www.samajalive.in
Sunday, December 14, 2025
19.1 C
Bhubaneswar

ସମ୍ପାଦକୀୟ: ଦୋହରା ମାନଦଣ୍ଡ

ନିଜକୁ ବିଶ୍ବର ସର୍ବଶକ୍ତିମାନ ଶକ୍ତି ବିଚାରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଆମେରିକା ବଜାରରେ ବିକ୍ରି ହେଉଥିବା ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ପୂର୍ବରୁ ଶତ ପ୍ରତିଶତ ଟିକସ ଲାଗୁ କରିବାର ଧମକ ଦେଇଥିଲେ। ନିକଟରେ ପ୍ରଥମେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ; ଯାହାକି ଅଗଷ୍ଟ ପହିଲାରୁ କାର୍ଯ୍ୟକାରୀ କରାଯାଇଛି। ପୁଣି ବୁଧବାର ଆଉ ୨୫ ପ୍ରତିଶତ ଶୁଳ୍କ ଲାଗୁ ନେଇ ରାଷ୍ଟ୍ରପତିଙ୍କ ନିର୍ଦେଶ ଦ୍ବାରା ମୋଟ ଟିକସ ପରିମାଣ ଏବେ ୫୦ ପ୍ରତିଶତ ହେବ। ଭାରତ ଉପରେ ଅତିରିକ୍ତ ଟିକସ ଲାଗୁ ଯୋଗୁଁ ଆମର ବୟନ, ସାମୁଦ୍ରିକ ଉତ୍ପାଦ ଏବଂ ଚମଡ଼ା ଶିଳ୍ପ ଉପରେ ପ୍ରଭାବ ପଡିବ ଓ ୩୦ ଶତାଂଶ ଭାରତୀୟ ରପ୍ତାନି ପ୍ରଭାବିତ ହେବ। ତେବେ ଟ୍ରମ୍ପ୍‌ଙ୍କ ଏଭଳି ଶୁଳ୍କ ଚାପ ଆଗରେ ଭାରତ ମୁଣ୍ଡ ନୁଆଁଇବ ନାହିଁ ବୋଲି ସ୍ପଷ୍ଟ କରିଛି। ଏଭଳି ଟିକସ ସ୍ବେଚ୍ଛାଚାରିତା ପଛର ଟ୍ରମ୍ପଙ୍କ ଯୁକ୍ତି ସ୍ଥୂଳଦୃଷ୍ଟିରୁ ଦେଖିଲେ ସଂପୂର୍ଣ୍ଣ ଆଧାରହୀନ, ହାସ୍ୟାସ୍ପଦ ତଥା ଅବିମୃଶ୍ୟକାରିତା ବୋଲି କୁହାଯାଇପାରେ। ଏହା ବୈଷୟିକ ଦୃଷ୍ଟିରୁ ତ୍ରୁଟିଯୁକ୍ତ ଓ ଭୂରାଜନୀତିକ ବିଚାରରେ କପଟପୂର୍ଣ୍ଣ। ରୁଷ୍‌ ଠାରୁ ଭାରତ ତୈଳ ଓ ପ୍ରତିରକ୍ଷା ସାମଗ୍ରୀ କିଣୁଥିବାରୁ ଟ୍ରମ୍ପଙ୍କର ଏହା ଆକ୍ରୋଶର କାରଣ। ରୁଷ୍‌ ସହ ଭାରତ ବାଣିଜ୍ୟିକ ସଂପର୍କ ଚ୍ଛିନ୍ନ କରୁ ବୋଲି ଟ୍ରମ୍ପ୍‌ ବାରମ୍ବାର ଚେତାବନୀ ଦେଇଆସିଛନ୍ତି। ନଚେତ୍ ଭାରତ ଉପରେ ଶହେ ପ୍ରତିଶତ ଟିକସ ବସାଯିବା ଧମକ ଦେଇଛନ୍ତି। ଗୋଟିଏ ପଟେ ରୁଷ୍‌ ସହ ଟ୍ରମ୍ପ୍‌ ଭାରତର ବାଣିଜ୍ୟ କାରବାର ହ୍ରାସ ପାଇଁ ଚାପ ପ୍ରୟୋଗ କରୁଛନ୍ତି; ଅଥଚ ରୁଷ୍‌ ସହ ଆମେରିକାର ଏକାଧିକ ସାମଗ୍ରୀ ଉପରେ ଭଲ କାରବାର ଚାଲିଥିବା ଟ୍ରମ୍ପ ଜାଣିନାହାନ୍ତି ବୋଲି ଗଣମାଧ୍ୟମକୁ ଉତ୍ତର ଦେବା ତାଙ୍କ ଦୋହରା ମାନଦଣ୍ଡକୁ ସାମ୍ନାକୁ ଆଣିଛି।
ଏଣେ ରୁଷ୍‌ ସହ ଦ୍ବିପାକ୍ଷିକ ସଂପର୍କ ଆଗକୁ ବଢାଇବା ଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଆମେରିକା ବିଦେଶମନ୍ତ୍ରୀ ବୁଧବାର ସାକ୍ଷାତ କରିବା ୱାଶିଂଟନ୍‌ର କେଉଁ ପ୍ରକାର ବିଦେଶ ନୀତି ? ଗୋଟିଏ ପଟେ ୟୁକ୍ରେନ୍‌କୁ ଯୁଦ୍ଧମୁହଁକୁ ଠେଲିଥିବା ଆମେରିକା ଅନ୍ୟପଟେ ରୁଷ୍‌ ସହ ଭିତିରି ସଂପର୍କ ରଖିବା ଓ ଆମଦାନୀ ବଢାଇବା ଯେତିକି ରହସ୍ୟଯୁକ୍ତ; ଅନୁରୂପ ଭାବେ ରୁଷ୍‌ରୁ ତେଲ ନ କିଣିବା ଲାଗି ଧମକ ଦେଇ ଭାରତ ଉପରେ ଶୁଳ୍କ ପରେ ଶୁଳ୍କ ଲଦିବା ଅଧିକ ବିସ୍ମୟକର। ରୁଷିଆରୁ ଅଧିକ ତୈଳ କିଣି ଭାରତ ଆନ୍ତର୍ଜାତିକ ଇନ୍ଧନ ଯୋଗାଣ ବ୍ୟବସ୍ଥାରେ ଭାରସାମ୍ୟ ରଖିବାକୁ ଏକଦା ଆମେରିକା କହିଥିଲା। ପ୍ରକୃତରେ ଆମେରିକା ଚାହୁଁଛି କ’ଣ ? ଭାରତକୁ ଖରାପ ବ୍ୟାବସାୟିକ ସହଯୋଗୀ ଭାବେ ତାଚ୍ଛଲ୍ୟ କରୁଥିବା ଆମେରିକା ଏଣେ ତୁର୍କୀ ଓ ବଡ଼ ଶତ୍ରୁ ଚୀନ୍ ଉପରେ ଅପେକ୍ଷାକୃତ କମ୍‌ ଶୁଳ୍କ ଲଗାଇଛି। ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଏହାର ବିଶାଳ ବଜାର ଓ କୃଷିଭିତ୍ତିକ ଅର୍ଥନୀତିକୁ ପ୍ରକାରାନ୍ତରରେ ଦୁର୍ବଳ କରିବାକୁ ଚାହୁଁଛନ୍ତି ଟ୍ରମ୍ପ। ଭାରତ ବଜାରରେ ଆମେରିକା ତା’ର କୃଷିଜାତ, ଦୁଗ୍ଧଜାତୀୟ ଏବଂ ମତ୍ସ୍ୟ ସାମଗ୍ରୀ ଅଧିକରୁ ଅଧିକ ବିପଣନ କରିବା ଲାଗି ଭାରତ ଉପରେ ଚାପ ବଢାଉଛି। ମାତ୍ର କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭରଶୀଳ ୭୦ ପ୍ରତିଶତ ଭାରତୀୟଙ୍କ ସ୍ବାର୍ଥ ସହ କେନ୍ଦ୍ର ସରକାର ସାଲିସ୍‌ କରିବେନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରୋକ୍‌ଠୋକ୍‌ ଚରମବାଣୀ ଶୁଣାଇ ଦେଇଛନ୍ତି। ଭାରତ ତା’ର ସ୍ବଦେଶୀ ଅର୍ଥନୀତିକୁ ସମୃଦ୍ଧ କରିବା ସହ ‘ଭୋକାଲ ଫର୍‌ ଲୋକାଲ୍‌’ ରଣନୀତିକୁ ତୃଣମୂଳ ସ୍ତରକୁ ନେଉଛି। ଭୂ-ରାଜନୈତିକ ସ୍ଥିତି ଓ ଡଲାରର ଆଧିପତ୍ୟ ଭାଙ୍ଗିବାକୁ ଭାରତ ପାଇଁ ଟ୍ରମ୍ପଙ୍କ ଶୁଳ୍କ ଚାପ ପ୍ରକାରାନ୍ତରରେ ଏକ ସୁଯୋଗ ସୃଷ୍ଟି କରିଛି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଅଯୌକ୍ତିକ ଓ ଜୁଲୁମକାରୀ। ଏହା କୌଣସି ସ୍ଥିତିରେ ଗ୍ରହଣୀୟ ନୁହେଁ। ପ୍ରତିକୂଳ ସ୍ରୋତରୁ ଭାରତ ଆଗକୁ ବଢିବ ଓ ନିଜର ନେତୃତ୍ବ ଜାହିର କରିବ ବୋଲି ଆଶା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories