ଗଜପତି : ଗତକାଲି ସାମୁଦ୍ରିକ ଝଡ ମନ୍ଥା ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇଛି । କିନ୍ତୁ ମନ୍ଥା ପ୍ରଭାବରେ ଗଜପତି ଜିଲ୍ଲାରେ ହୋଇଥିବା ଅତିପ୍ରବଳ ବର୍ଷା ବିଭିନ୍ନ ନାଳରେ ପ୍ରବାହିତ ହୋଇ ମହେନ୍ଦ୍ରତନୟା ଓ ବଂଶଧାରାର ବଳ ବଢାଉଛି । ଜିଲ୍ଲାରେ ଆନୁମାନିକ ୧୧୦୦ ମିଲିମିଟର ବର୍ଷା ହୋଇଥିବାବେଳେ ବର୍ତ୍ତମାନ ବନ୍ୟା ଓ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରୁ ଖିଙ୍ଗା ଓ ବଡଖିଙ୍ଗା ସଡକ ଉପରେ ବନ୍ୟାଜଳ ପ୍ରଭାବିତ ହେଉଛି । ଗୁମ୍ମାନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟାଜଳ ପ୍ରବାହିତ ହେଉଛି । ତେବେ ପାରଳାଖେମୁଣ୍ଡିଠାରେ ଏହି ନାଳ ମହେନ୍ଦ୍ରତନୟା ନଦୀରେ ମିଶିଥିବାରୁ ଏଠାରେ ବନ୍ୟାଜଳର ସ୍ରୋତ ଟିକିଏ ଅଧିକ ପ୍ରଖର ରହିଥାଏ । ଗତକାଲି ବିଳମ୍ବିତ ରାତ୍ରରୁ ଏହି ସଡକ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ସକାଳୁ ଗ୍ରାମବାସୀମାନେ ନିଜ ନିଜ କାମରେ ବାହାରକୁ ବାହାରିବା ବେଳେ ଜଳବନ୍ଧି ପରିସ୍ଥିତି ସୃଷ୍ଟି ହୋଇଥିଲା। ଉକ୍ତ ନାଳରେ ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ଲୋକେ ବିପଦ ସଙ୍କୁଳ ଅବସ୍ତାରେ ପାର ହେଉଥିବା ଦେଖିବାକୁ ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଲୋକେ ନା ଜଳତ୍ସୋତକୁ ଭୟ କରୁଛନ୍ତି ନା ନାଳର ତ୍ସୋତକୁ । ଖାମଖିଆଲ ଭାବେ କିଏ ରିଲ୍ କରୁଛି ତ କିଏ ଷ୍ଟଣ୍ଟ କରୁଛି । ଏପରିକି କିଛି ଲୋକେ ଉପଭୋଗ କରୁଥିବା ବେଳେ ଆଉ କିଛି ମସାରୀ ଓ ଜାଲ ଧରି ମାଛ ଧରୁଛନ୍ତି । ତେବେ ଯେଉଁଠାରେ ନାଳ ସଡକ ଉପରେ ପ୍ରବାହିତ ହେଉଛି ସେଠାରେ ନା ପୋଲିସ, ନା ଜିଲ୍ଲା ପ୍ରସାଶନ ନା କୌଣସି ସର୍ତକତା ସୂଚନା ଫଳକ ରହିଛି । ତେବେ ଅଧିକାଂଶ ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି କିନ୍ତୁ କିଛି ସମାଧାନ ବାଟ ବାହାରି ପାରିନାହିଁ।
Popular Categories



