ଗଞ୍ଜାମ : ଦୀର୍ଘ ଦିନ ହେଲା ଦାମୋଦରପୁର କଲେଜ ଯିବା ରାସ୍ତାରେ ବନ୍ଦ ହୋଇଯାଇଥିବା ସାପ୍ତାହିକ ହାଟ ବର୍ତମାନ ପୁରୁଣା କଲେଜ ରୋଡ କାଳୀମନ୍ଦିର ନିକଟରେ ଶନିବାର ଆରମ୍ଭ ହୋଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖିବାକୁ ମିଳିଥିଲା। ହାଟ ଆରମ୍ଭ ପାଇଁ ଯେଉଁ ଭଳି ଭାବେ ପ୍ରଚାର ପ୍ରସାର ହେବା କଥା ତାହା ହୋଇପାରିନାହିଁ। ଯାହାଫଳରେ ହାଟ ପାଇଁ ଅଳ୍ପ ସଂଖ୍ୟକ ବ୍ୟବସାୟୀଙ୍କୁ ଦେଖିବାକୁ ମିଳିଛି। ଗଞ୍ଜାମ ଏନଏସି ପ୍ରଶାସନ ଉଦ୍ୟମରେ ଏହି ସାପ୍ତାହିକ ହାଟ ଆରମ୍ଭ ହୋଇଥିବାବେଳେ ଏହାର ଉଦଘାଟନ ପର୍ବରେ କେବଳ ଅଧ୍ୟକ୍ଷା, ଉପାଧ୍ୟକ୍ଷା, କିଛି କାଉନସିଲର ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ଉଦଘାଟନ ଫଳକରେ ଯଦିଓ ସମସ୍ତ କାଉନସିଲର ଏବଂ ଅଧ୍ୟକ୍ଷ, ଉପାଧ୍ୟାକ୍ଷଙ୍କ ନାମ ରହିଥିବା ଦେଖିବାକୁ ମିଳିଛି।
ଅନ୍ୟ ପଟେ ଏତେ ଦିନ ପରେ ହାଟର ଉଦଘାଟନ ପର୍ବ ହେଉଛି, ଅଥଚ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ କିମ୍ବା ସାଂସଦଙ୍କ ଅନୁପସ୍ଥିତିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରକୃତ ଘଟଣା କ’ଣ ତାହାକୁ ନେଇ ଗଞ୍ଜାମ ସହରରେ ଅଧିକ ରାଜନୈତିକ ଉଷ୍ମତା ଆଣିଦେଇଛି। ଏହି କାର୍ଯ୍ୟକ୍ରମ ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବିଧାୟକ କିମ୍ବା ସାଂସଦଙ୍କୁ ଡକାଯାଇଛି ନା ନାହିଁ ତାହା ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ବିଜ୍ଞାପିତ ଅଞ୍ଚଳରେ ବର୍ତମାନ ଭାଜପା ଦଳର ଅଧ୍ୟକ୍ଷା ରହିଛନ୍ତି। ସେହି ଦଳର ହିଁ ବିଧାୟକ ଓ ସାଂସଦ ମଧ୍ୟ ରହିଛନ୍ତି। ଯଦିଓ ସାଂସଦ ଓ ବିଧାୟକଙ୍କୁ ଡକା ହୋଇଥାଏ। ସେମାନେ କୌଣସି କାର୍ଯ୍ୟ ବ୍ୟସ୍ତତାରେ ନ ଆସିପାରିଲେ ଅନ୍ତତଃ ସେମାନେ ନାମ ଉଦଘାଟନ ଫଳକରେ ରହିବା କଥା କିନ୍ତୁ ତାହା ନାମ ଫଳକରେ ଦେଖିବାକୁ ମିଳିଲା ନାହିଁ। ଯାହାକୁ ନେଇ ଏକ ପ୍ରକାର ରୋଚକ ସ୍ଥିତି ଦେଖିବାକୁ ମିଳିଛି। ବିଧାୟକ ମହୋଦୟ କିନ୍ତୁ ହାଟ ଉଦଘାଟନ ଦିନ ଗଞ୍ଜାମ ବ୍ଲକର ଏକ ଶୈବ ପୀଠରେ ଭୋଜି କାର୍ଯ୍ୟକ୍ରମରେ ରହିଥିବା ସୂଚନା ମିଳିଛି। ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କାର୍ଯ୍ୟକ୍ରମ ପାଇଁ ବିଧାୟକ କିମ୍ବା ସାଂସଦଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ପୂର୍ବରୁ ବିଜ୍ଞାପିତ ଅଞ୍ଚଳର ବିଭିନ୍ନ କାର୍ଯ୍ୟକ୍ରମରେ ବିଧାୟକ ଯୋଗ ଦେଉଥିଲେ। ଦୀର୍ଘ ବର୍ଷ ପରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ହାଟର ଉଦଘାଟନ କାର୍ଯ୍ୟକ୍ରମ କିନ୍ତୁ ବିଧାୟକ ଆସୁନାହାନ୍ତି। ଏହାକୁ ରାଜନୈତିକ ସମୀକ୍ଷକମାନେ କାହିଁ ସହଜରେ ଗ୍ରହଣ କରିପାରୁନାହାନ୍ତି। ତେଣୁ ଏହି କଥାରେ କିଛି କେଁ ରହିଛି ବୋଲି ସହରରେ ଆଲୋଚନା ହେଉଛି।
ସୂଚନାଯୋଗ୍ୟ, ଏହି ହାଟ ୧୯୬୭ ମସିହାରେ ସର୍ବ ପ୍ରଥମେ ପ୍ରଫେସର ଗୋବିନ୍ଦ ପଣ୍ଡାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ କୌଣସି କାରଣରୁ ଏହା ବନ୍ଦ ରହିଥିଲା।



