BJD Bijuli 480×75 Mob

ହାପିଭାଲି ଶିଶୁଭବନ ଡକାୟତି ମାମଲା: ୪ ଗିରଫ, ଚୋରି ସାମଗ୍ରୀ ଜବତ

BJD Bijuli 480×75 Mob

ଜି.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ହାପିଭାଲି ଶିଶୁଭବନ ଡକାୟତି ମାମଲାରେ ଜି.ଉଦୟଗିରି ପୁଲିସକୁ ମିଳିଛ ବଡ ସଫଳତା। ଏନେଇ ବୁଧବାର ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ବିବରଣୀ ପ୍ରଦାନ କରିଛି ଜି.ଉଦୟଗିରି ପୁଲିସ। ହାପିଭାଲି ଶିଶୁଭବନ ଡକାୟତି ମାମଲାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ୪ ଅଭିଯୁକ୍ତ ହେଉଛନ୍ତି ଶିଶୁଭବନର ରାତ୍ର ଜଗୁଆଳି ପୁଷ୍ପକ ପ୍ରଧାନ(୩୮), ଶିଶୁଭବନରେ କାର୍ଯ୍ୟରତ ରୋଷେୟାର ଭାଇ ରମେଶ ଚନ୍ଦ୍ର ପ୍ରଧାନ(୪୩), ସୁନିବ ପ୍ରଧାନ ଓରଫ ମୁନା(୨୬) ଏବଂ ବାମଦେବ ପ୍ରଧାନ(୫୫)।

ବିବରଣୀରୁ ପ୍ରକାଶ ଯେ, ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିବା ପୁଷ୍ପକ ପ୍ରଧାନ ଓ ରମେଶ ପ୍ରଧାନ ସହ ଅନ୍ୟ ଦୁଇ ଅଭିଯୁକ୍ତ ସୁନିବ ପ୍ରଧାନ ଏବଂ ବାମଦେବ ପ୍ରଧାନ ମିଶି ଚଳିତ ମାସ ୨ ତାରିଖ ରାତି ପ୍ରାୟ ୧୧ ସମୟରେ ଶିଶୁଭବନର ଅଧ୍ୟକ୍ଷା ବନବାସିନୀ ରାଉତ ଓ ତାଙ୍କ ମାଆ ଘରେ ଖାଉଥିବା ବେଳେ ମୁଖାପିନ୍ଧି ଘରେପଶି ଭୟଭୀତ କରାଇ ୩ ତୋଳା ଓଜନର ଏକ ସୁନାଚେନ ସହ ନଗଦ ୨ ହଜାର ଟଙ୍କା ଲୁଟି ନେଇଥିଲେ। ହେଲେ ଲୁଟ୍ ସମୟରେ ଦୁର୍ଭାଗ୍ୟବଶତଃ କାର୍ଯ୍ୟରତ ରାତ୍ର ଜଗୁଆଳିର ମୁଖା ଖୋଲି ଯାଇଥିଲା। ପରେ ଶିଶୁଭବନର ଅଧ୍ୟକ୍ଷାଙ୍କ ଏତଲାକୁ ଭିତ୍ତି କରି ଥାନା କେସ ନଂ ୮୩/୨୩ରେ ଏକ ମାମଲା ରୁଜୁକରି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଓ ଉପଖଣ୍ଡ ପୁଲିସ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜି.ଉଦୟଗାରି ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ସ୍ବାଇଁ ତଦନ୍ତ ଦାୟିତ୍ବ ଏସଆଇ ଅନନ୍ତ କୁମାର ପ୍ରଧାନଙ୍କୁ ଦେଇଥିଲେ। ପରେ ଜ.ଉଦୟଗିରି ପୁଲିସ ଏହାକୁ ଚାଲେଞ୍ଜ ଭାବେ ଗ୍ରହଣ କରି ତଦନ୍ତ ଅଧିକାରୀ ଏସଆଇ ଶ୍ରୀ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରି ଛାନଭିନ୍ ଜାରି ରଖିଥିବାବେଳେ ଘଟଣା ଘଟିବାର ମାତ୍ର ୨୪ ଦିନ ମଧ୍ୟରେ ଜି.ଉଦୟଗିରି ପୁଲିସ ୪ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କଠାରୁ ଚୋରି ହୋଇଥିବା ସୁନାଚେନ, ନଗଦ ୨ ହଜାର ଟଙ୍କା, ୪ ଗୋଟି ମୋବାଇଲ ସହ ଦୁଇଟି ବାଇକ୍ ଜବତ କରିଛି। ଏଥିସହ ୪ ଅଭିଯୁକ୍ତଙ୍କୁ ଜି.ଉଦୟଗିରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସ୍ବାଇଁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉକି, ୪ ଅଭିଯୁକ୍ତଙ୍କ ମଧ୍ୟରୁ ବାମଦେବ ପ୍ରଧାନ ଓ ସୁନିବ ଓରଫ ମୁନା ନାମରେ ବିଭିନ୍ନ ଥାନାରେ ମାମଲା ଥିବାବେଳେ ସମ୍ପୃକ୍ତ ଚାରି ଅଭିଯୁକ୍ତ ଦାରିଙ୍ଗବାଡି ଅଞ୍ଚଳର ବୋଲି ଥାନା ଅଧିକାରୀ ଅଜୟ ସ୍ଵାଇଁ ସୂଚନା ଦେଇଛନ୍ତି।

Comments are closed.