ଗଞ୍ଜାମ ଜିଲାପାଳ ସାଇକେଲରେ ବୁଲିଲେ ସଦର ମହକୁମା
ଛତ୍ରପୁର : ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୂଲାଙ୍ଗେ ମଙ୍ଗଳବାର ସନ୍ଧ୍ୟାରେ ସାଇକେଲରେ ବୁଲି ଜିଲା ସଦର ମହକୁମା ଛତ୍ରପୁରର ବିଭିନ୍ନ ଦୋକାନ ହାଲ ଦେଖିଥିଲେ। ବିଶେଷ କରି ଚା, ପରିବା ଦୋକାନ ଗୁଡିକରେ ପଲିଥିନ ବ୍ୟବହାର ନକରିବା, ରାସ୍ତା ଉପରେ ମଇଳା ପକାଇବାକୁ ନେଇ ତାଗିଦ କରିଥିଲେ। ଏଭଳିକି ପଲିଥିନ ବ୍ୟବହାର କରୁଥିବା ସହ ରାସ୍ତାରେ ଅଳିଆ ପକାଉଥିବା ୫ଜଣ ଦୋକାନୀଙ୍କୁ ୨୫ ହଜାର ୫ଶହ ଟଙ୍କା ଜୋରିମାନା ପକାଇଥିଲେ।
ଜିଲାପାଳ ପନିପରିବା ମାର୍କେଟ, ବସଷ୍ଟାଣ୍ଡ ବୁଲିବା ସହ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଏକ ମଦ ଦୋକାନ ବାହାରେ ପ୍ଲାଷ୍ଟିକ ଗ୍ଲାସ ପଡିଥିବା ଦେଖି ତା ଠାରୁ ଜୋରିମାନା ଆଦାୟ କରିଥିଲେ। ଏଥିସହ ଦୋକାନୀମାନଙ୍କୁ ଡ୍ରେନରେ ମଇଳା ନ ପକାଇ ଡଷ୍ଟବିନ ବ୍ୟବହାର କରିବାକୁ ତାଗିଦ କରିଥିଲେ। ପଲିଥିନ, ପ୍ଲାଷ୍ଟିକ ବ୍ୟବହାର ବେଆଇନ ହୋଇଥିବାରୁ ଭବିଷ୍ୟତରେ ବ୍ୟବହାର ଯଦି କୌଣସି ଦୋକାନୀ କରେ, ତେବେ ସେମାନଙ୍କ ଠାରୁ ଅଧିକ ଜୋରିମାନା ଆଦାୟ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ ବ୍ରହ୍ମପୁର ମହାନଗରରେ ରାତିରେ ବୁଲି ଲୋକଙ୍କୁ ଆବର୍ଜନା ବାହାରେ ନ ପକାଇବା ପାଇଁ କହିବା ସହ ଜୋରିମାନା ଆଦାୟ କରାଯାଇଥିଲା। ଜ଼ିଲ୍ଲାପାଳଙ୍କ ଏହି ପରିଦର୍ଶନରେ ଏନଏସି କତୃପକ୍ଷ ଉପସ୍ଥିତ ଥିଲେ।
Comments are closed.