ସାପୁଆ ନଦୀ ଉପରେ ନୂତନ ସେତୁ ପାଇଁ ଶିଳାନ୍ୟାସ

ଆଠଗଡ : ଆଠଗଡ ସହରକୁ ସଠିଲୋ ପଞ୍ଚାୟତ ସହିତ ସିଧାସଳଖ ସଂଯୋଗ ଲାଗି ଉତ୍ତରାଚଣ୍ଡୀ ମନ୍ଦିରର ଅନତି ଦୂରରେ ଗଣେଶ ମୁଣ୍ଡିଆ ନିକଟରେ ସାପୁଆ ନଦୀ ଉପରେ ଏକ ନୂତନ ସେତୁ ଲାଗି ବୁଧବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬.୧୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ବିଜୁ ସେତୁ ପାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆନୁଷ୍ଠାନିକ ପୂଜାର୍ଚ୍ଚନା ପରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗମନାଗମନର ଯେତେ ଅଧିକ ସୁବିଧା ହେବ ସେହି ଅନୁଯାୟୀ ଲୋକଙ୍କର ଏବଂ ଅଞ୍ଚଳର ଅର୍ଥନୈତିକ ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପଲବ୍ଧି କରି ଗମନାଗମନର ବ୍ୟାପକ ବିକାଶ ପାଇଁ ସର୍ବାଧିକ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ପନିପରିବା ଓ ଫସଲ ଉତ୍ପାଦନ ପାଇଁ ଖ୍ୟାତି ରହିଥିବା ସଠିଲୋ ପଞ୍ଚାୟତ ସହିତ ଆଠଗଡ ସହରର ସିଧାସଳଖ ସଂଯୋଗ ଦ୍ୱାରା ଦୂରତା କମିବା ସଙ୍ଗେ ସଙ୍ଗେ ସଠିଲୋ ଓ ସମସରପୁର ଅଞ୍ଚଳର ଚାଷୀମାନେ ଏବଂ ବିଭିନ୍ନ କାର୍ଯ୍ୟରେ ଆଠଗଡ ଆସୁଥିବା ଲୋକ ଓ ଛାତ୍ରଛାତ୍ରୀ ଏହି ସେତୁ ନିର୍ମାଣ ଦ୍ୱାରା ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ। ଏହି ଶିଳାନ୍ୟାସ ଉତ୍ସବରେ ଜିଲ୍ଲାପରିଷଦ ସଭ୍ୟା ଶାନ୍ତିଲତା ବେହେରା, କଟକ ଜିଲ୍ଲାପରିଷଦର ପୂର୍ବତନ ଉପାଧ୍ୟକ୍ଷ ସୁନିଲ ପରିଡା, ସଠିଲୋ ସରପଞ୍ଚ ବୀଣାପାଣି ପରିଡା, ସମିତିସଭ୍ୟ ସୁବାସ ପାଳ, ସୂର୍ଯ୍ୟନାରାୟଣ ପାଳ, ପ୍ରଭାତ ରାଉତ, ରମାକାନ୍ତ ଜେନା ଓ ପ୍ରସନ୍ନ ପରିଡାଙ୍କ ସମେତ ଏହି ସେତୁ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିବା ଠିକାଦାର କମଳ ଲୋଚନ ଦାସ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯନ୍ତ୍ରୀ ଉପସ୍ଥିତ ଥିଲେ।

kalyan agarbati

Comments are closed.