ ଏଫ୍‍ଆଇଆର୍‍ ରୁଜୁ ହୋଇଥିଲା। ପରେ ମାମଲାର ତିନି ଜଣ ଅଭିଯୁକ୍ତଙ୍କୁ ଜାମିନ ମିଳିଥିଲା।

Leave A Reply