ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଂଚାୟତର କଣ୍ଟିଆ ଗଡ଼ ନିକଟରେ ରହିଛି ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶୈବ ପୀଠ ବଟେଶ୍ୱର ପୀଠ। ପ୍ରାକୃତିକ ସୌନ୍ଦର୍ଯ୍ୟର ଅପୂର୍ଵ ଶୋଭାରାଶି ମଧ୍ୟରେ ବାଲୁକା ଶଯ୍ୟାର ବହୁ ତଳେ ରହିଛି ଏହି ମନ୍ଦିର। ଝାଉଁ ଓ କାଜୁ ଜଙ୍ଗଲ ପରିବେଶ ତଥା ନିକଟରେ ଥିବା ଜଳ ରାଶି ମନ୍ଦିରର ଶୋଭାରାଶିକୁ ଦ୍ଵିଗୁଣିତ କରିଥାଏ। ମନ୍ଦିରର ପୂର୍ଵ ପାର୍ଶ୍ୱରେ ନୂତନ ଭାବେ ନିର୍ମାଣ ହେଇଛି ପାର୍କ ଓ ଆଦର୍ଶ ପୋଖରୀ ଯାହାକି ବର୍ତମାନ ପର୍ଯ୍ୟଟକ ମୁଖ୍ୟ ଆକର୍ଷିଣ କେନ୍ଦ୍ର ବିନ୍ଦୁ ପାଲଟିଛି ।
ଫଳରେ ବହୁ ଲୋକମାନେ ଏଠାକୁ ଆସିଥାନ୍ତି ବୁଲିବାକୁ। ଗୋଟିଏ ପଟେ ଠାକୁରଙ୍କ ଦର୍ଶନ ସାଙ୍ଗକୁ ଅନ୍ୟ ପଟେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସମୁଦ୍ରର ମଜା ନେଇଥାନ୍ତି। ଏହି ସବୁ ସୁବିଧା ଦୃଷ୍ଟିରୁ ଏହି ପୀଠକୁ ବର୍ଷ ସାରା ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଲୋକମାନେ ଆସିଥାନ୍ତି। ପିକନିକ ରୁତୁରେ ପ୍ରତେକ ଦିନ ଏଠାରେ ଭିଡ଼ ଦେଖିବାକୁ ମିଳେ। ମୁଖ୍ୟତଃ କାର୍ତିକ ମାସରେ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥାଏ । ବର୍ତମାନ ଶ୍ରାବଣ ମାସ ପାଇଁ ସୋମବାର ପାଣି ଢ଼ାଳିବା ପାଇଁ ରବିବାର ଦିନ ଠାରୁ ଭକ୍ତଙ୍କ ଭିଡ଼ ହୋଇଥାଏ । ମାଘ ମାସରେ ଭକ୍ତଙ୍କ ଭିଡ଼ ହେଉଥିବା ବେଳେ ନଭେମ୍ବର ଠାରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ପିକନିକ ପାଇଁ ବହୁ ଲୋକମାନେ ଏହି ପୀଠକୁ ଆସିଥାନ୍ତି। ଐତିହାସିକ ପୃଷ୍ଠଭୂମିରୁ ଜଣାପଡୁଛି ଏହି ମନ୍ଦିରଟି ସପ୍ତମ ସତାଦ୍ଧି ବୋଲି ବୟୋଜ୍ୟେଷ୍ଠ କହିବା ଅନୁସାରେ ପ୍ରଭୁ ରାମଚନ୍ଦ୍ରଙ୍କ ଲଙ୍କା ଅଭିଯାନ ସମୟରେ ଏଠାରେ ପୂଜା କରିଥିଲେ ।କିଛି ଶିଳା ଲିପି ମଧ୍ୟ ଦେଖିବାକୁ ମିଳେ । ମନ୍ଦିର ନିକଟରେ ନୂତନ ଭାବେ ନିର୍ମାଣ ହୋଇଛି ସୁନ୍ଦର କଲ୍ୟାଣମଣ୍ଡପ, ପାର୍କ, ପୋଖରୀ, ମାର୍କେଟ କମ୍ପ୍ଲେସ,ତଥା ଅନ୍ୟାନ ବ୍ୟବସ୍ଥା ରହିଛି।ପଂଚାୟତ ପକ୍ଷରୁ ଓ ବ୍ଲକ ପ୍ରଶାସନ ପକ୍ଷରୁ ଗତ କିଛି ବର୍ଷ ହେବ ଏସବୁ ବ୍ୟବସ୍ଥା ହୋଇଛି। ମୁଖ୍ୟତଃ ହୁମା ୧୬ ଜାତୀୟ ରାଜପଥ ଠାରୁ ବଟେଶ୍ୱର ପର୍ଯ୍ୟନ୍ତ ଆର ଡି ବିଭାଗ ଅଧୀନରେ ଥିବା ରାସ୍ତାଟିର ଯଦି ସଂପ୍ରସାରଣ ହେଇପାରିବ ତାହେଲେ ଆହୁରି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିବ ।



