ନିମନ୍ତ୍ରଣ ରଖିଲେ ମନମୋହନ, ଅତିଥି ନୁହେଁ ସାଧାରଣ ଯାତ୍ରୀ ଭାବରେ ଯିବେ କରତାରପୁର
ନୂଆଦିଲ୍ଲୀ:କରତାରପୁର କରିଡର ଉଦ୍ଘାଟନ ଉତ୍ସବରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ଅତିଥି ଭାବେ ନୁହେଁ; ବରଂ ଜଣେ ସାଧାରଣ ଶିଖ୍ ଯାତ୍ରୀ ଭାବେ ଯୋଗଦେବେ। ଶନିବାର ଏହି ସୂଚନା ଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀ। ନଭେମ୍ବର ୯ରେ ପାକିସ୍ତାନ ପକ୍ଷରୁ ନିର୍ମିତ କରିଡରର ଉଦ୍ଘାଟନ ହେବ। ଭାରତ ପକ୍ଷରୁ ନିର୍ମିତ କରିଡରକୁ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି। କ୍ୟୁରେସୀ କହିଛନ୍ତି ଯେ ପାକିସ୍ତାନ ସରକାରଙ୍କ ନିମନ୍ତ୍ରଣ ମନମୋହନ ରକ୍ଷା କରିଛନ୍ତି; ତେବେ ସେ କେବଳ ଶିଖ୍ ଯାତ୍ରୀ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସମ୍ମତି ଜଣାଇଛନ୍ତି।
ମନମୋହନଙ୍କୁ ପାକିସ୍ତାନର ନିମନ୍ତ୍ରଣ ନେଇ ପୂର୍ବରୁ ଭାରତରେ ତୀବ୍ର ରାଜନୈ୍ତିକ ବିବାଦ ସୃଷ୍ଟି ହୋଇଥିଲା। ମନମୋହନ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିବା ପରେ ବିବାଦ ଥମିଥିଲା। ଏତଦ୍ବ୍ୟତୀତ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ ନେତୃତ୍ବରେ ଏକ ସର୍ବଦଳୀୟ ଯାତ୍ରୀ ଦଳ ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପାକିସ୍ତାନ ଯିବେ ଓ ଏଥିରେ ମନମୋହନ ସାମିଲ ହେବାକୁ ସମ୍ମତି ଜଣାଇଥିବା ଖବର ପ୍ରକାଶିତ ହୋଇଥିଲା।
Comments are closed.