ଗଞ୍ଜେଇ ସମେତ ମାଉଜର ଜବତ ଘଟଣା : ୨୧ ଦିନ ପରେ ଥାନାରେ ମାମଲା

ଗୋପାଳପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା କର୍ମଚାରୀଙ୍କ ପକ୍ଷରୁ ଗଞ୍ଜେଇ ଜବତ ପାଇଁ ଚଢ଼ାଉ ସମୟରେ ଅଭିଯୁକ୍ତଙ୍କ ଠାରୁ ମାଉଜର ସହ ବୁଲେଟ ଓ ଖୋକା ଜବତ ହେବା ଘଟଣାର ୨୧ ଦିନ ପରେ ବିଭାଗୀୟ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଶ୍ରୀ ସାମନ୍ତଙ୍କ ଅଭିଯୋଗ ଅନୁଯାୟୀ ଗୋଳନ୍ଥରା ଥାନା ଅଧିନସ୍ଥ ସୋରଳ ରୋଡ ରେଳ ଫାଟକ ନିକଟରେ ଗତ ଜୁନ ୧୩ ତାରିଖରେ ଚୋରା ଗଂଜେଇ ଚାଲଣ ହେଉଥିବା ନେଇ ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗର ଏକ ପୁଲିସ ଦଳ ସେଠାରେ ଚଢ଼ାଉ କରି ୨୪ କେଜି ଗଂଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଅଭିଯୁକ୍ତ ମାନେ ହେଲେ ଚୁଡ଼ଙ୍ଗପୁରର ସିବୁନ ନାୟକ ଓ  ରାଉରକେଲା ଅଚଂଳର ରାଜୀବ ମଣ୍ଡଳ। ସେମାନଙ୍କ ଠାରୁ ଏକ ବିଦେଶୀ ମାଉଜର ସହ ୯ ଟି ଜୀବନ୍ତ ଗୁଳି, ଗୋଟିଏ ଖୋକା ଓ ଏକ ମଟର ସାଇକେଲ ଜବତ କରିଥିଲେ । ଏହା ସହ ଗଞ୍ଜେଇ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ହିଁ ସେହି ଦିନ କୋର୍ଟ ଚାଲାଣ କରିଥିଲା । କିନ୍ତୁ ଘଟଣାର ୨୧ ଦିନ ପରେ ୪ ତାରିଖ ରାତିରେ ନିଜେ ଶ୍ରୀ ସାମନ୍ତ  ଗୋଳନ୍ଥରା ଥାନାରେ  ଲିଖିତ ଅଭିଯୋଗ କରିଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।  ଅନ୍ୟପକ୍ଷରେ ଅବକାରୀ ବିଭାଗ ପକ୍ଷରୁ ଘଟଣାର ୨୧ ଦିନ ପରେ  ଥାନାରେ ଅଭିଯୋଗ କରିନଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

Comments are closed.