www.samajalive.in
Friday, December 5, 2025
20.1 C
Bhubaneswar

ସ୍ବଭାବ କବି ଗଙ୍ଗାଧର

ସୁରଭାରତୀଙ୍କ ପ୍ରିୟନନ୍ଦନ ‘ବାଲ୍ମୀକି-ବ୍ୟାସ-କାଳିଦାସ’ଙ୍କ ସାରସ୍ବତ ସୌରଭରେ ସୁରଭିତ ଥିଲା ଉତ୍କଳର ପ୍ରଖ୍ୟାତ ବାଣୀସାଧକ ସ୍ବଭାବକବି ଗଙ୍ଗାଧର ମେହେରଙ୍କ କାବ୍ୟ କବିତାର ମହାର୍ଘ ସମ୍ଭାର। ଶାଶ୍ବତ ବୈଦିକ ସଂସ୍କୃତିର ପ୍ରଖ୍ୟାପକ ଥିଲେ କବିମନିଷୀ ଗଙ୍ଗାଧର। ମେହେର କବି ଯେଉଁ ଅଭିନବ ରସମୟୀ କାବ୍ୟଧାରା ସୃଷ୍ଟି କରିଗଲେ ତାହା ଥିଲା ମୂଲ୍ୟବୋଧଭିତ୍ତିକ ନୀତିଧର୍ମୀ ସାହିତ୍ୟ।
୧୮୯୩-୯୪ ମସିହାରେ ‘ଇନ୍ଦ୍ରଧନୁ-ବିଜୁଳି’ ପତ୍ରିକାଦ୍ୱୟ ମଧ୍ୟରେ ସଂଘଟିତ ସାରସ୍ବତ ବିବାଦ ଓଡ଼ିଆ ସାହିତ୍ୟ ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା। ଏହି ବିବାଦର ଅମୃତମୟ ପରିଣାମସ୍ୱରୂପ ଓଡ଼ିଆ ଭାଷାର ସାହିତ୍ୟିକ ବିଷୟବସ୍ତୁ ମଧ୍ୟରେ ନୀତି, ଆଦର୍ଶ ଏବଂ ସାମାଜିକ ମୂଲ୍ୟବୋଧର ମାନଦଣ୍ଡରେ ପାଶ୍ଚାତ୍ୟ ସୃଷ୍ଟି ଆଦର୍ଶର ରୂପାୟନ ସମ୍ଭବ ହେଲା। ଏହା ପରବର୍ତ୍ତୀ ସମୟରେ ହେଲା ଓଡ଼ିଆ ସାହିତ୍ୟର ଆଭିମୁଖ୍ୟ ଏବଂ ସ୍ବଭାବ କବି ଗଙ୍ଗାଧରଙ୍କ ସାହିତ୍ୟ ସେହି ଆଦର୍ଶର ସାର୍ଥକ ପ୍ରତିଭୂ। ସୁତରାଂ ପାଶ୍ଚାତ୍ୟ ବିଷୟବସ୍ତୁ ପରିବର୍ତ୍ତେ ସମୃଦ୍ଧ ସଂସ୍କୃତିସମ୍ପନ୍ନ ଏ ପୁରାଣ ଦେଶର ମାଟିରୁ ଉପାଦାନ ସଂଗ୍ରହ କରି ଯୁଗସ୍ରଷ୍ଟା କବିବର ରାଧାନାଥଙ୍କ ଶୈଳୀର ଅନୁବର୍ତ୍ତନରେ ଏକ ନୂତନ ସାହିତ୍ୟାଦର୍ଶ ସୃଷ୍ଟି ହେଲା। କବି ଗଙ୍ଗାଧରଙ୍କ ନେତୃତ୍ବରେ ସୃଷ୍ଟ ଏହି ନୂତନ ସାହିତ୍ୟାଦର୍ଶରେ ଏକାଧାରରେ ସୁରୁଚି ଓ ସୁନୀତି, ପ୍ରାଚୀନ ସହିତ ଆଧୁନିକ କାବ୍ୟରୁଚି ଏବଂ ପରମ୍ପରା ଓ ପୁରୋଦୃଷ୍ଟିର ମନୋଜ୍ଞ ସମନ୍ବୟ ରୁଚିପ୍ରଦ, ପ୍ରୀତିପ୍ରଦ ଏବଂ ଗ୍ରହଣୀୟ ହୋଇପାରିଲା। କବି ଗଙ୍ଗାଧରଙ୍କ ରଚିତ ‘ଅର୍ଘ୍ୟଥାଳି’, ‘କବିତାକଲ୍ଲୋଳ’, ‘କବିତାମାଳା’ ଓ ‘କୃଷକ ସଙ୍ଗୀତ’ ଆଦି ବହୁସଂଖ୍ୟକ କବିତାଗୁଚ୍ଛ ଗଙ୍ଗାଧରଙ୍କ ସ୍ବଭାବକବିତ୍ବର ଅନ୍ତଃସ୍ଫୁଲିଙ୍ଗରେ ଚିର ଭାସ୍ବର। ମାତ୍ର ସ୍ବଭାବ କବି ଗଙ୍ଗାଧର ଥିଲେ ମୁଖ୍ୟତଃ କାବ୍ୟାମୋଦୀ। ଫଳତଃ ତାଙ୍କ ସାରସ୍ବତ ସାଧନାର ଅୟମାରମ୍ଭ କାଳରେ ତାଙ୍କ ବିରଚିତ ‘ଇନ୍ଦୁମତୀ’ କାବ୍ୟରେ ମେହେର କବିଙ୍କ ପ୍ରଦତ୍ତ ନିର୍ମଳ, ସଂଯତ, ପବିତ୍ର ତଥା ସ୍ବର୍ଗୀୟ ଦାମ୍ପତ୍ୟ ପ୍ରଣୟର ବାଙ୍‌ମୟ ଚିତ୍ର ପାଠକ ପ୍ରାଣକୁ ଦିବ୍ୟାନନ୍ଦ ରସରେ ପରିପୂର୍ଣ୍ଣ କରିଦିଏ। କବିଙ୍କ ସାରସ୍ବତ ସାଧନାର କ୍ରମବିକାଶ ପରବର୍ତ୍ତୀ କାଳରେ ଗଙ୍ଗାଧରଙ୍କ ବିରଚିତ ‘ପ୍ରଣୟବଲ୍ଲରୀ’, ‘କୀଚକ ବଧ’, ପଦ୍ମିନୀ(ଅସମ୍ପୂର୍ଣ୍ଣ), ‘ଅଯୋଧ୍ୟା ଦୃଶ୍ୟ’ ବିଶେଷତଃ (ମହାକାବ୍ୟ) ‘ତପସ୍ବିନୀ’ ପ୍ରମୁଖ କାବ୍ୟ ସହିତ ସ୍ବରଚିତ ଅସଂଖ୍ୟ କବିତାବଳୀ ମେହେର କବିଙ୍କ ନିର୍ମଳ କବିତ୍ବର ପରିଚାୟକ।
ରାମ-ସୀତା, ଦୁଷ୍ମନ୍ତ-ଶକୁନ୍ତଳା, ଅଜ-ଇନ୍ଦୁମତୀ, ଅହଲ୍ୟା, ଦ୍ରୌପଦୀ, ରାଜପୁତ ରମଣୀ ମହାସତୀ ପଦ୍ମିନୀ ଆଦି କାବ୍ୟ ଚରିତ୍ରମାନଙ୍କୁ ଜାତିପ୍ରେମୀ ଗଙ୍ଗାଧର ଭାରତୀୟ ସଂସ୍କୃତି ଓ ତା’ର ପରମ୍ପରାର ରତ୍ନାକର ଗର୍ଭରୁ ମହାର୍ଘ ମଣିମୁକ୍ତା ରୂପେ ଆହରଣ କରିଥିଲେ। ଏଭଳି ଚରିତ୍ରମାନଙ୍କୁ ବିଶ୍ବମାନବର କଲ୍ୟାଣତମ ରୂପ ପ୍ରଦାନ କରିବାରେ ସିଦ୍ଧହସ୍ତ ଥିଲେ ରଙ୍ଗାଜୀବ ଗଙ୍ଗାଧର।
“ପବିତ୍ର ସୁନ୍ଦର କାବ୍ୟଲେଖି ପ୍ରିୟ କବି

ସମୁଜ୍ବଳ କର ମାତୃଭୂମି ମୁଖ ଛବି”
ଯଥାର୍ଥତଃ ସତ୍ୟ-ଶିବ-ସୁନ୍ଦର-ସାଧକ ନିସର୍ଗ କବି ଗଙ୍ଗାଧର ନିଜ ପ୍ରିୟ କବିବନ୍ଧୁ ପଲ୍ଲୀକବି ନନ୍ଦକିଶୋରଙ୍କ ଉଲ୍ଲିଖିତ ଶୁଭେଚ୍ଛାକୁ ନିଜ ଜୀବନ ବ୍ୟାପୀ ସାରସ୍ବତ ସାଧନା ବଳରେ ଚରିତାର୍ଥ କରିବା ସଙ୍ଗେସଙ୍ଗେ ଓଡ଼ିଆ ଜାତିର ଚିରନମସ୍ୟ ହୋଇ ରହିଛନ୍ତି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories