ଝାରସୁଗୁଡ଼ା: ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ନୃଶଂସ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଲଇକେରା ଥାନା ସରିଗିଗୁଡ଼ା ଘରେ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଆକ୍ରମଣକାରୀ ଜଣେ ୨୦ ବର୍ଷର ଯୁବକ ଏବଂ ସେ ମୃତ ଧ୍ରୁବରାଜଙ୍କ ଗାଁର ବୋଲି ସୂଚନା ମିଳିଛି। ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କ ଘରେ ପଶି ସେ ୧୦୦ଟଙ୍କା ମାଗିଥିଲା। ପ୍ରଫେସର ନାୟକ ୧୦୦ଟଙ୍କା ଦେବାକୁ ମନା କରିବାରୁ ତାଙ୍କୁ ଏକ ଟାଙ୍ଗିରେ ଅତର୍କିତ ଆକ୍ରମଣ କରିଥିଲା। ୧୦୦ଟଙ୍କା ପାଇଁ ପ୍ରଫେସର ଧବରାଜ ନାୟକଙ୍କୁ ହତ୍ୟା ନେଇ ଧ୍ରୁବରାଜଙ୍କ ଭାଇ ଅର୍ଜୁନ ନାୟକ ସୂଚନା ଦେଇଛନ୍ତି।
ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କ ଭାଇ ଅର୍ଜୁନ ନାୟକ କହିଛନ୍ତି ଯେ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଏହି ଘଟଣା ଘଟିଛି। ମୃତ ଧ୍ରୁବରାଜଙ୍କ ଭାଇ ଅର୍ଜୁନ ନାୟକ କହିଛନ୍ତି ଯେ ଜଣେ ବ୍ୟକ୍ତି ଘର ଭିତରକୁ ପଶି ଆସିଥିଲା। ସେତେବେଳେ ଘରେ ଭାଇ ନଥିଲେ। କେବଳ ଆମ ବୋହୂ ଓ ଝିଆରୀ ଘରେ ଥିଲେ। ଉକ୍ତ ବ୍ୟକ୍ତି ବେଡ୍ ରୁମ୍କୁ ପଶିଯାଇ ଶହେ ଟଙ୍କା ମାଗିଥିଲା। ଟଙ୍କା ନାହିଁ ପରେ ଆସିବୁ ବୋଲି ସେମାନେ ତାକୁ କହିଥିଲେ। ଏହା ଭିତରେ ଭାଇ ଧ୍ରୁବରାଜ ପହଞ୍ଚିଥିଲେ ଓ ଟାଙ୍ଗିଆ ଧରି କାହିଁକି ଘର ଭିତରକୁ ଆସିଛୁ ବୋଲି ତାକୁ ପଚାରି ଥିଲେ। ଏହି ଘଟଣାକୁ ନେଇ ଉକ୍ତ ବ୍ୟକ୍ତି ଏବଂ ଧ୍ରୁବରାଜଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ସେ ଭାଇଙ୍କୁ ହଠାତ ଅତର୍କିତ ଭାବେ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲା। ଭାଇ ଧ୍ରୁବରାଜ ନାୟକଙ୍କୁ ଅତି ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ସ୍ଥିତ ଏକ ଘରୋଇ ନର୍ସିଂହୋମ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଅତର୍କିତ ଭାବେ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ ପରେ ବ୍ୟକ୍ତି ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏନେଇ ଲଇକେରା ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲଇକେରା ପୁଲିସ୍ ଫେରାର ଅଭିଯୁକ୍ତକୁ ଧରିବା ସହିତ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ସେହି ଗାଁର ହୋଇଥିବା ବେଳେ ଲଇକେରା ପୁଲିସ୍ ପକ୍ଷରୁ ଅଭିଯୁକ୍ତ ସଂପର୍କରେ ସବିଶେଷ ସୂଚନା ଦେଇ ନାହିଁ।
ଝାରସୁଗୁଡ଼ା ଏସ୍ପି ବିକାଶ ନାୟକ କହିଛନ୍ତି ଯେ ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ଜମିବାଡ଼ି ବିବାଦ କିମ୍ବା ପୋଖରୀରେ ମାଛଚାଷ, ଟଙ୍କା ମାଗିବାର ନ ଦେବା କିମ୍ବା ଅନ୍ୟ କୌଣସି କାରଣରୁ ପୂର୍ବତନ କୁଳପତି ଧ୍ରୁବରାଜ ନାୟକଙ୍କୁ ହତ୍ୟା କରାଯାଇଛି ତାହା ତଦନ୍ତ ପରେ ଜଣାପଡ଼ିବ। ସବୁ ଦିଗ ପ୍ରତି ତଦନ୍ତ କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦେଶ ଦିଆଯିବ। ତଦନ୍ତ ରିପୋର୍ଟ ମିଳିବା ପରେ ପ୍ରକୃତ ହତ୍ୟାକାଣ୍ଡର କାରଣ ଉନ୍ମୋଚନ ହୋଇପାରିବ।



